ନୂଆଦିଲ୍ଲୀ: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବ୍ଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି। ସରକାର ଏକ ବାର୍ଷିକ ଟୋଲ୍ ପାସ୍ ପ୍ରଚଳନ କରିବାକୁ ଯାଉଛନ୍ତି। ଏହି ପାସ୍ ପାଇଁ ଆପଣଙ୍କୁ କେବଳ ୩ ହଜାର ଟଙ୍କା ଦେବାକୁ ପଡିବ। ତା’ପରେ ଆପଣ ବର୍ଷସାରା କୌଣସି ବିନା ବାଧାରେ ଜାତୀୟ ରାଜପଥରେ ଯାତ୍ରା କରିପାରିବେ। କେବଳ ଏତିକି ନୁହେଁ, ଆପଣଙ୍କ ପାଖରେ ଲାଇଫଟାଇମ୍ ପାସର ବିକଳ୍ପ ମଧ୍ୟ ରହିବ। ଏଥିପାଇଁ ଆପଣଙ୍କୁ ଏକାଥରକେ ୩୦ ହଜାର ଟଙ୍କା ଦେବାକୁ ପଡିବ ଏବଂ ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଟୋଲ୍ ନଦେଇ ଜାତୀୟ ରାଜପଥରେ ଗାଡ଼ି ଚଲାଇପାରିବେ।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଯାତ୍ରୀ ମାତ୍ର ୩,୦୦୦ ଟଙ୍କାରେ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବା ଆସିବା କରିବାର ସୁବିଧା ମିଳିବ। ସେହିପରି ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ୩୦,୦୦୦ ଟଙ୍କାରେ ଉପଲବ୍ଧ ହେବ। ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧା ଲାଭ ମିଳିବ । ଆଉ ଟୋଲ ପ୍ଲାଜାରେ ଥିବା ଭିଡ଼ ମଧ୍ୟ କମ୍ ହେବ। ରିପୋର୍ଟ ମୁତାବକ, ଏହି ପ୍ରସ୍ତାବ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ଶେଷ ପର୍ଯ୍ୟାୟରେ ରହିଛି । ଏହାକୁ ନେଇ ମନ୍ତ୍ରଣାଳୟ କାର୍ ପାଇଁ ପ୍ରତି କିମି ଟୋଲ ଦରରେ ହ୍ରାସ କରିବା ପାଇଁ ବିଚାର କରୁଛି । ଏହାଦ୍ବାରା ହାଇୱେରେ ଯାତାୟତ କରୁଥିବା ଲୋକଙ୍କୁ ଆଶ୍ବସ୍ତି ମିଳିବ। ଏହି ନୂଆ ପାସ୍ ପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ନାହିଁ । ଏହା ଫାସଟାଗ୍ ସହିତ ଲିଙ୍କ କରାଯିବ ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଟୋଲ ପ୍ଲାଜାରେ ପାସ୍ ଯୋଜନା ଉପରେ କାମ ଚାଲିଛି। ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ନଗଦବିହୀନ ଚିକିତ୍ସା ସେବା ଅର୍ଥାତ୍ କ୍ୟାସଲେସ୍ ଟ୍ରିଟମେଣ୍ଟ୍ । ଏଥିପାଇଁ ଭାରତ ସରକାର ମାର୍ଚ୍ଚ ସୁଦ୍ଧା ଏକ ଯୋଜନା ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ। ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ। ଏହି ଯୋଜନା ଅଧୀନରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇଁ ଯୋଗ୍ୟ ହେବେ ।
Comments are closed.