ସତରେ କଣ କବିତା କେବେହେଲେ ଲେଖା ସରିଛି?

ସତରେ କଣ କବିତା କେବେହେଲେ ଲେଖା ସରିଛି?

ପ୍ରହଲ୍ଲାଦ ଶତପଥୀ

“ଧୀର ପାଦ, ମନ୍ଥର ଗତି, ଛମଛମ ପାଉଁଜି ଆସ୍ତେ ଆସ୍ତେ ମୋକ୍ଷମୟୀ ଆଗକୁ ଆଗକୁ ମାଡି ଆସୁଥାଏ । କେଉଁ ଏକ ଋଷି ପ୍ରତିମ ତେଜସ୍ୱୀ କବିର ଧ୍ୱନି ଶବ୍ଦବ୍ରହ୍ମ କ୍ଷେପି ଯାଉଥାଏ ଚଉଦିଗ ।

ଏମିତି ଏକ ବ୍ରାହ୍ମ ମୁହୂର୍ତ୍ତରେ ଆକସ୍ମିକ ଭାବେ ଯଦି ମୁଁ ଛିଡା ହେଇଛି ଓ ଉଦଭାସିତ ହେଇ ଉଠିଛି ମୋର ସମଗ୍ର ବିଗ୍ରହ ତାହା ଏକ ସୁନ୍ଦର ଆକସି୍ମକତା । ମୁଁ କେବଳ ମାଧ୍ୟମଟିଏ । ମୋ ଦେଇ ବହୁଛି ପବନ, ଝଡ, ବତାସ, ମୋ ଦେଇ ବହୁଛି ଖରସ୍ରୋତା ପ୍ରପାତ । ମୋ ଭିତରେ ସୁପ୍ତ ଆଗ୍ନେୟଗିରି, ତପ୍ତ ଲାଭାର ଝାସ । ମୋ ଭିତରେ ବସା ବାନ୍ଧିଛି ମାଟି ଚେର, ଡେମ୍ଫ, ଚିରହରିତ ପତ୍ର ବିନ୍ୟାସ, ଲହଲହ ଜିହ୍ୱାର ସାବଜା ବନସ୍ତ, ମୋ ଉପରେ ଉଦଭାସିତ ସୂର୍ଯ୍ୟର ରକ୍ତ ରେଣୁ, ମୋ ଉପରେ ଭଡି ବୁଲୁଛି ମଧୁମକ୍ଷୀର ଗୁଣୁଗୁଣୁ ।

ସବୁ ଆଲୁଅ ଓ ଅନ୍ଧାର ଭିତରେ ମୁଁ । ମୁଁର କ୍ରମବର୍ଦ୍ଧିଷ୍ଣୁ କାୟା କ୍ଷିତି, ଅପ, ମରୁତ, ତେଜ, ବ୍ୟୋମ । ମୁଁ ଯୁଦ୍ଧ, ବିଭୀଷିକା, ମୋର କ୍ରମବର୍ଦ୍ଧିଷ୍ଣୁ କାୟା ହିଁ ପ୍ରେମ । ମୁଁ ହିଁ ଯୁଦ୍ଧ ଓ ପ୍ରେମର ମଝାମଝି କୁହୁକୁ ଦୀପଟିଏ -କବିତା!” ମୋର କବିତା ସଙ୍କଳନ ‘ଅଲଗୁଣୀରେ ଅବୟବରେ ସ୍ଥାନିତ ‘ରକ୍ତ ଧୂଳି’ କବିତାରୁ ଉଦ୍ଧୃତ ଉପରୋକ୍ତ ପଙକ୍ତିରେ ମୁଁ କହିସାରିଛି ଯେ କବିତା ମୋ ପାଇଁ ଏକ ସୁନ୍ଦର ଆକସ୍ମିକତା । ମୁଁ କେବଳ ମାଧ୍ୟମଟିଏ । ମୁଁ ନିଜେ ହିଁ ସେଇ କବିତା ଯାହାକୁ ମୁଁ ଲେଖି ଚାଲିଛି ଅନବରତ ।

