Latest Odisha News

BREAKING NEWS

‘ରାହୁଲ’ ସମର୍ଥନ ବଢୁଛି, ବିବାଦ ବି ବଢୁଛି!

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲଙ୍କ ପ୍ରତି ଦେଶ ସମେତ ବିଦେଶରୁ ସମର୍ଥନ ବଢ଼ିବାରେ ଲାଗିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆମେରିକା ପରେ ଜର୍ମାନୀ ମୁହଁ ଖୋଲିଛି। ରାହୁଲଙ୍କ ପ୍ରସଙ୍ଗରେ ବିଚାର ବିଭାଗୀୟ ସ୍ୱାଧୀନତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ ହେବା ଉଚିତ ବୋଲି ଜର୍ମାନୀ କହିବା ପରେ ଦେଶର ରାଜନୀତି ତୀବ୍ର ହୋଇଛି।

ଗୋଟିଏ ପଟେ କଂଗ୍ରେସ ନେତା ଦିଗବିଜୟ ସିଂ ଏ ପ୍ରସଙ୍ଗରେ ଜର୍ମାନୀକୁ ଧନ୍ୟବାଦ ଦେଇଥିବାରୁ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି।ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ଶକ୍ତି ମୁଣ୍ଡ ଖେଳାଇବା ପ୍ରସଙ୍ଗକୁ ନେଇ କଂଗ୍ରେସ ସହ ରାହୁଲଙ୍କୁ ଟାର୍ଗେଟ କରିଛି ବିଜେପି। ଜର୍ମାନୀ ପୂର୍ବରୁ ଆମେରିକା ମଧ୍ୟ ରାହୁଲଙ୍କ ପ୍ରସଙ୍ଗରେ ନଜର ରଖାଯାଇଥିବା କହିଥିଲା। ଯାହାକୁ ନେଇ ବିଜେପି ନେତାମାନେ ଭାରତୀୟ ବିଚାର ବିଭାଗ ଉପରେ ବିଦେଶୀ ହସ୍ତକ୍ଷେପ ପ୍ରସଙ୍ଗକୁ ଅସ୍ତ୍ର କରିଥିବା କୁହାଯାଉଛି।

ପୂର୍ବରୁ ରାହୁଲ ଗାନ୍ଧୀ ବିଦେଶରେ ଭାରତର ଗଣତନ୍ତ୍ର ବିପଦରେ କହିଥିବାରୁ ଦେଶରେ ବିଜେପି ନେତାମାନେ ରାହୁଲଙ୍କୁ ଲଗାତର ଟାର୍ଗେଟ କରି ଆସୁଛନ୍ତି। କିନ୍ତୁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ରାହୁଲଙ୍କ ପକ୍ଷରେ ସମର୍ଥନ ବଢ଼ିବାରେ ଲାଗିଛି। ଦୀର୍ଘ ବର୍ଷର ରାଜନୈତିକ କ୍ୟାରିଅର ମଧ୍ୟରେ ରାହୁଲଙ୍କ ସପକ୍ଷରେ ଦେଶବ୍ୟାପୀ ଏଭଳି ଜନ ସମର୍ଥନ ଦେଖିବାକୁ ମିଳି ନ ଥିଲା। ଏପରିକି ରାହୁଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ବିଦେଶରେ ମଧ୍ୟ ପ୍ରତିକ୍ରିୟା ବ୍ୟାପକ ହେବା ଆରମ୍ଭ କରିଛି।

କିନ୍ତୁ ଏଭଳି ସ୍ଥିତିରେ ବିଦେଶୀ ଶକ୍ତିର ଭାରତ ଉପରେ ହସ୍ତକ୍ଷେପ ପ୍ରସଙ୍ଗ ରାହୁଲଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି। ଏପରିକି ଖାଲି ସେତିକି ନୁହେଁ ସୁରଟ କୋର୍ଟଙ୍କ ଦଣ୍ଡବିଧାନ ଯୋଗୁଁ ରାହୁଲ ଏଭଳି ଅବସ୍ଥା ଭୋଗୁଥିବା ବେଳେ ପାଟନା କୋର୍ଟ ମଧ୍ୟ ରାହୁଲଙ୍କୁ ସମନ କରିଛନ୍ତି। ବିଜେପି ନେତା ସୁଶୀଲ ମୋଦିଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ କରାଯାଇଥିବା ମାନହାନି ମକଦ୍ଦମା ଆଧାରରେ ଏହି ସମନ ହୋଇଥିବା ଜଣାପଡିଛି।

୨୦୧୯ ମସିହାରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପାଟନା ଏମପି ଏମଏଲଏ କୋର୍ଟରେ ମାମଲା ରୁଜୁ କରିଥିଲେ। ରାହୁଲ ଏ ମାମଲାରେ ଜାମିନରେ ଅଛନ୍ତି ଓ ଏପ୍ରିଲ ୧୨ ତାରିଖରେ ରାହୁଲଙ୍କୁ ବୟାନ ରଖିବାକୁ ସମନ କରାଯାଇଥିବା ସୂଚନା ମିଳିଛି। ତେଣୁ ରାହୁଲଙ୍କ ଉପରେ ଏହା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଥିବା ଆଲୋଚନା ହେଉଛି।

କିନ୍ତୁ ଏବେ ଦେଶବ୍ୟାପୀ ରାହୁଲଙ୍କ ସପକ୍ଷରେ ବାତାବରଣ ତିଆରି ହୋଇଥିବାରୁ ରାହୁଲଙ୍କ ବିରୋଧରେ କୌଣସି କଥାକୁ ନେଇ ଲୋକେ କେନ୍ଦ୍ରର ବିଜେପି ସରକାରକୁ ଦୋଷ ଦେଉଥିବା କୁହାଯାଉଛି। ଦେଶର ପ୍ରମୁଖ ଓ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରର ବିଜେପିକୁ ଲଗାତର ଟାର୍ଗେଟ କରିବାରୁ ତାଙ୍କୁ ବିଭିନ୍ନ ଉପାୟରେ ଯୋଜନାବଦ୍ଧ ଭାବେ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି।

କିନ୍ତୁ ଦେଶରେ ରାହୁଲଙ୍କ ଉପରେ ଯେ କୌଣସି କାର୍ଯ୍ୟାନୁଷ୍ଠାନକୁ ନେଇ ଲୋକେ ରାହୁଲଙ୍କ ପକ୍ଷ ନେଉଥିବା ବେଳେ ବିଦେଶୀ ହସ୍ତକ୍ଷେପକୁ ଦେଶବାସୀ ଗ୍ରହଣ ନ କରିପାରନ୍ତି। ଏପରିକି ଏହା ବିଜେପିକୁ ରାହୁଲଙ୍କ ବିରୋଧରେ ଏକ ବାତାବରଣ ତିଆରି କରିବାକୁ ଅସ୍ତ୍ର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.