Latest Odisha News

କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା: ଶ୍ରାବଣୀ

ଭୁବନେଶ୍ୱର: ଆମେ ଭାବୁ ଯେ ସାମ୍ବାଦିକତା କେବଳ ଖବର ସଂଗ୍ରହ କରି ତାହାକୁ ପ୍ରକାଶ କରିବା । କ୍ରୀଡ଼ା ସାମ୍ବାଦିକମାନେ ଖେଳ ବିଷୟରେ ଲେଖନ୍ତି । କିନ୍ତୁ ଏହି ଲେଖା ଭିତରେ ଲୁକ୍କାୟିତ ହୋଇ ରହିଥାଏ ଏମିତି କିଛି ପ୍ରେରଣା, ଯାହା ଛୋଟପିଲା ଓ ଯୁବବର୍ଗଙ୍କୁ ବେଶ ପ୍ରଭାବିତ କରିଥାଏ ବୋଲି କହିଛନ୍ତି ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ।

ମଦର୍ସ ସ୍କୁଲ୍ ବାସ୍କେଟବଲ୍ କୋର୍ଟରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ କହିଛନ୍ତି, ମୋ ଖେଳ ଜୀବନ ମଧ୍ୟ ଏମିତି ଆରମ୍ଭ ହୋଇଥିଲା । କ୍ରୀଡ଼ା ପୃଷ୍ଠାରେ ଜଣଙ୍କ ଫଟୋ ବାହାରିଥିଲା । ତାହା ଦେଖି ଉତ୍ସାହିତ ହୋଇଥିଲି ଏବଂ ତାହା ମୋତେ ପ୍ରେରଣା ଦେଇଥିଲା ଯେ ଦିନେ ମୋ ଫଟୋ ବି ଖବର କାଗଜରେ ବାହାରିବ । ତା ପରେ ମୁଁ ଆଉ ପଛକୁ ଫେରିନି । ମୁଁ ଆଜି ଯେଉଁଠି ବି ପହିଞ୍ଚି ପାରିଛି ତାହାର ପ୍ରଥମ ଶ୍ରେୟ ଦେବି କ୍ରୀଡ଼ା ସାମ୍ବାଦିକମାନଙ୍କୁ । ଯେଉଁମାନେ ଆମର ଚିରନମସ୍ୟ ।

ଓସଜା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱରର ବିଭିନ୍ନ ସ୍କୁଲର ପିଲାମାନଙ୍କୁ ନେଇ ବ୍ଲୁ ଓ ରେଡ୍ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଏହି ଅବସରରେ ଆୟୋଜିତ ହୋଇଥିଲା ।

ଉଦବୋଧନ ଦେଇ ଶ୍ରୀ ମହାନ୍ତି କହିଲେ, ‘ଜଣେ ବିଦ୍ୱାନ କହିଥିଲେ, ସବୁ ଦିନ ଚା ପିଇଲା ବେଳେ ଖବରକାଗଜର ଶେଷ ପୃଷ୍ଠାଟି ପ୍ରଥମେ ପଢ଼େ । କାରଣ ଏହି ପୃଷ୍ଠାରେ ମଣିଷର ସଫଳତାରେ ବିଷୟ କମ୍ ଥାଏ । ଏଥିରୁ ଜାଣି ପାରୁଥିବେ କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ କଣ ? କ୍ରୀଡ଼ା ଜୀବନକୁ କେବଳ ସୁସ୍ଥ ସବଳ କରି ଗଢ଼ି ତୋଳେ ନାହିଁ ବରଂ ଏହା ତୁମ କ୍ୟାରିୟର ଗଢ଼ିବାରେ ସହାୟକ ହେବ ବୋଲି କାର୍ଯ୍ୟକାରୀ ହେବ ବୋଲି କହିଥିଲେ କେ. ରବି ।

ଓସଜା ସଭାପତି ସନ୍ଦୀପ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ, ସାମ୍ବାଦିକତାରେ କ୍ରୀଡ଼ା ସାମ୍ବାଦିକତା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ସେତିକି ନିଷ୍ଠା ଓ ମନଯୋଗ ନଥିଲେ ଜଣେ କ୍ରୀଡ଼଼ା ସାମ୍ବାଦିକ ହୋଇ ପାରିବ ନାହିଁ । ଦୀର୍ଘ ବର୍ଷ ହେଲା ଓସଜା ପକ୍ଷରୁ ପ୍ରତିବର୍ଷ ଏହି ଦିବସ ଆମେ ପାଳନ କରି ଆସୁଛୁ । ଏଥର ଆମେ ବାସ୍କେଟବଲ୍ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ । ଏତେ ସଂଖ୍ୟାରେ ପିଲାମାନେ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ । ତୁମେମାନେ ବହୁତ ଭଲ ଖେଳୁଛ ଏବଂ ଆଗକୁ ଆହୁରି ଭଲ ଖେଳିବ ବୋଲି ମୋର ଆଶା । ଓସଜାର ବରିଷ୍ଠ ଉସଭାପତି ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବାସ୍କେଟବଲ୍ କୋଚ୍ ଅରୁଣ କୁମାର ମିଶ୍ର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ ଏବଂ ପରିଚାଳନାରେ ସହଯୋଗ କରିଥିଲେ । ଓସଜା ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, ସଦସ୍ୟ ସନ୍ତୋଷ କୁମାର ମହାନ୍ତି, କୁମାର ବିମଳ ଓ ଶକ୍ତିପ୍ରସାଦ ନନ୍ଦ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.