ମୋର ବିଶ୍ୱାସ କବିତା ଶବ୍ଦ ହୋଇ ଧ୍ୱନି ହୋଇ ରୂପକଳ୍ପ ହୋଇ ଥାଏ କୋଉଠି ନା କୋଉଠି । କବିତା ଲେଖିଲା ବେଳେ ସେମାନେ କବି ପାଖକୁ ଆସନ୍ତି ଓ ପୁଣି ଲେଖା ସରିବା ପରେ ଚାଲି ଯାଆନ୍ତି । କବି କେବଳ ମାଧ୍ୟମଟିଏ । କବିତା ନିଜକୁ ଲେଖେଇ ନେଉଥାଏ । କବିତା ଲେଖା ଜାରି ଥାଏ, ଆମେ କେହି ବି ନ ଲେଖିଲା ବେଳେ ଆମ ଅଗୋଚରରେ । ପ୍ରକୃତରେ କ’ଣ କବିତା ଭାଷାରେ ସୀମିତ ଥାଏ କି? କବିତା ତ ଘୂରୁଥାଏ ନିମଗ୍ନ ହୋଇ କେଉଁ ଏକ ଘୂର୍ଣ୍ଣିଝଡରେ, ଧୂଳିର ପ୍ରତିଟି ଅଣୁରେ, ପବନ ସହ ତାଳ ଦେଇ ନାଚୁଥାଏ, ଡାଳପତ୍ର ସଂଧିରେ ନିର୍ଦ୍ଦିଷ୍ଟ କେଉଁ ଏକ ରିୟାଜରେ, ନୀରବରେ ତପସ୍ୱୀ ପରି, ଗଛ ବସିଥିବା ବେଳେ ଯୋଗ ମୁଦ୍ରାରେ ।

ମୁଁ ଲେଖୁ ନଥିବା ବେଳେ, କ’ ଣ କବିତା ଲେଖା ଚାଲିନି? ମୁଁ ଯାହାକୁ ଅନଉଛି, ତା’ ଆଖିରେ କବିତା ଦେଖୁଛି । କୋଦାଳ ନେଇ ମାଟି ହାଣୁଥିବା ହାତ, ଚାରା ରୋପୁଥିବା ଆଙ୍ଗୁଳି, ଫୁଲ ଫୁଟଉଥିବା ଗଛ, ପତ୍ରରେ ନିଜସ୍ୱ ଅଙ୍ଗ ପ୍ରତ୍ୟଙ୍ଗକୁ ଢାଙ୍କୁଥିବା ନଙ୍ଗଳା ଡାଳ, ନୂଆ ହେଇ ଉଡି ଶିଖୁଥିବା ପକ୍ଷୀ, ମାଟି ଭିତରକୁ ପଶୁଥିବା କୀଟ, ଗୋଟାଏ ଉଦାସ ସଂଧ୍ୟାକୁ କୂଳରେ ଅପେକ୍ଷା କରିଥିବା ନଈ, ଦିଓଟି ପାହାଡ ସଂଧିରେ ଉଦିବାକୁଥିବା ସୂର୍ଯ୍ୟ, ରାବିବାକୁ ଉଦ୍ୟମରତ ପକ୍ଷୀ, ସଭିଏଁ କବିତା ଯେଉଁମାନଙ୍କୁ ମୁଁ ଲେଖିନି ଏଯାବତ, ଅଥଚ ସେମାନେ କବିତା ନିଜ ନିଜ ବାଗରେ ।

