Latest Odisha News

BREAKING NEWS

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ 

(ସାଇଡ଼ ଇଫେକ୍ଟ- ଦ୍ଵିତୀୟ)

କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ । କରୋନାଜନିତ ଆର୍ଥିକ ଅନଗ୍ରସର ବାପା ଉପରେ ଦାନ୍ତ ନିକୁଟେଇ ଦେଖେଇ ହେଉଥିଲେ ହେଁ ମନେ ମନେ ଭାବୁଥିଲା କଣ ଦରକାର ଥିଲା ଧନର ଏତେ ନମ୍ବର ରଖିବା ! ଆଉ କୋଉ ମଧୁ ବାବୁ ବଞ୍ଚିଛନ୍ତି ଯେ ଧନ କଳା ଘୋଡା ଚଢ଼ି ତାଙ୍କ ସହ ଲଢ଼ିବାକୁ ଯିବ ! ଅଳ୍ପ ନମ୍ୱର ରଖି ଯାହିତାହି ପାସ କରିଯାଇଥିଲେ କେଉଁ ବେଦ ଅଶୁଦ୍ଧ ହୋଇଯାଇଥାନ୍ତା !

ପୁଅକୁ ତାର ସଦ୍ୟ ଡାଉନଲୋଡ଼ ହୋଇଥିବା ମାର୍କ ସିଟକୁ ଠାକୁରଙ୍କ ସାମ୍ନାରେ ଥୋଇ ଭକ୍ତିରେ ଗୁଣୁଗଣେଇ ପାର୍ଥନା କରୁଥିବା ଦେଖି କୌତୂହଳ ହେଲା । ସନ୍ଧ୍ୟା ପ୍ରାର୍ଥନାକୁ ବହୁ ଟଣାଟଣିରେ ହାଜିରା ପକାଉଥିବା ଧନ ଅବେଳଟାରେ ଠାକୁରଙ୍କ ପାଖରେ ଆଣ୍ଠୁ ମାଡ଼ି ଭକ୍ତି କରୁଥିବା ଦେଖି ଟିକେ ଅଖାଡୁଆ ଲାଗିଲେ ବି ବାପା ହୃଦୟରେ ଖୁସି ହେଲି । ପୁଅ ଠାକୁର ଘରୁ ବାହାରିଲା ପରେ ପଚାରିଲି ,” ଧନ ଆଜି ଠାକୁରଙ୍କୁ ଏତେ ଭକ୍ତିରେ କଣ ପାର୍ଥନା କରୁଥିଲୁ ? ଧନ ଟିକେ ଲାଜ ଲାଜ ହୋଇ କହିଲା , “ମୁଁ ଆଜି ପ୍ରଭୁଙ୍କୁ କହିଲି ପ୍ରଭୁ ତୁମ ମହିମା ଅପାର, ତୁମେ ଯଦି ସତ୍ୟ ହୋଇଥାଅ , ତୁମେ ଯଦି ସତରେ ସର୍ବଶକ୍ତିମାନ ତେବେ ଏମିତି କର ଯେମିତି ଦେଶରୁ କରୋନା କେବେ ନଯାଉ । ଆମର ଏମିତି ଅନଲାଇନ କ୍ଲାସ ଓ ପରୀକ୍ଷା ହେଉଥାଉ । ମୁଁ ଏମିତି ଟପର ହେଉଥାଏ । ସବୁ କଥାରେ ଗରଗର ହେଉଥିବା ମାମା ସମସ୍ତଙ୍କ ଆଗରେ ମୋର ପ୍ରଶଂସା କରୁଥାଉ । ଧନ କଥା ଶୁଣି ମୋ ହାଲୁକ ଶୁଖିଗଲା । ପାଟିକୁ ବଚନ ପଇଟିଲାନି । ନିଜକୁ ସମ୍ଭାଳିନେଇ ଧନକୁ କୋଳେଇ ନେଲି । କହିଲି , ତୁ ସତରେ କେତେ ନିଷ୍କପଟ, ସ୍ପଷ୍ଟବାଦୀ । ତୋ ବାପା ହିସାବରେ ମୁଁ ଗର୍ବିତ । ଧାର କରଜ କରେ ପଛେ ଆଜି ନିଶ୍ଚେ ବନ୍ଧୁ ବାନ୍ଧବଙ୍କ ଘରେ ମିଠା ବାଣ୍ଟିବି । ସମ୍ପୂର୍ଣ୍ଣ ଦରମା ନେଇ ଘରେ ବସି ମଜ୍ଜା କରୁଥିବା ଅଫିସ ଖଟି ପ୍ରିୟମାନଙ୍କ ସର୍ବସାଧାରଣରେ ଅଫିସ ନଖୋଲିବା ହେତୁ କିପରି ମାନସିକ ଭାବେ ମର୍ମାହତ ଭଳି କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଫିସର ମାନଙ୍କଠାରୁ ତୁ କେତେ ଅଲଗା ।

