Latest Odisha News

ଓଡିଶା ପ୍ରଦେଶ କଂଗ୍ରେସ,ପାରିଲେ ହିରୋ ନ ପାରିଲେ ଜିରୋ !

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗରେ କଣ ଫାଇଦା ପାଇବ ରାଜ୍ୟ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଚର୍ଚ୍ଚା ଜୋର ଧରିଛି। ରାହୁଲଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ସମେତ ପ୍ରଦେଶ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି।

ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ରାହୁଲଙ୍କ ସ୍ୱରକୁ ଚାପି ଦେବାକୁ ବିଜେପି ଉଦ୍ୟମ କରିଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମାନେ କହିଛନ୍ତି। ଆଦାନୀଙ୍କ ସେଲ କମ୍ପାନୀରେ ଲାଗିଥିବା ୨୦ ହଜାର କୋଟିରୁ ଅଧିକ ଟଙ୍କା କାହାର ଓ ଆଦାନୀ ମୋଦିଙ୍କ ସମ୍ପର୍କ କଣ ? ଏହି ଦୁଇଟି ପ୍ରଶ୍ନ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରାଯାଇଛି।

ଏପରିକି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ବ୍ୟାନରରେ ଡରୋ ମତ ସମ୍ବିଧାନ ଅଭି ଜିନ୍ଦା ହେ ସ୍ଲୋଗାନ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କେନ୍ଦ୍ରୀୟ ପ୍ରବକ୍ତାଙ୍କ ସମେତ ରାଜ୍ୟ କଂଗ୍ରେସର ପ୍ରମୁଖ ନେତାମାନେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି।

ରାହୁଲଙ୍କ ପ୍ରସଙ୍ଗକୁ ନେଇ ସାରା ଦେଶରେ ଦଳ ପକ୍ଷରୁ ଏଭଳି ଆୟୋଜନ ହେଉଛି। କିନ୍ତୁ ଓଡିଶାରେ କଂଗ୍ରେସ ଏ ସବୁର ଲାଭ ନେଇପାରିବ କି ବୋଲି ଏବେ ଚର୍ଚ୍ଚା ହେଉଛି। ଦେଶବ୍ୟାପୀ ରାହୁଲଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଭାବ ପକାଇଥିବା ବେଳେ ଓଡ଼ିଶାରେ ମଧ୍ୟ ପକାଇଛି। ଗାଁଠୁ ଆରମ୍ଭ କରି ସହର ସବୁଆଡେ ଏହି ଚର୍ଚ୍ଚା। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି। ଦୀର୍ଘ ବର୍ଷ ଧରି ଶାସନରୁ ବାହାରେ ରହିବା ସହ ୨୦୧୯ ରୁ ଦଳ ତୃତୀୟ ସ୍ଥାନକୁ ଖସିଛି। ନିର୍ବାଚନ ଆସନ୍ନ ଥିବାବେଳେ ଏ ଯାଏ ପିସିସିର ନୂଆ କମିଟି ମଧ୍ୟ ଗଠନ ହୋଇପାରିନି।

ରାଜ୍ୟର ବହୁ ବ୍ଲକରେ ଦଳର କମିଟି ମଧ୍ୟ ନାହିଁ। ଏପରିକି ଆଗାମୀ ନିର୍ବାଚନରେ ବହୁ ବିଧାନସଭା କ୍ଷେତ୍ର ପାଇଁ ଦଳର ଆଖିଦୃଷ୍ଟିଆ ପ୍ରାର୍ଥୀ ମଧ୍ୟ ନାହାଁନ୍ତି। ଦୀର୍ଘ ଦିନ ଶାସନରୁ ବାହାରେ ରହିବା ସହ ସେମିତି ବଡ଼ ରାଜନୈତିକ କାର୍ଯ୍ୟକ୍ରମ ଲଗାତର ନ ହେବା ଯୋଗୁ ବହୁ ନେତା ଓ କର୍ମୀ ବୀତସ୍ପୃହ। ଏଭଳି ସ୍ଥିତିରେ ରାହୁଲଙ୍କ ପ୍ରସଙ୍ଗ ସାରା ଦେଶରେ ବହୁ ରାଜ୍ୟକୁ ଲାଭଦାୟୀ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାରେ ସେତେଟା ପ୍ରଭାବ ଦେଖିବାକୁ ମିଳୁନି। ଦଳ କିନ୍ତୁ ଏ ପ୍ରସଙ୍ଗକୁ ନେଇ ଜନ ସମର୍ଥନ ପାଇବ ବୋଲି ବେଶ ଆଶାବାଦୀ।

ରାହୁଲଙ୍କ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ରାଜ୍ୟବ୍ୟାପୀ ଯେଉଁ ବାତାବରଣ ତିଆରି କରିବା କଥା ତାହା କରୁ ନ ଥିବା ଦେଖିବାକୁ ମିଳିଛି। କେବଳ ଏଆଇସିସି ନିର୍ଦେଶ ଅନୁଯାୟୀ କିଛି କାର୍ଯ୍ୟକ୍ରମକୁ ଛାଡିଲେ ଦଳ ଆଉ କିଛି କରୁନାହିଁ ବୋଲି କୁହାଯାଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାହୁଲଙ୍କ ପ୍ରସଙ୍ଗକୁ ନେଇ ଦଳ ନେତା କର୍ମୀଙ୍କୁ ଏକାଠି କରିବା ସହ ଲୋକଙ୍କ ନିକଟତର ହୋଇପାରନ୍ତା ବୋଲି କୁହାଯାଉଥିବା ବେଳେ ପିସିସି ପକ୍ଷରୁ ସେମିତି କିଛି କାର୍ଯ୍ୟକ୍ରମ କରା ନ ଯିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.