Latest Odisha News

ଭୁବନେଶ୍ୱରରେ କାର-ବାଇକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଉତ୍ତରାଛକରେ ଶୁକ୍ରବାର ରାତିରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୬ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂତ୍ରରୁ ପ୍ରକାଶ, ଉତ୍ତରାଛକ ନିକଟ ଗୁଡ଼ିଆପୋଖରୀ ରାସ୍ତାରେ ଓଆର.୦୨ ବିଏଲ. ୭୫୭୫ ନମ୍ବର କାର୍ ଏକ ବାଇକକୁ ପ୍ରଚଣ୍ଡ ଧକ୍କା ଦେଇଥିଲା । କାରଟି ବାଇକକୁ ଧକ୍କା ଦେଇ ନିୟନ୍ତ୍ରଣ ହରାଇବା ଫଳରେ ନିକଟସ୍ଥ ନାଳ ମଧ୍ୟକୁ ଖସି ପଡ଼ିଥିଲା । ତେବେ ଘଟଣାସ୍ଥଳରେ ହିଁ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ସମସ୍ତ ୪ଜଣ ଯାତ୍ରୀ ନାଳ ମଧ୍ୟରେ ଥିବା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶୁକ୍ରବାର ରାତି ୧୦.୧୦ରେ ଘଟିଥିବା ସୂତ୍ରରୁ ପ୍ରକାଶ ।

ଉତ୍ତରାଛକରେ ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ୨ ବାଇକ ଆରୋହୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଭ୍ୟାନ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ପରେ ଦମକଳ ବାହିନୀର କର୍ମଚାରୀଙ୍କ ଦ୍ୱାରା କାରରେ ଥବା ୪ଜଣ ମୃତକଙ୍କ ଶବ ନାଳ ମଧ୍ୟରୁ ଉଦ୍ଧାର କରାଯାଇଥିଲା ।

ଏହି ସଡ଼କ ଦୁର୍ଘଟଣାରେ ୨ ମୃତକ ବାଇକ ଆରୋହୀ ହେଲେ ପିପିଲି ଲକ୍ଷ୍ମୀନାରାୟଣପୁର ଗ୍ରାମର ପ୍ରଭାକର ପ୍ରଧାନ (୩୫) ଏବଂ ଲକ୍ଷ୍ମୀପ୍ରିୟା ପ୍ରଧାନ (୬୦) ।

କାରରେ ଯାଉଥିବା ମୃତକମାନେ ହେଲେ ପିପିଲି ଥାନା ଅଞ୍ଚଳ ନେମାଳ ଗ୍ରାମର ଅନିରୁଦ୍ଧ ବାରିକ, ଦୀପାଞ୍ଜଳି ବାରିକ ଓ ସେମାନଙ୍କର ୩ବର୍ଷର ଝିଅ ଶ୍ରୀୟା ଏବଂ ୫୦ ବର୍ଷ ବୟସ୍କ ନେତ୍ରମଣୀ ବେହେରା ।

ଏହି ଦୁର୍ଘଟଣା ସମ୍ପର୍କରେ ଖବରପାଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ତୁରନ୍ତ ଘଟଣାସ୍ଥଳକୁ ଯାଇ ଆହତ ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

Leave A Reply

Your email address will not be published.