Latest Odisha News

BREAKING NEWS

ଭୁବନେଶ୍ବର ମଧ୍ୟ : ବିଦ୍ରୋହୀ ବିଗାଡିବେ ଖେଳ !

ଭୁବନେଶ୍ବର: ଟିକେଟ୍ ଘୋଷଣା ପରଠୁ ହିଁ ଚର୍ଚ୍ଚାରେ ରହିଥିଲା ଭୁବନେଶ୍ବର ମଧ୍ୟ ଆସନ । ବିଜେଡି ଟିକେଟ୍ ପାଇଁ ହୋଇଥିଲା ବଳ କଷାକଷି। ଅନନ୍ତ ଜେନାଙ୍କୁ ପ୍ରବଳ ବିରୋଧ ସତ୍ତ୍ବେ ପ୍ରାର୍ଥୀ କରିଛି ବିଜେଡି । ଆଶାୟୀଙ୍କୁ ଦଳ ପକ୍ଷରୁ ଥଇଥାନ ତ କରାଯାଇଛି, ହେଲେ କେଉଁ ଆଡକୁ ଢଳିବେ, ସେନେଇ ଦ୍ବନ୍ଦ୍ବ ରହିଛି । ସେପଟେ ବିଜେପି ପୁଣି ଜଗନ୍ନାଥ ପ୍ରଧାନଙ୍କୁ ରିପିଟ୍ କରିଛି ତ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରକାଶ ଜେନା । ତେବେ ବିଦ୍ରୋହୀ ବଦଳାଇବେ କି ଭୁବନେଶ୍ବର ମଧ୍ୟ ବାଜି ?

ଅନନ୍ତଙ୍କୁ ଅଡୁଆ ଅସନ୍ତୋଷ !

ପ୍ରାର୍ଥୀ ଘୋଷଣା ପୂର୍ବରୁ ହିଁ ବୁନୁ-ବାଇଁଆ ବଳ କଷାକଷିକୁ ନେଇ ଉଠିଥିଲା ପଡିଥିଲା ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ । ବନ୍ଧୁ ମିଳନରୁ ନବୀନ ନିବାସ ଯାଏଁ ଜୋରଦାର ଲବି କରିଥିଲେ । ଶେଷରେ ଟିକେଟ୍ ହାସଲ କରିଥିଲେ ଅନନ୍ତ ଜେନା । ଅମରେଶ ଜେନାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ଥଇଥାନ କରିଛି ବିଜେଡି । ହେଲେ ନା ଅମରେଶ ଜେନା ନା ରୁଦ୍ର ସମାନ୍ତରାୟ କାହାକୁ ବି ପ୍ରଚାର ମଇଦାନରେ ଦେଖିବାକୁ ମିଳୁନି । ଏପରିକି ଆଶାୟୀଙ୍କ ସମର୍ଥକ ଅନନ୍ତ ଜେନାଙ୍କ ବିରୋଧରେ ଯାଇ ବିଜେପିକୁ ସମର୍ଥନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି ହେଲେ ବୁନୁଙ୍କ ପାଇଁ ସହଜ ହେବନି ଚବିଶ ଲଢେଇ ।

ବିଜେଡି କଳିରୁ ବିଜେପିକୁ ଫାଇଦା !

ଟିକେଟକୁ ନେଇ ଭୁବନେଶ୍ବର ମଧ୍ୟ ବିଜେଡିରେ ଅସନ୍ତୋଷ ରହିଛି । ହାଇକମାଣ୍ଡଙ୍କ ବୁଝାସୁଝା ପରେ ଯଦିଓ ଅସନ୍ତୁଷ୍ଟ ଆଶାୟୀ ଚୁପ୍ ରହିଛନ୍ତି, ତେବେ ସେମାନଙ୍କ ସମର୍ଥକ ବିଜେପି ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି । ବିଜେଡି କଳିର ଗୋଳିଆ ପାଣିରୁ ଫାଇଦା ନେବାକୁ ଉଦ୍ୟମ କରୁଛି ବିଜେପି। ବିଜେଡିର ଭୋଟ୍ ବିଭାଜନ ହେଲେ ବିଜେପିକୁ ସିଧାସଳଖ ଫାଇଦା ହୋଇପାରେ । ତେଣୁ ଅସନ୍ତୁଷ୍ଟଙ୍କ ନିରବତା ସତ୍ତ୍ବେ ବଦଳିପାରେ ଭୁବନେଶ୍ବର ମଧ୍ୟ ଆସନ ବାଜି ।

