Latest Odisha News

BREAKING NEWS

ଜୁଲାଇରେ ଓଡିଶା ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବେ । ସମସ୍ତ ଡିସଚାର୍ଜ ପ୍ରୋସେସ୍ ଆରମ୍ଭ ହୋଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଆସନ୍ତା ଜୁଲାଇ ମାସ ୨ୟ ସପ୍ତାହ ବେଳକୁ ସେମାନେ ଓଡିଶା ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶାପ୍ରକଟ କରାଯାଉଛି ।

ଜୁନ୍ ୨୯ ତାରିଖରେ ହେବାକୁ ଥିବା ଏମ୍ସ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚ-ସ୍ତରୀୟ ବୈଠକରେ ଏସମ୍ପର୍କରେ ନିର୍ଣ୍ଣୟ ହେବ ବୋଲି ସୂଚନା ମିଳିଛି ।

ମେ’ ୩୧ ତାରିଖରେ ଗଣମାଧ୍ୟମକୁ ସୂଚନା ଦେଇ ଏମ୍ସର ଜଣେ ଡାକ୍ତର କହିଥିଲେ, ଉଭୟ ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ବର୍ତ୍ତମାନ ସମୟରେ ସେମାନଙ୍କୁ ଆଇସିୟୁ କିମ୍ବା ସ୍ୱତନ୍ତ୍ର ୱାର୍ଡରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଜଗା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବାବେଳେ କାଳିଆ ଟ୍ୟୁବ୍ ପରିବର୍ତ୍ତେ ପାଟିବାଟେ ଖାଦ୍ୟ ଗ୍ରହଣ କରୁଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜୁନମାସ ଶେଷ ସୁଦ୍ଧା ଏହି ଦୁଇ ଶିଶୁଙ୍କୁ ଓଡିଶା ସ୍ଥାନାନ୍ତର କରାଯିବା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଜଣେ ଡାକ୍ତର ଓ ନର୍ସଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ଓଡିଶା ଆଣିବାକୁ ଓଡିଶା ସରକାର ପ୍ରସ୍ତାବ ଦେଇଥିଲେ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ଓଡିଶାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୨ ଶିଶୁଙ୍କୁ ଓଡିଶା ପଠାଯିବ ।

ଆହୁରି ମଧ୍ୟ ରାଜ୍ୟ ସରକାର ଉଭୟଙ୍କ ଚିକିତ୍ସା ଓ ବର୍ତ୍ତମାନର ସ୍ଥିତି ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ରିପୋର୍ଟ ମାଗିଥିବା ଜଣାପଡିଛି ।

Leave A Reply

Your email address will not be published.