Latest Odisha News

BREAKING NEWS

ଓଡ଼ିଶାରେ ନୂଆ ନୁହେଁ ନେତା, ମନ୍ତ୍ରୀଙ୍କୁ ଗୁଳି; ପୂର୍ବରୁ ୫ ଜଣ ଏମିତି ହୋଇଛନ୍ତି ଗୁଳିର ଶିକାର

ଭୁବନେଶ୍ବର : କାହିଁକି ନେତା, ମନ୍ତ୍ରୀଙ୍କ ପ୍ରତି ଏତେ ଆକ୍ରୋଶ ? କାହିଁକି ଜନତା ନିଜ ନିର୍ବାଚିତ ନେତାଙ୍କ ଉପେର ଏମିତି ରାଗ ସୁଝାନ୍ତି ? ନେତା, ମନ୍ତ୍ରୀଙ୍କୁ କାହିଁକି ଏମିତି ଗୁଳିର ଶିକାର ହେବାକୁ ପଡେ ?  ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବନାସ ଜୀବନ ଚାଲିଗଲା । ତାହା ପୁଣି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କମର୍ଚାରୀଙ୍କ ଗୁଳିରେ । ଏପରି ଘଟଣା ଅବଶ୍ୟ ଇତିହାସରେ ପ୍ରଥମ । କିନ୍ତୁ ଜଣା ନେତା  ତଥା ମନ୍ତ୍ରୀ ଗୁଳିମାଡର ଶିକାର ହେବା ନୂଆ ନୁହେଁ ।

୨୦୦୦ ମସିହାକୁ  ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଉପରେ ଦୃଷ୍ଟି ପକାଇେଲ ଦେଖିବା ଅନେକ ନେତା ଏମିତି ଗୁଳିମାଡର ଶିକାର ହୋଇଛନ୍ତି । କିଏ ବର୍ତ୍ତି ଯାଇଛନ୍ତି, କିଏ ଚାଲି ଯାଇଛନ୍ତି । ଆଜି ନବଦାସଙ୍କ ମୃତ୍ୟୁ ପରେ ପୁଣି ସେହି ସବୁ ଘଟଣା ମନକୁ ଆସୁଛି ।

୨୦୧୧ ମସିହାରେ ତତ୍କାଳୀନ ବିଧାୟକ ଜଗବନ୍ଧୁ ମାଝିଙ୍କୁ ହତ୍ୟା କରାଯାଇଥିଲା  । ଆଉ ଠିକ ୧୨ ବର୍ଷ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଗଲା । ୨୦୧୧ ମସିହାରେ ନବରଙ୍ଗପୁର ଜିଲ୍ଲା ଉମରକୋଟର  ବିଜେଡି ବିଧାୟକ ଥିଲେ ଜଗବନ୍ଧୁ ମାଝି । ରାଇଘର ବ୍ଲକରେ ଜମିପଟ୍ଟା ବାଣ୍ଟୁଥିବାବେଳେ ସେ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଫଳରେ ଉଭୟଙ୍କର ଜୀବନ ଚାଲିଯାଇଥିଲା । ଜଣେ ବିଧାୟକଙ୍କ ଉପରକୁ ଗୁଳିମାଡ ହେବା ଏବଂ ଏଥିରେ ଜୀବନ ଯିବା ପ୍ରଥମ ଘଟଣା ଥିଲା ।

୨୦୨୩ ଜାନୁଆରୀରେ ଅର୍ଥାତ ୧୨ ବର୍ଷ ପରେ ପଡିଲା ଜଣେ ମନ୍ତ୍ରୀଙ୍କ ପାଳି ।  ରବିବାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ନବ ଦାସ ଗାଡ଼ିରୁ ଓହ୍ଲାଉ ଓହ୍ଲାଇ ସେଠାରେ ମୁତୟନ ଥିବା ଗୋପାଳ କୃଷ୍ଣ ତାଙ୍କ ଉପରକୁ ଅତି ନିକଟରୁ ଗୁଳି କରୁଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏଠି କହିରଖିବୁ, ଏହା ପୂର୍ବରୁ ମନ୍ତ୍ରୀ ଗୁଳିମାଡର ଶିକାର ହୋଇଛନ୍ତି । ପ୍ରଥମ ଥର ପାଇଁ ତତ୍କାଳୀନ ଆଇନ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ଗୁଳିମାଡର ଶିକାର ହୋଇଥିଲେ । ପୁରୀରେ ଏକ କାର୍ଯ୍ୟକ୍ରମ ସାରି ସ୍କୁଟିରେ ଫେରୁଥିବାବେଳେ ତାଙ୍କ ଘର ନିକଟରେ  ଗୁଳିମାଡ ହୋଇଥିଲା । ସେ ଗାଡିରୁ ଗଳି ପଡିଥିଲେ । ତେବେ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଏହା ପୂର୍ବରୁ ମଧ୍ୟ ଥରେ ଶ୍ରୀ ମହାନ୍ତିଙ୍କ ଉପରେ ଥରେ ଶାବଳ ମାଡ଼ ହୋଇଥିଲା।