ସତରେ କ’ଣ କବିତା କେବେହେଲେ ଲେଖା ସରିଛି? କବିତା ପ୍ରସ୍ତୁତିଟାଏ କେବଳ । ଏଇ ଯେମିତି ତୁମର ସୁନ୍ଦର କାନ ଦିଓଟି ମୋ ପଟେ ଅନେଇଛି ଓ ମୋ ଓଠ କିଛି ବି ନ କହି ଅନେକ କିଛି କହିଦେଇଛି । ତମ କାନ କିଛି ବି ନ ଶୁଣି ସବୁ କିଛି ଶୁଣି ପକଉଛି । କବିତାଟିଏ ଆପଣାଛାଏଁ ଲେଖି ହେଇଯାଉଛି, ଜମା ଶବ୍ଦଟିଏ ବି ନଲେଖି । ଶବ୍ଦର ଯେତେ ଭିତରକୁ ପଶିବ, ଶବ୍ଦ- ନଈ ଗହୀର ଥିବ । କାତ ପାଉ ନଥିବ, କବିତା ରହସ୍ୟ ଖୋଜୁଥିବ । ଅଦୃଶ୍ୟ ହାତରେ ଜଗନ୍ନାଥ ବସି ଲେଖୁଥିବେ । ଚକ୍ଷୁ ବିହୀନ ପଦ୍ମଲୋଚନ ପଢୁଥିବ ସଭିଙ୍କ ଅଲକ୍ଷ୍ୟରେ ।

ପର୍ତ୍ତୁଗାଲର ଔପନ୍ୟାସିକ ଜୋସ ସାରାମାଗୋ (୧୯୮୮ ମସିହାରେ ସାହିତ୍ୟ କୃତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ) କୁହନ୍ତି, “ନିଜର ଦରକାରୀ ଲେଖକମାନଙ୍କୁ ସମ୍ଭବତଃ ଭାଷା ନିଜେ ହିଁ ବାଛି ନିଏ ଓ ସେମାନଙ୍କୁ ନିଜ କାମରେ ଲଗାଏ । ଲକ୍ଷ୍ୟ ଥାଏ, ସେମାନଙ୍କ ମାଧ୍ୟମରେ ଯେତେ କମ ହେଉ ପଛେ ନିଜକୁ ଟିକିଏ ପ୍ରକାଶ କରିବା ।” ନିକଟ ଅତୀତରେ, ‘ସୃଜନସଳିତା ନବନୀତା’ର ଏକ ସାକ୍ଷାତକାରରେ ମୋତେ ପଚରା ଯାଇଥିଲା, ଏବେ ବହୁତ ଲୋକ କବିତା ଲେଖୁଛନ୍ତି । ସମସ୍ତେ କବି ବୋଲାଇବାକୁ ଚାହୁଁଛନ୍ତି । ସାହିତ୍ୟ ପାଇଁ ଏହା ଶୁଭ କି ଅଶୁଭ? ମୁଁ କହିଥିଲି ସବୁଲୋକେ କବି ହୋଇଯାଆନ୍ତୁ ।

ମୁଁ ଚାହେଁ ବଲମ ନ ଉଠେଇ, ଯଦି ଲୋକେ କଲମ ଉଠଉଛନ୍ତି, ତେବେ ସମୟ ଶୁଭଙ୍କର । ସୃଜନକର୍ମରେ ବ୍ରତୀ ହେଲେ ନକରାତ୍ମକ ଆବେଗ ଯେତେ ସକରାତ୍ମକ ରୂପ ନିଏ ।

‘ନନାଙ୍କ ବସ୍ତାନି’ ଗଳ୍ପରେ ଗାଳ୍ପିକ ଫକୀରମୋହନଙ୍କ ଉକ୍ତିଟିକୁ ମୁଁ ମନେ ପକେଇ ଦେଇଥିଲି । “ଜଗତରେ କେଉଁ ଲୋକ କବି ନୁହେଁ, ଅବଧାନ? କେବଳ ଲେଖିବା ନ ଲେଖିବା କଥା । ଦେଖନ୍ତୁ ବନମାଳୀ ବେହେରା, ଗଉଡ ଲୋକଟା, କାଳିଆ, ବେହୁରିଏ ଚନ୍ଦନ ବୋଳି ହୋଇଅଛି ଆଉ ଖଣ୍ଡେ ହଳଦିଆ ଲୁଗା ପିନ୍ଧିଅଛି । ଆପଣ ଦେଖିଲେ, ମୁଁ ଦେଖିଲି, ତୁମ୍ଭେ ଯାହା ବୁଝିଲ, ମୁଁ ତାହା ବୁଝିଲି । ଜୟଦେବ ଦେଖି ଟିପି ପକେଇଲେ; “ଚନ୍ଦନ- ଚର୍ଚ୍ଚିତ ନୀଳ କଳେବର ପୀତବସନ-ବନମାଳୀ’ ବୁଝିବା ହେଲେଟି କି? ତୁମ୍ଭେ ଆମ୍ଭେ ଗଲୁଁ ଗାଧୋଇ, ଜୟଦେବ ହେଲେ କବି ।”

