Latest Odisha News

BREAKING NEWS

ସାପ ଖେଳାଇବା ହେଲା କାଳ: ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି

ଖୋର୍ଦ୍ଧା: କାଳ ହେଲା ସାପ ଖେଳାଇବା । ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ସାପ ଧରାଳି ଡମ୍ବରୁଧର ରାଉତରାୟ ଓରଫ କାଳିଆଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ କାଶିପୁରର ଜଣେ ଜନୈକ ବ୍ୟକ୍ତିଙ୍କ ଘରୁ ସାପ ଧରିବାକୁ ଯାଇଥିଲେ କାଳିଆ । ତେବେ ସାପଟିକୁ ଧରିବା ପରେ ତାକୁ ଜଙ୍ଗଲରେ ନ ଛାଡି ନିରାକାରପୁର ଷ୍ଟେସନ ବଜାର ନିକଟରେ ଲୋକଙ୍କ ଆଗରେ ଖେଳ ଦେଖାଉଥିଲେ । ସେତିକିବେଳେ ସାଧାରଣ ଅସାବଧାନତା ହେତୁ ନାଗ ସାପ ଟି ତାଙ୍କ ବାମ ହାତ ବିଶି ଆଙ୍ଗୁଠିକୁ କାମୁଡି ଦେଇଥିଲା । ଏହା ପରେ କାଳିଆ ଯାଇ ସ୍ଥାନୀୟ ମନ୍ଦିରରେ ଆଶ୍ରୟ ନେଇଥିଲେ ।

ପ୍ରାୟ ଦେଢ଼ ଘଣ୍ଟା ପରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ । କିନ୍ତୁ, କାଳିଆଙ୍କୁ କ୍ୟାପିଟାଲ ହସ୍ପିଟାଲ କିମ୍ବା ଏମ୍ସକୁ ନନେଇ ଦୁଇଟି ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ କିନ୍ତୁ ତାଙ୍କୁ ଫେରିବାକୁ ପଡିଥିଲା । ଶେଷରେ ତାଙ୍କୁ ଲୁଇସ୍ ରୋଡ ସ୍ଥିତ ଶ୍ରୀ ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ କାଳିଆ ଙ୍କର ମୃତ ଦେହ କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ପୋଷ୍ଟ ମର୍ଟମ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା ।

Leave A Reply

Your email address will not be published.