Latest Odisha News

BREAKING NEWS

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି ।

ସ୍ଥାନୀୟ ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଏହି ମହୋତ୍ସବର ‘ସୁରଭି’ର ଦ୍ୱିତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି, ଭାବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ପିଲାମାନେ ନିଜ ପ୍ରତିଭାର ପ୍ରଦର୍ଶନ କରି ଦେଶ ଓ ଜାତିର ନାମକୁ ଗୌରବାନ୍ୱିତ କରନ୍ତୁ । ଯେଉଁ ଦେଶର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ ଉନ୍ନତ ବୋଲି ସେ ମତବ୍ୟକ୍ତ କରିଥିଲେ । ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟର ବିକାଶ ପଥର ପଥିକ । ଆମ ଦେଶ ଚନ୍ଦ୍ରଯାନ ସହ ଆଦିତ୍ୟ ମିଶନ ସଫଳତାର ସହ ପ୍ରେରଣ କରିଛି । ଏହି ସଫଳତାରୁ ଅନୁପ୍ରାଣିତ ହୋଇ ପିଲାମାନେ ଭବିଷ୍ୟତ ଗଠନ କରିବା ନେଇ ଅତିଥିମାନେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍. , ଓଡି଼ଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶିକା ଜାମିନୀ ଷଡଙ୍ଗୀ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଟିଇ ଏବଂ ଏସ୍ସିଇଆର୍ଟିର ନିର୍ଦ୍ଦେଶକମନୋଜ କୁମାର ପାଢ଼ୀଙ୍କ ସହ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯାୟରେ ଆୟୋଜିତ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’ ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ୟୁନିସେଫ୍ର କ୍ଷେତ୍ର ଅଧିକାରୀ ଉଇଲିୟମ୍ ହ୍ୟାଣ୍ଡଲନ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ‘ମିଟ୍ ଦ ପର୍ସନାଲିଟି’ ଅଧିବେଶନରେ ଓଡି଼ଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଲପତି ଦତ୍ତେଶ୍ୱର ହୋତା, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଓଡି଼ଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଅଭିନେତା ସବ୍ୟସାଚୀ ମିଶ୍ର, ଚଳିତ ଓଡି଼ଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୁଚିସ୍ମିତା ପାଣିଗ୍ରାହୀ ଓ ଚଳିତ ମାଟ୍ରିକ୍ ପରୀକ୍ଷାରେ ଟପର୍ ଥିବା ଶ୍ରେୟାଶ୍ରୀ ଜେନା ପ୍ରମୁଖ ଯୋଗ ଦେଇ ନିଜ ସଫଳତାର କାହାଣୀ କହିଥିଲେ ।

Leave A Reply

Your email address will not be published.