କବିତାର ଭାଷା ଓ ପ୍ରାର୍ଥନାର ଭାଷା ମୋତେ ଏକା ପରି ଲାଗେ । ମୋର ବିଶ୍ୱାସ, କବିତାର ଏକ ନିଜସ୍ୱ ଭାଷା ଥାଏ । ଓଡିଆ, ଇଂରାଜୀ, ଅହମିଆ, ହିନ୍ଦୀ, ତଥାକଥିତ ଭାଷାଠୁ ସମ୍ପୂର୍ଣ୍ଣ ରୂପେ ଅଲଗା । ହସକାନ୍ଦର ଭାଷା ସବୁ ସୀମା ସରହଦକୁ ଟପିଯାଏ । ମୋତେ ପଚାରନା, ମୁଁ କୋଉଠୁ ଶିଖିଲି ହସିବା, କାହିଁକି କାନ୍ଦେ? ମୁଁ କେତେଥର ମନ୍ଦିରକୁ ଯାଏଁ । ଦିଅଁ ଦେଖିବାକୁ କେମିତି? ମୁଁ ମୋଠୁ ବୃହତ୍ତର ଏକା ସତ୍ତା ସହ ଲହମାଡି ଯଦି ଛାଉଁଣୀଟିଏ କରିଛି ଓ କହୁଛି ଏଇଟା ମୋର ଆକାଶ, ବାହାସ୍ଫଟ ମାରି ଆଉ ଆକାଶ ଦେଖାଅନି ।

କବିତା ମୋ ପାଇଁ ପୃଷ୍ଠେ ସଫେଦ କାଗଜର ଯନ୍ତ୍ରଣା । ହଠାତ ଦିନେ ଆକ୍ରାନ୍ତ ହେଲି । ଅନ୍ଧାର ପଟେ ଅନେଇଲି, ଯଦିଓ ସାରା ଜୀବନ, ମୁଁ ଜାଣେ ମୋ ଆଖି; ଆଲୁଅ ହିଁ ଖୋଜୁଥିଲା ।

ଅନ୍ଧାର ହିଁ ଆମକୁ ଏକାଠି କଲା, ଅନ୍ୟ ଏକ ଅନ୍ଧାରକୁ ମୁଁ ଜଗି ରହିଲି । ଅନୁଭବିଲି, ସମୟ ଇତସ୍ତତଃ ଧାଁ ଦଉଡର ଏକ ସୁଦୀର୍ଘ ରକ୍ତରଞ୍ଜିତ ରାସ୍ତା, ଧାଡିଧାଡି ମହମବତୀରେ ସଜା ହୋଇଥିବା ଆତଙ୍କ ପରର ସଙ୍କଳ୍ପର ଦୁଇ ମିନିଟର ନୀରବ ଶୋଭାଯାତ୍ରା । ପ୍ରେୟସୀକୁ କହିଲି କୌଣସି ବି ସକାଳ ତୁମଠୁ ବେଶୀ ମହିୟସୀ ନୁହଁ, ତୁମେ ପାଶେ ଥିଲେ ସବୁବେଳେ ସବୁଠି ସକାଳ । ସ୍ଥିର ସମୟ, ପରାଜିତ କାଳ । ତମେ ନିଦରୁ ଉଠି ତମ ନିଦୁଆ ଆଖିପତାକୁ ଧୋଉଥାଅ ଓ ଜମା ଅନ୍ୟ ଦୃଶ୍ୟ ଆସୁନଥାଏ । ଚରିତ୍ରମାନେ ଆସୁନଥାନ୍ତି, ପର୍ଦ୍ଧା ପଡୁନଥାଏ । ଶବ୍ଦ ନୀରବ ଥାଏ, ଦୃଶ୍ୟ ସବୁ ଦୃଶ୍ୟ ହରେଇ ସାରିଥାଏ । ଧ୍ୱନି ବୋଲି କିଛି ବି ନଥାଏ । ଇଏ କେମିତି କବିତାଟାଏ, ଯେଉଁଠି ଶବ୍ଦ ନାଇଁ, ଧ୍ୱନି ନାଇଁ, ରୂପକଳ୍ପ ନାଇଁ, ଦୃଶ୍ୟ ନାଇଁ, ଥାଅ ଖାଲି ତମେ, ପୃଥିବୀର ସାକାର ଅଭିବ୍ୟକ୍ତି, ନୀରବ କବିତା!

