Latest Odisha News

BREAKING NEWS

ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ମଧ୍ୟ ବଢ଼ିଲା ଦରମା

ଭୁବନେଶ୍ବର: ବଢ଼ିଲା ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା । ୭ ହଜାର ଟଙ୍କାରୁ  ୧୦ ହଜାର ଟଙ୍କାକୁ ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ। ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀରିକ ଶିକ୍ଷା ତାଲିମ ଦେବା ପାଇଁ ସାମୟିକ କଳା ଓ କ୍ରୀଡା ଶିକ୍ଷକ ନିୟୋଜିତ କରାଯାଇଛି।

ସେହିପରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କୁ ମାସିକ ୫୩୭୯ ମିଳୁଥିଲା । ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ଉପକୃତ ହେବେ । ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରିଛନ୍ତି ।

Leave A Reply

Your email address will not be published.