ତାମିଲନାଡୁ ଗ୍ୟାସ ଲିକ୍ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଆତଙ୍କିତ ଶ୍ରମିକ, ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷର ସହାୟତା
ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଓଡ଼ିଆ ଶ୍ରମିକମାନେ ଶେଷରେ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ଦିନ ୬୨ ଜଣ ଶ୍ରମିକ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଛନ୍ତି।
ସି-ଫୁଡ୍ କାରଖାନାରେ ଘଟିଥିବା ଏହି ଦୁର୍ଘଟଣା ପରେ ଆତଙ୍କିତ ହୋଇପଡ଼ିଥିବା ଏହି ଶ୍ରମିକମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ଷ୍ଟେସନରେ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବା ସହ ସେମାନଙ୍କୁ ନିଜ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରାଯାଇଛି।
ଘରମୁହାଁ ହୋଇଥିବା ଏହି ୬୨ ଜଣ ଶ୍ରମିକଙ୍କ ମଧ୍ୟରୁ ସର୍ବାଧିକ ୫୮ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର ଜଣେ ଲେଖାଏଁ ଶ୍ରମିକ ରହିଛନ୍ତି। କେନ୍ଦୁଝରର ସମସ୍ତ ଶ୍ରମିକଙ୍କ ସମେତ ଅନ୍ୟ କେତେକଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଭଡ଼ା ବସ୍ ଯୋଗେ ପ୍ରଶାସନ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଛି। ବାକି ଶ୍ରମିକମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ପ୍ରଶାସନିକ ସ୍ତରରେ ସମନ୍ୱୟ ରକ୍ଷା କରାଯାଇଛି।
“ପ୍ରଭାବିତ ଶ୍ରମିକମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଆମର ପ୍ରାଥମିକତା ଥିଲା। ସମସ୍ତ ଶ୍ରମିକ ନିଜ ନିଜ ଘରେ ନପହଞ୍ଚିବା ପର୍ଯ୍ୟନ୍ତ ବିଭାଗ ସଜାଗ ରହିଛି” ବୋଲି ରାଜ୍ୟ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି ।
ଭୁବନେଶ୍ୱର ରେଳ ଷ୍ଟେସନରେ ରାଜ୍ୟ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ନିଜେ ଉପସ୍ଥିତ ରହି ଶ୍ରମିକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ସମୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ତାଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଷ୍ଟେସନରେ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।
ଅପରପକ୍ଷରେ, ଏହି ମର୍ମନ୍ତୁଦ ଗ୍ୟାସ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ସହିତ ପ୍ରଭାବିତ ପରିବାରଗୁଡ଼ିକୁ ଆଗାମୀ ଦିନରେ ସମସ୍ତ ପ୍ରକାରର ସରକାରୀ ସାହାଯ୍ୟ ଓ ପଦକ୍ଷେପ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