‘ମୁଁ’ଠୁ ‘ତମ’ ପାଖକୁ ପହଞ୍ଚେଇଲା ଜୀବନ, କବିତା । ପହଞ୍ଚିବା ଭିତରେ ମୁଁ ରାତି ସହ ପାହି ଆସୁଥିଲି । ପାଖରୁ ଦେଖୁଥିଲି ଦି’ କୂଳ ଖାଉଥିଲା ତରଳ ଅନ୍ଧାର । ଦୋହଲୁଥିଲା ପଞ୍ଜରାର ନାଆ, ଦେହର ନାବିକ । ଚାରିଦିଶାରୁ ଦିଶୁଥିଲା କଳା ଘୁମର ମେଘ, ସମୁଦ୍ରର ଉତ୍ତାଳ ତରଙ୍ଗ । ଅନୁଭବିଲି, ଏ ବସା ଘୋଡେଇ ରଖି ପାରିବନି ହୃତପିଣ୍ଡ! ଛାତକୁ ଯାଇ ଛାତି ଉପରର ଛପର କେତେ ଯେ ନ ଲେଉଟେଇଛି, ଥପ କଲେ ଗିନାଟିଏ, ଉଛୁଳି ପଡିଲେ ତାଳଟାଏ ଥୋଇ ରାତିସାରା ବସି ନିଦ ଲେଉଟେଉଛି ।

ଥପ ଥପ ଝର ଝର ସାରାଦିନ ସାରା ରାତି । ଅନୁଭବିଛି ହୃଦୟ ଏକ ବର୍ଷାଋତୁର ଆକାଶ । ଉଦାସ, ବେଶ ନିରୋଳା, ଏକା ଏକା ଜାକିଜୁକି, ଆସବାବ ସାଉଁଟି, କନ୍ଥା ଚାଦର ସାଉଁଟି, ଗୋଡ ହାତ, ଆଖି ଓଠ ସାଉଁଟି ହୃଦୟର କେଉଁ ଏକ ନିଭୃତ କୋଣରେ ସାରାରାତି ଜଗି ବସିଛି । ସକାଳ ହେବ, ଅଲ୍‍ବତ ହେବ । ବର୍ଷା ଥମିବ, ଅବଶ୍ୟ ଥମିବ, ସୂର୍ଯ୍ୟ ଉଇଁବ, ନିଶ୍ଚୟ ଉଇଁବ । ଝାଡିଝୁଡି ଦେଇ ଦେହ ଗୋଡହାତ, ତମାମ ଅବୟବକୁ ଅଲଗୁଣୀରେ ଟାଙ୍ଗି ଦେଇଛି, କବିତାରେ, ରାତି ସହ ମୁଁ ପାହି ଆସୁଛି ।

ମୁଁ କେବେ ବି ପଚାରିନି କବିତାକୁ, ଏତେ ଲୋକ ଥାଉ ଥାଉ ମୋତେ କିଆଁ ମାଧ୍ୟମ କଲା । ତେବେ କବିତା ଜରିଆରେ ମୁଁ ମୋର ଶାବ୍ଦିକ କୃତଜ୍ଞତା, ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସଭିଙ୍କୁ ଜଣେଇବାର ସୁଯୋଗ ପାଇଲି । ଉତ୍ସର୍ଗିତ ହେଲି । ହୃଦୟରେ ଅନ୍ୟ ଏକ ହୃଦୟକୁ କେମିତି ରୋପି ଦିଆଯାଇପାରେ ଅନୁଭବିଲି । ଛାତିରେ ଅଙ୍କୁରେଇବାର ବିଶ୍ୱାସ ଟିକକ ଅନ୍ତତଃ ରହୁ, ସେଇଥିପାଇଁ ହୁଏତ କବିତାର ପାଖେ ପାଖେ ପାଖେ ରହିଛି ।