ସେହିପରି ୨୦୦୯ ଅକ୍ଟୋବର ମାସରେ ତତ୍‌କାଳୀନ ଜେଏମ୍‌ଏମ୍‌ ସାଂସଦ ସୁଦାମ ମାର୍ଣ୍ଡି ଗୁଳି ମାଡ଼ର ଶିକାର ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବୋଠାରେ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ଯାଇଥିବା ସମୟରେ ଗୁଳି ହୋଇଥିଲେ ହେଁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ ।  ତେବେ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ଏଏସ୍‌ଆଇ, ଜଣେ ‌କନେଷ୍ଟବଳ ଓ ତାଙ୍କର ପିଏସ୍‌ଓଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟଏକ ଘଟଣା ଘଟିଥିଲା ବଲାଙ୍ଗୀର ଜିଲ୍ଲାରେ ୨୦୧୩ ଡିସେମ୍ବର ୧୫ ତାରିଖରେ । ବର୍ତ୍ତମାନର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକିନି ସାହୁଙ୍କ ସ୍ୱାମୀ ତଥା ତତ୍କାଳୀନ ବିଧାୟକ ଅଭିମନ୍ୟୁ ସାହୁ ମଧ୍ୟ ଗୁଳିମାଡର ଶୀକାର ହୋଇଥିଲେ । ସକାଳୁ ସକାଳୁ ମର୍ଣ୍ଣିଂୱାକରେ ଯାଇଥିବାବେଳେ ଗୁଳିମାଡ ହୋଇଥିଲା । ତାଙ୍କୁ ତୁରନ୍ତ ଟିଟିଲାଗଡ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ  ମୃତ ଘୋଷଣା କରାଯାଇଥିଲା ।

୨୦୦୭ରେ ଚମ୍ପୁଆର ତତ୍‌କାଳୀନ କଂଗ୍ରେସ ବିଧାୟକ ଧୁନର୍ଜୟ ସିଦ୍ଧୁଙ୍କ ଉପରକୁ ମଧ୍ୟ ବଡ଼ବିଲ୍‌ରେ ଗୁଳିମାଡ ହୋଇଥିଲା। ତେବେ ଶ୍ରୀ ସିଦ୍ଧୁ ବର୍ତ୍ତିଯାଇଥିଲେ।

ଏଠି ଆଉ ଏକ ଘଟଣା ମନେ ପକାଇ ଦେବାକୁ ଚାହିଁବୁ ଯାହା ଆଜିର ଘଟଣା ସହ ଅନେକ ସାମଞ୍ଜସ୍ୟ ରଖୁଛି । ଯଦିଓ ସେ ମନ୍ତ୍ରୀ ନୁହଁନ୍ତି ତେବେ ସେ ଥିଲେ ଜଣେ ପୋଲିସ ଅଫିସର । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଯଶବିନ୍ଦର ସିଂ । ୨୦୦୬ ଅକ୍ଟୋବର ୨୪ ତାରିଖରେ ଯଶବିନ୍ଦର ରାୟଗଡା ଅଭିମୁଖେ ଯାଉଥିବାବେଳେ  ଲକ୍ଷ୍ମୀପୁର ନିକଟରେ ତାଙ୍କର ୨ ସୁରକ୍ଷା କର୍ମୀ ଶଶାନନ୍ଦ ଷଡଙ୍ଗୀ ଓ ଆଶୀଷ ଷଡଙ୍ଗୀ ତାଙ୍କ ଉପରକୁ ଅତିନିକଟରୁ ଗୁଳି କରିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଡିଆଇଜିଙ୍କର ମୃତ୍ୟୁ ଘଟିଥିଲା ।

ଯାହା ବି ହେଉ, ଏପରି ଘଟଣା ଖାଲି ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ଚାଲେଞ୍ଜ ନୁହେଁ, ନେତା-ଜନତାଙ୍କ ମଧ୍ୟରେ ଏପରି ହିଂସା, ପ୍ରତିହିଂସା ଭାବ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

Leave A Reply

Your email address will not be published.