ବାରିପଦା: ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବୁଧବାର ଦିନ ନିନ୍ଦା କରିଛି ବିଜୁ ଜନତା ଦଳ (ବିଜେଡି)।
ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଂସଦା କହିଛନ୍ତି ଯେ ଆଦିବାସୀ ମହିଳାଙ୍କ ବିଷୟରେ ଏପରି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ।
ଆହୁରି ମଧ୍ଯ କହିଛନ୍ତି ଯେ ସମ୍ପ୍ରତି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀ ଝିଅମାନେ ‘ସୁନ୍ଦର’ ନୁହଁନ୍ତି ଏବଂ ତାଙ୍କୁ କେଉଁଝର ଜିଲ୍ଲା ବାହାରେ କନ୍ୟା ଖୋଜିବାକୁ ପଡ଼ିଥିଲା। ଯାହା ସମ୍ପୂର୍ଣ୍ଣ ଆଦିବାସୀ ବିରୋଧୀ ବୟାନ। ତାଙ୍କର ବକ୍ତବ୍ୟ ସମସ୍ତ ଆଦିବାସୀ ମହିଳାଙ୍କ ପ୍ରତି ଅପମାନ ବ୍ୟତୀତ ଆଉ କିଛି ନୁହେଁ।
“ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ଆଦିବାସୀ ମହିଳାମାନଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଭାରତୀ ହାଂସଦା ।
ସେହିପରି ବିଜେଡି ନେତାମାନେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଆଦିବାସୀଙ୍କ ପ୍ରତି ବିଜେପି ସରକାରଙ୍କ ମନୋଭାବକୁ ପ୍ରତିଫଳିତ କରିଛି। ବିଜେପିର ଗତ ସାତ ମାସ ଶାସନ ମଧ୍ୟରେ ଓଡ଼ିଶାରେ ଆଦିବାସୀ ମହିଳାଙ୍କ ବିରୁଦ୍ଧରେ ଅପରାଧ ମଧ୍ୟ ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି।
Comments are closed.