କରୋନା ଜନିତ ୱର୍କ ଫ୍ରମ ହୋମର ମଜା ନେଉଥିବା ଲୋକମାନେ ଶୟନେ ସପନେ ନିଜର କର୍ମସ୍ଥଳୀକୁ ଝୁରୁଥିବା ଭଳି ମର୍ମଭେଦୀ ଭାଷଣ ଦେଉଥିବା ଛଳନା ପ୍ରିୟ ଅଧିକାରୀଙ୍କଠାରୁ ତୁ ସତରେ କେତେ ଉଚ୍ଚରେ ! ମୋର ବିଶ୍ୱାସ ଯଦି ସତରେ ଭଗବାନ ବୋଲି କିଏ ଥା’ନ୍ତି ତୋର ଏହି ଆନ୍ତରିକ ପାର୍ଥନା ନିଶ୍ଚେ ଶୁଣିବେ । ନଚେତ ଈଶ୍ୱରଙ୍କ ଉପରୁ ଏ ଦେଶର କୋଟି କୋଟି କୋମଳମତି ପିଲାଙ୍କ ଭରସା ଉଠିଯିବ ।

ତେଲଲୁଣର ସଂସାରର ଛିଣ୍ଡା ଚପଲକୁ ଏହି ବିପତ୍ତି କାଳରେ ଘୋଷାରି ଚାଲିଥିବା ଏ ଅଧମ ବାପା ସିନା ଧନର ନିରୀହ ନିବେଦନ ଆଗରେ ଚୁପ୍ ରହିଲା କିନ୍ତୁ ଏକ ଅଜଣା ଭୟରେ ଶିତେଇଗଲା । କେମିତି ବୁଝେଇବି ବିପର୍ଯ୍ୟସ୍ତ ହୋଇପଡିଥିବା ଜଗତରୁ କରୋନାକୁ ହଟେଇବା ପାଇଁ ତାର ଏହି ବାପା କେତେ ଥାଳି ପିଟିଛି । କେତେଥର ଦୀପ ଜାଳି ଗୋ କରୋନା ଗୋ ପାର୍ଥନା କରିଛି । ମହାମାରୀ ଯୋଗୁଁ ନିଜର ଆର୍ଥିକ ଅବସ୍ଥା ପାଇଁ କେତେ ଭଗବାନଙ୍କୁ ଡାକିଛି । ଭଗବାନ ଯଦି ସତରେ ଧନର ପାର୍ଥନା ଶୁଣନ୍ତି ତେବେ ତାର ଏ ବାପର କି ଅବସ୍ଥା ହେବ । ମୋତେ ଚୁପ୍ ରହିବା ଦେଖି ଧନ କଣ ବୁଝିଲା କେଜାଣି ମୋ କାନ୍ଧରେ ଆଉଜି କହିଲା ,” ସ୍କୁଲ ଖୋଲୁନି ବୋଲି ତୁମର ମନଦୁଃଖ ନା ବାପା ? ମୁଁ ଆରଥରକ ପ୍ରାର୍ଥନାରେ ମାଗିବି ରଜ ପରେ ସବୁ ସ୍କୁଲ ଖୋଲି ଯାଉ । ” ମୁଁ ତା କୋମଳ ମୁହଁକୁ ଅନେଇ କହିଲି ନାହିରେ ମୁଁ ବିଚରା ଭଗବାନଙ୍କ କଥା ଭାବୁଛି । ଏପଟୁ ମାରିଲେ ଗୋ ହତ୍ୟା ସେପଟୁ ମାରିଲେ ବ୍ରହ୍ମହତ୍ୟା । ଏବେ ସେ କି ହରଡ଼ଘଣାରେ ନ ପଡିଲେ ସତେ । ହାତଯୋଡି କହିଲି ହେ ଲୀଳାମୟ ଈଶ୍ୱର । ତୁମ ଲୀଳା ଅପାରପାର । ଏ କି ନାଟ ଲଗେଇଛ । ଏବେ ତୁମେ ନିଷ୍କପଟ ନିରୀହ ପିଲାଙ୍କ ପାର୍ଥନା ଶୁଣିବ ନା ବିପର୍ଯ୍ୟସ୍ତ ଧରିତ୍ରୀର ଆକୁଳ ନିବେଦନ । ହଉ ଦେଖାଯାଉ କି ନ୍ୟାୟ କରୁଛ । ହୋ ସାଆନ୍ତେ, ହୋ ମଣିମା କଣ ଶୁଣିବା ହେଉଛି ନା ନାହିଁ ।

ବନମାଳୀ ଭବନ, ଖାନନଗର, କଟକ

Leave A Reply

Your email address will not be published.