ଅନନ୍ତ ନା ଜଗନ୍ନାଥ

ଭୁବନେଶ୍ବର ମଧ୍ୟ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଗତଥର ମଧ୍ୟ ଅନନ୍ତ ଜେନା ଓ ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ୧୧ହଜାର ଭୋଟରେ ହାରିଥିଲେ ଜଗନ୍ନାଥ । ତେବେ ବିଜେଡିର ଭୋଟ୍ ପର୍ସେଣ୍ଟେଜ୍ କମିଥିବା ବେଳେ ବିଜେପି ଭୋଟ୍ ୧୨ପ୍ରତିଶତରୁ ଅଧିକ ବଢିଥିଲା । ତେଣୁ ଏଥର ବିଜେଡି କିଲ୍ଲା ଦଖଲ କରିବାକୁ ଜୋର୍ ଲଗାଇଛନ୍ତି ଜଗନ୍ନାଥ । ସେପଟେ ଅନନ୍ତଙ୍କ ପାଇଁ ବି ଏଥର ସମ୍ମାନର ପ୍ରଶ୍ନ । ଏଥରର ଫଳାଫଳ ତାଙ୍କର ଭବିଷ୍ୟତ ନିର୍ଣ୍ଣୟ କରିପାରେ । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ଜେନା ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରି ନିର୍ବାଚନ ଅଙ୍କ କଷୁଛନ୍ତି ।

କୁଆଡେ ଯିବ ବସ୍ତି ଭୋଟ୍ ?

ଭୁବନେଶ୍ବରରେ ପ୍ରାୟ ୫ଶହରୁ ଅଧିକ ବସ୍ତି ରହିଛି । ଭୁବନେଶ୍ବର ମଧ୍ୟରେ ୮୦ହଜାରରୁ ଅଧିକ ବସ୍ତି ଭୋଟରଙ୍କ ଉପରେ ରହିଛି ସବୁ ରାଜନୈତିକ ଦଳର ନଜର । ବିଜେଡି ହେଉ କି ବିଜେପି, ବିଧାୟକ ପ୍ରାର୍ଥୀ ଦଳୀୟ କର୍ପୋରେଟରଙ୍କୁ ସାଙ୍ଗରେ ଧରି ବସ୍ତିରେ ପ୍ରଚାର କରୁଛନ୍ତି । ବିଜେଡି ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ନେଇ ପହଞ୍ଚୁଛି ତ ୨୫ବର୍ଷର ବିଫଳତାର ଚିଠା ନେଇ ଭୋଟରଙ୍କୁ ପରିବର୍ତ୍ତନର ନାରା ଦେଉଛି ବିଜେପି । ବସ୍ତିବାସିନ୍ଦାଙ୍କୁ ପକ୍କା ଘର, ଜମିପଟ୍ଟା, ବିଜୁଳି, ପିଇବା ପାଣିର ପ୍ରତିଶ୍ରୁତି ଦେଉଛନ୍ତି । ରାଜଧାନୀର ବହୁ ଶିକ୍ଷତ ଭୋଟର ମତଦାନରୁ ଦୂରେଇ ରହୁଥିବା ବେଳେ, ବସ୍ତି ଭୋଟ୍ ଭୁବନେଶ୍ବର ମଧ୍ୟ ନିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ।

Leave A Reply

Your email address will not be published.