କଳା ଜନ୍ଦାଟିଏ ମାଡି ଯାଉଛି ଆଗକୁ, ତା ପାଇଁ ଅଙ୍କୁରେଇବାକୁ ହେବ ଦାନା, ନଂଗଳା ବୁଭୁକ୍ଷିତ କଙ୍କଡା ବିଛାମାନଙ୍କ ପାଇଁ ଅଙ୍କୁରେଇବାକୁ ହେବ କନା, ଲହଲହକା ଲହପି ଯାଉଥିବା ଅଙ୍ଗପ୍ରତ୍ୟଙ୍ଗମାନଙ୍କ ପାଇଁ ଛାଉଣୀ, ଶିଶିର ପାଇଁ ଅଙ୍କୁରେଇବାକୁ ହେବ ଦୂବଘାସର ହୃଦୟ । ରାତିଅଧର ରାସ୍ତାରେ ଚରିବୁଲୁଥିବା ଭୟମାନଙ୍କ ପାଇଁ ଅଙ୍କୁରେଇବାକୁ ହେବ ବିଶ୍ୱାସ ।

ମୁଁ ଆଉଥରେ ଫେରିଆସୁଛି ସେଇ ମୂଳ ପ୍ରଶ୍ନକୁ ଯା’ର ଉତ୍ତର ମୁଁ ଏଯାବତ ପ୍ରଶ୍ନରେ ଦେଇ ଚାଲିଛି ଓ ନିଜେ ଖୋଜୁଛି । ‘ମୁଁ କାହିଁକି ଲେଖେ’ । ମୁଁ ଅସଂଖ୍ୟ ‘ମୁଁତ୍ୱ’ର ସମଷ୍ଟି । କେଜାଣି ମୋର ମନେହୁଏ, ମୁଁ ଭିତରେ ଅସଂଖ୍ୟ ମୁହଁ ଛପିଥାନ୍ତି । ଆମ ସମୟର ଲୋକ ଯେତେ ଯେମିତି ଏକେ ଆରକେର ଦର୍ପଣ । କବିତାର ଚିର ଶାଶ୍ୱତ ସ୍ରୋତରେ, ସ୍ତୋତ୍ରରେ ବହିଗଲା ବେଳେ କବି ରାଜେଂଦ୍ର ପଂଡାଙ୍କୁ ଭେଟେ, କବି ଗୋପାଳ କୃଷ୍ଣ ରଥଙ୍କୁ ଭେଟେ, ମୋ ସହ ବହି ଯାଉଥାନ୍ତି ଦେବୀଦାସ ମିଶ୍ର, ପ୍ରଦୀପ ପଣ୍ଡା, ଶର୍ମିଷ୍ଠା ସାହୁ, ଗାୟତ୍ରୀ ପଣ୍ଡା, ସୁଚେତା ମିଶ୍ର, ଶୁଭଶ୍ରୀ ଲେଙ୍କା ଓ ଅନେକେ । ପ୍ରଶ୍ନ ଆସେ, ଆମେ କାହିଁକି ଲେଖୁ, ଯେତେବେଳେ ଲେଖିବା ନ ଲେଖିବା ଏକା ପରି ଲାଗୁଛି । ସହରଟାଏ ଅନ୍ଧ ମୂକ ବଧିର ସାଜୁଛି, ଯେତେବେଳେ ଉଜୁଡି ଯାଇଛି କ୍ଷେତ, ସାବଜା ପ୍ରତ୍ରଙ୍କୁ ଚରି ଯାଉଛନ୍ତି ପୋକ, ଯେତେବେଳେ ବର୍ବର ହାତ ଅଲଗା କରିଦେଉଛି ସର୍ବାଙ୍ଗ, ଆଖି, ଓଠ, ହୃତପିଣ୍ଡ । ଆମେ କାହିଁକି ଲେଖୁଛୁ, ଯେତେବେଳେ ଲୋକେ ଅକ୍ଷର ଭୁଲିଗଲେଣି ଶବ୍ଦର, ଭାଷା ଭୁଲିଗଲେଣି କବିତାର, ଗଜୁରିବାର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ କରୁଛନ୍ତି ଚାରାକୁ, ରୋପିବାର ମନ୍ତ୍ର ଭୁଲିଗଲେଣି, ତିରସ୍କାର କରି ବସିଲେଣି ଦୋରସା ମାଟିର ମହନୀୟତାକୁ । ଆମେ କାହିଁକି ଲେଖୁଛେ?

