Latest Odisha News

BREAKING NEWS

ମାଗଣା ବିଜୁଳି: ପାଓ୍ବାର ରଖିବ ନା କାଟିବ

ଭୁବନେଶ୍ବର: ବିଜେଡି ପାଇଁ ମାଷ୍ଟରଷ୍ଟ୍ରୋକ୍ ହେବ କି ମାଗଣା ବିଜୁଳି ? ଭୋଟ୍ ପାଇଁ ଭେଳିକି ନା ଗରିବଙ୍କ ପାଇଁ ସଂଜୀବନୀ! ଶହେ ୟୁନିଟ୍ ମାଗଣା ବିଜୁଳି ହେବ କି ଗେମଚେଞ୍ଜର! ବିଜେଡିର ମାଗଣା ବିଜୁଳି, ବିରୋଧୀଙ୍କୁ ଦେବ କି ଝଟକା ? ଜୁଲାଇ ମାସରୁ ଦେବାକୁ ପଡିବନି ବିଜୁଳି ବିଲ୍ । ବିଜେଡିର ବିଭିନ୍ନ ବିଜ୍ଞାପନରେ ଏବେ ଏନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଛି । ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ସବୁ ସଭା ଓ ରୋଡ୍ ଶୋରେ ଏଇ କଥାକୁ ବାରମ୍ବାର ଦୋହରାଉଛନ୍ତି । ତେବେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିରେ କେତେ ଦମ୍ ? ନିର୍ବାଚନୀ ମାହୋଲ୍ ବଦଳାଇବାରେ ହେବ କି ମାଷ୍ଟରଷ୍ଟ୍ରୋକ୍ ?

ମାଗଣା ବିଜୁଳି କାହାକୁ ?

ବିଜେଡି ଇସ୍ତାହାର ଅନୁସାରେ, ରାଜ୍ୟରେ ଶହେ ୟୁନିଟରୁ କମ୍ ବିଜୁଳି ବ୍ୟବହାର କଲେ କୌଣସି ବିଲ୍ ଦେବାକୁ ପଡିବ ନାହିଁ । ସେହିପରି ଶହେରୁ ଦେଢ ଶହ ୟୁନିଟ୍ ବ୍ୟବହାର କରୁଥିଲେ ୫୦ୟୁନିଟ ରିହାତି ମିଳିବ । ଗ୍ରାମାଞ୍ଚଳର ସମସ୍ତ ବିଜୁଳି ଉପଭୋକ୍ତା ଏଥିରେ ଉପକୃତ ହେବେ । ସହରାଞ୍ଚଳର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ବି ଏହାର ଲାଭ ପାଇବେ ବୋଲି ବିଜେଡି କହିଛି । ଏପରିକି ଓଡିଶାରେ ୭୫ପ୍ରତିଶତ ପରିବାର ଶହେ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଛନ୍ତି । ସେହିପରି ୧୦ପ୍ରତିଶତ ଉପଭୋକ୍ତା ଶହେରୁ ଦେଢଶହ ୟୁନିଟ୍ ବିଜୁଳି ବ୍ୟବହାର କରୁଛନ୍ତି । ତେଣୁ ଜନସଂଖ୍ୟାର ପ୍ରାୟ ୮୫ପ୍ରତିଶତରୁ ୯୦ପ୍ରତିଶତ ଏହାର ଲାଭ ପାଇବେ ବୋଲି ବିଜେଡି ଦାବି କରୁଛି ।

ଶହେ ୟୁନିଟ୍ ବିଜୁଳି କେତେ ?

୫ଜଣିଆ ପରିବାର ଫ୍ୟାନ, ଲାଇଟ୍ ଓ ଟିଭି ଲଗାଇଲେ ମାସିକ ବିଲ୍ ଶହେ ୟୁନିଟ୍ ମଧ୍ୟରେ ରହିବ । ଅର୍ଥାତ ୨ରୁ ୩ଟି ଫ୍ୟାନ୍‌, ୪ରୁ ୫ଟି ବଲବ ଓ ଗୋଟିଏ ଟିଭି ଘରେ ଥିଲେ ରାଜ୍ୟ ସରକାରଙ୍କ ମାଗଣା ବିଜୁଳି ଯୋଜନାରୁ ଲାଭ ପାଇପାରିବେ । ତେବେ ଫ୍ୟାନ ଓ ଟିଭି ବି ହିସାବରେ ଲଗାଇବାକୁ ପଡିବ ବୋଲି ବିଶେଷଜ୍ଞ କହିଛନ୍ତି । ଘରେ ଏସି, କୁଲର କିମ୍ବା ପାଣି ପାଇପ୍ ମୋଟର ଥିଲେ ଅଧିକ ୟୁନିଟ୍ ବିଜୁଳି ଉଠିବ ।

ଦେଢ ଶହ ୟୁନିଟରୁ ଅଧିକ ହେଲେ ?

