Latest Odisha News

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି।

ବିଭିନ୍ନ ପରୀକ୍ଷାରେ କନ୍ନଡ଼ ଭାଷାର ବ୍ୟବହାର ପାଇଁ କଥା ଉଠାଇଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା। କର୍ଣ୍ଣାଟକର ଯୁବକମାନେ ପ୍ରତିଭାବାନ। କିନ୍ତୁ ବିଭିନ୍ନ ପରୀକ୍ଷାରେ କନ୍ନଡ଼ ଭାଷା ବ୍ୟବହାର ହେଉ ନ ଥିବାରୁ ସେମାନେ ସଫଳ ହେଉ ନାହାନ୍ତି। ତେଣୁ ଏହାକୁ ନେଇ କଥା ଉଠାଇଛନ୍ତି ସିଦ୍ଧରମେୟା।

ସେପଟେ ରାଜ୍ୟରେ ନିଯୁକ୍ତି ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଅସ୍ତ୍ର କରି ବିଜେପିକୁ ଘେରିଛି। ଏଥିସହିତ କର୍ଣ୍ଣାଟକରେ ନନ୍ଦିନୀ କ୍ଷୀର ବଦଳରେ ଅମୂଲକୁ ବ୍ୟାପକ ଭାବେ ବ୍ୟବହାର ପାଇଁ ବିଜେପି ମସୁଧା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଯାହାକୁ ନେଇ ରାଜନୀତି ଜୋର ଧରିଛି।

ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିଥିବା ବେଳେ ଦଳ ଗୋଟିଏ ପରେ ଗୋଟିଏ ବାଣ ଛାଡିବାରେ ଲାଗିଛି। ସେପଟେ କର୍ଣ୍ଣାଟକରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପ୍ରସଙ୍ଗକୁ ଅନ୍ୟ ଏକ ପ୍ରମୁଖ ଅସ୍ତ୍ର କରିଛି ଦଳ। କର୍ଣ୍ଣାଟକ କଂଗ୍ରେସ ସଭାପତି ଡି କେ ଶିବକୁମାର ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ପ୍ରସଙ୍ଗକୁ ବାରମ୍ବାର ଉଠାଉଛନ୍ତି। ଯାହାକି ଦଳ ସପକ୍ଷରେ ଦଳିତ ମାନଙ୍କୁ ଆକର୍ଷିତ କରିବାର ଏକ ଅସ୍ତ୍ର ବୋଲି କୁହାଯାଉଛି।

ସେପଟେ ବିଜେପି ଏ ସବୁ ପ୍ରସଙ୍ଗକୁ ନେଇ କଂଗ୍ରେସକୁ କାଉଣ୍ଟର ଆଟାକ କରିବାରେ ଲାଗିପଡିଛି। କର୍ଣ୍ଣାଟକରେ କଂଗ୍ରେସର ନୂଆ ଷ୍ଟାଇଲ ଆଟାକ ଇଜ ଦ ବେଷ୍ଟ ଡିଫେନ୍ସ ଦେଖିବାକୁ ମିଳିଛି। ବିଜେପି କଂଗ୍ରେସକୁ କାଉଣ୍ଟର କରୁ କରୁ ନିଜର ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେଇପାରୁନି।

ଏପରିକି କଂଗ୍ରେସ କଥାକୁ ଅଧିକ ଫୋକସ ଦେଇ ଦଳ ନିଜ ରଣନୀତିକୁ ଶେଷ ସ୍ପର୍ଶ ଦେଇପାରୁନି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ କର୍ଣ୍ଣାଟକରେ ବିଜେପି ପାଇଁ ଏକମାତ୍ର ଭରସା ସାଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୋଦି କର୍ଣ୍ଣାଟକରେ ବହୁ ସଭା ଓ ରୋଡ଼ ସୋ କରିବେ। ଏହା ବିଜେପିକୁ ସଫଳତା ଦେବ ବୋଲି ଦଳ ଆଶା ବାନ୍ଧି ବସିଛି। ସେପଟେ ରାହୁଲ ଗାନ୍ଧୀ ମଧ୍ୟ ଏହାକୁ କାଉଣ୍ଟର କରିବାକୁ ୧୦ ରୁ ଅଧିକ ସଭା କରିବେ ବୋଲି ଜଣାପଡିଛି। ବିଜେପି ଓ ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବାରୁ ତାଙ୍କୁ କିଭଳି ଦଶା ଭୋଗିବାକୁ ପଡୁଛି ତାର ଉଦାହରଣ ଦେବାକୁ ରାହୁଲ ଯୋଜନା କରିଥିବା କୁହାଯାଉଛି। ଯେଉଁ ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚା ତାକୁ ରାହୁଲ ଓ କଂଗ୍ରେସ ମୁଖ୍ୟ ଅସ୍ତ୍ର କରିବେ ବୋଲି ଆଲୋଚନା ହେଉଛି। ତେଣୁ ବିଜେପି ଏସବୁକୁ କିଭଳି ସମ୍ମୁଖୀନ ହେବ ତା ଉପରେ ନଜର।

Leave A Reply

Your email address will not be published.