ଯେତେବେଳେ ଉପଭୋକ୍ତା ସଂସ୍କତିର ବିରାଟ ଆଁ ଭିତରକୁ ପଶି ସବୁକିଛି କ୍ଷଣିକେ ଲୀନ ହେଇ ବସୁଛି । ଜଣେ ଶିଳ୍ପପତିଙ୍କ ଚାରି ହଜାର କୋଟିର କୋଠା, ସେପଟେ ଦୁଇ ଶହ କୋଟି ନିଦୁଆ ଆଖିପତା, ଡ୍ରଇଂରୁମ କାନ୍ଥରେ ପୁଞ୍ଜିବାଦର ସାଇତା ଜଳପ୍ରପାତ, ଗୋଟାଏ ପଟେ ପଞ୍ଚାବନ ପ୍ରତିଶତ ଲୋକଙ୍କ ମୁଣ୍ଡ ପିଛା ଖର୍ଚ୍ଚ ଟଙ୍କା ମାତ୍ର ସତର, ସେ ପଟେ ଦ୍ୱୈତ ଅର୍ଥନୀତି, ଦାରିଦ୍ର୍ୟର ସୀମାରେଖା ଟପି ପାରୁନଥିବା ହସ ବଜାରୀକରଣର ।

ଆମେ କାହିଁକି ଲେଖୁଛେ, ଯେତେବେଳେ ଗମଲାରେ ପାହାଡଗୁଡାଙ୍କୁ ସଜଉଛି ରାଜ୍ୟ, ସେଲୁନରେ ଗଛମାନଙ୍କୁ ଟ୍ରିମିଙ୍ଗ କରୁଛି ରାଜଧାନୀ, ଯେତେବେଳେ ଅଧିବାସୀ ଜଳ ଜଙ୍ଗଲ ଜମିକୁ ନେଇ ନିଜ ବିରୁଦ୍ଧରେ ନିଜେ ଯୁଦ୍ଧ ଘୋଷଣାରତ ଏକ ଲଢୁଆ ଅପଶବ୍ଦ । ଏମିତି ଏକ ବାସ୍ତବିକତା ସହ ମୁଁ ଆମେ, ସଭିଏଁ ଯୁଝୁଥିବା ବେଳେ, ଯଦି କବିଟିଏ ଓଠ ପିଠିରେ ଜହ୍ନ ନେଇ ଫେରୁଛି ଓ ଓହ୍ଳେଇ ଦେଉଛି ଆକାଶ, ଛାଟି ଦେଉଛି ଇନ୍ଦ୍ରଧନୁର ତମ୍ବୁ, ଶବ୍ଦର ବଞ୍ଚୁ ଘସାଘସିରେ ପାହି ଯାଉଛି ରାତି, ଶୁଣୁଛି ସକାଳ ନଈର, କାକଳିର, ଶୁଣୁଛି ସକାଳ, କଲ୍ଲୋଳର ଓ କହୁଛି, ଶବ୍ଦ ବି ଭୋକ ମେଣ୍ଟେଇପାରେ ଗୋଟାଏ ସଭ୍ୟତାର, ଖାଲି ଶବ୍ଦ ପ୍ରତି ଭୋକ ଥିବା କଥା, ତାକୁ ପଚାରନା ସେ କାହିଁକି ଲେଖେ?

(ମୁଖବନ୍ଧ: ସବୁକାନ୍ଥ ଏବେ ମାୟା)

LEAVE A REPLY

Please enter your comment!
Please enter your name here