ପାଣିପାଗ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ଅଧିକ ଗରମ ଅନୁଭୁତ ହେଉଛି । ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତପରିବାର ମଧ୍ୟ ଖରା ତାପରୁ ରକ୍ଷା ପାଇବାକୁ ଏସି ନହେଲେ କୁଲର ବ୍ୟବହାର କରୁଛନ୍ତି । ଗ୍ରାମାଞ୍ଚଳରେ ବି ଏସି ଓ କୁଲର ବ୍ୟବହାର ବଢିଛି । କେବଳ ଶୀତଦିନକୁ ଛାଡିଦେଲେ ବର୍ଷର ଅଧିକାଂଶ ଦିନ ଦେଢ ଶହ ୟୁନିଟରୁ ଅଧିକ ବିଲ୍ ଆସିପାରେ । ବିଜେଡିର ଇସ୍ତାହାର ଅନୁସାରେ ଏଭଳି ସ୍ଥିତିରେ ଗ୍ରାହକଙ୍କୁ କୌଣସି ରିହାତି ମିଳିବ ନାହିଁ । ତେଣୁ ବିଜେଡିର ମାଗଣା ବିଜୁଳି ଯୋଜନାର କାର୍ଯ୍ୟକାରିତା ନେଇ ବି ପ୍ରଶ୍ନ ଉଠୁଛି ?

ମାଗଣା ବିଜୁଳି ପୁରୁଣା କଥା

ଦିଲ୍ଲୀରେ ବହୁ ପୂର୍ବରୁ ମାଗଣା ବିଜୁଳି ଯୋଜନା ଲାଗୁ ହୋଇଛି । ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ରହିଥିବା ବେଳେ ୨ଶହରୁ ୪ଶହ ୟୁନିଟ୍ ଯାଏଁ ବିଲ୍ ଅଧା ନିଆଯାଉଛି । ପଞ୍ଜାବରେ ମଧ୍ୟ ପ୍ରତିମାସ ୩ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯାଉଛି । କର୍ଣ୍ଣାଟକ ଓ ରାଜସ୍ଥାନରେ ବି ଶହେ ୟୁନିଟ୍ ମାଗଣା ବିଜୁଳି ଓ ବାକି ଶହେ ୟୁନିଟ୍ ପାଇଁ ସ୍ୱତନ୍ତ୍ର ଦର ଧାର୍ଯ୍ୟ କରାଯାଇଛି । ୨୪ବର୍ଷର ବିଜେଡି ଶାସନରେ ବିଜେଡି ପ୍ରଥମ ଥର ପାଇଁ ମାଗଣା ବିଜୁଳି କଥା କହିଛି । ବିଜୁଳି ବଳକା ରାଜ୍ୟ ହୋଇ ମଧ୍ୟ ଓଡିଶା ଗ୍ରାହକ ଆଜି ପର୍ଯ୍ୟନ୍ତ ବିଜୁଳି ରିହାତି ପାଉନାହାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ସରକାର ବିଜୁଳି ରିହାତି ଦେଇଥିଲେ ମଧ୍ୟ ପଛରେ ପଡିଥିଲା ଓଡିଶା ।

ଅନ୍ଧାରୀ ଇଲାକାରେ ମାଗଣା ବିଜୁଳି

ଏବେବି ରାଜ୍ୟର ଅନେକ ଅଞ୍ଚଳରେ ପହଞ୍ଚି ପାରିନାହିଁ ବିଜୁଳି । ଉପାନ୍ତ ଅଞ୍ଚଳର ଏସବୁ ଗାଁଲୋକେ ବିକାଶର ଆଢୁଆଳରେ ଅନ୍ଧାରରେ ବଞ୍ଚୁଛନ୍ତି । ସେମାନଙ୍କ ପାଇଁ ବିଜେଡି ଇସ୍ତାହାରର କୌଣସି ଅର୍ଥ ନାହିଁ । ସେହିପରି ବିଜୁଳି ବଳକା ରାଜ୍ୟ ହୋଇ ମଧ୍ୟ ଏବେବି ଅଘୋଷିତ ପାୱାରକଟରେ ଛଟପଟ ଲୋକେ ।

ରାଜନୀତିରେ ମାଗଣା ବିଜୁଳି

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ କହିଛି ବିଜେପି । ଲୋକଙ୍କୁ ଭ୍ରମିତ କରି ବୋକା ବନାଇବାକୁ ବିଜେଡି ମାଗଣା ବିଜୁଳି ଭେଳିକି କରୁଥିବା କହିଛି । ୨୪ବର୍ଷ ଧରି ରାଜ୍ୟ ସରକାର ମାଗଣା ବିଜୁଳି କି ସବସିଡି ଦେଇନାହାନନ୍ତି । ଏନଟିପିସିରୁ ତାମିଲନାଡୁକୁ ଶସ୍ତାରେ ବିଜୁଳି ଦିଆଯାଉଥିବା ବେଳେ ଓଡିଶାବାସୀ ଅଧିକ ଦରରେ ବିଜୁଳି ପାଉଥିବା ବିଜେପି ଅଭିଯୋଗ କରୁଛି । ଏପରିକି ଯଦି ମାଗଣାରେ ବିଜୁଳି ଦିଆଯିବ ତେବେ ମିଟର ହଟାଇବାକୁ ଦାବି କରିଛି ଦଳ । ସେପଟେ ମାଗଣା ବିଜୁଳିରେ ବିରୋଧୀଙ୍କୁ କରେଣ୍ଟ ଲାଗୁଥିବା କହି କଟାକ୍ଷ କରୁଛି ବିଜେଡି । ତେବେ ମାଗଣା ବିଜୁଳିକୁ କେତେ ଭରସା କରିବେ ଭୋଟର ? ବିଜେଡିକୁ ପୁଣି କ୍ଷମତା ଗାଦିରେ ବସାଇବ କି ?

Leave A Reply

Your email address will not be published.