Latest Odisha News

BREAKING NEWS

ଜେଲ୍ ଗଲେ ସରପଞ୍ଚ ଚାମେଲି

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଫିସରେ ଘଟିଥିବା ହାଇଡ୍ରାମାରେ ନୂଆ ମୋଡ। ଜେଲ୍ ଗଲେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି। ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଚାମେଲିଙ୍କ ନାଁରେ ମହାକାଳପଡା ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ କରୁଛି ପୋଲିସ। ତାଙ୍କୁ ଉଠାଇ ଆଣିଲା ବେଳେ ଦୁଇ ମହିଳା ପୋଲିସଙ୍କୁ ଚାମେଲି କାମୁଡି ଦେଇଥିବା ଅଭିଯୋଗ ହୋଇଥିଲା। ଚାମେଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ କିଛି ସମୟ ତଳେ ସେଠାରୁ ଅଣାଯାଇଥିଲା।

ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିଲେ, କିନ୍ତୁ ବିବାଦରେ ଫସିଗଲେ ସରପଞ୍ଚ ଚାମେଲି ଓଝା। ନିଜ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବନ୍ଦ ହେବା ପ୍ରତିବାଦରେ ସରପଞ୍ଚ ଚାମେଲି ଓଝା ବିଡିଓଙ୍କୁ ଦାବିପତ୍ର ଦେବାକୁ ଆସିଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ମହିଳା ସରପଞ୍ଚ ଚାମେଲି ‘ନିର୍ଯାତନା’ର ଶିକାର, ବିଧାୟକଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇବା ସହ କିଭଳି ଦୁଇ ବର୍ଷ ହେଲା ବିକାଶ ଠପ୍ ହୋଇଯାଇଛି ସେ ନେଇ ମିଡିଆକୁ ପ୍ରତିକ୍ରିୟା ଦେଇଥିଲେ। ସେ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ ସିଧାସଳଖ କହିଥିଲେ ଯେ ପୋଲିସ ହେପାଜତରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ସ୍ଥାନୀୟ ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ଅସଦାଚରଣ କରାଯାଇଛି।

ଅନ୍ୟପଟେ ବ୍ଲକ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଥିଲା। ବିଡିଓଙ୍କ ଏତଲା ଅନୁଯାୟୀ, ସରପଞ୍ଚ ଚାମେଲି ସରକାରୀ କାର୍ଯ୍ୟାଳୟ ମଧ୍ୟରେ ବିନା ଅନୁମତିରେ ସୋସିଆଲ ମିଡିଆରେ ଲାଇଭ୍ ପ୍ରସାରଣ କରିବା ସହ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରି କାର୍ଯ୍ୟରେ ବାଧା ଉପୁଜାଇଥିଲେ। ଏପରିକି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ସେ କାମୁଡ଼ି ଦେଇଥିବା ପୋଲିସ ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ଥାନାକୁ ନେଲା ବେଳେ ଗାଡ଼ି ଭିତରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ଚାମେଲି ଏସ୍ପିଙ୍କୁ ଲିଖିତ ଜଣାଇଛନ୍ତି । ଚାମେଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେହିପରି ଚାମେଲି ଓଝା ମଧ୍ୟ ମୁଖମନ୍ତ୍ରୀଙ୍କୁ ଘଟଣାରେ ଚିଠି ଲେଖି ଜଣାଇଛନ୍ତି ।

 

Leave A Reply

Your email address will not be published.