Latest Odisha News

BREAKING NEWS

ଟାଇଟାନିକ ପାର୍ଟ-୨, ଶବ ପାଲଟିଗଲା ୫ ଜଣଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ପ୍ରାୟ ୧୧୧ ବର୍ଷ ପରେ ଦୁନିଆ ଟାଇଟାନିକର ପାର୍ଟ ୨ ଦେଖିଛି । ସମୁଦ୍ର ଗଭୀରରେ ସମାଧି ନେଇଥିବା ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ବୁଡ଼ା ଜାହାଜ ଟାଇଟନରେ ଯାଇଥିବା ସମସ୍ତ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ଟାଇଟାନିକ ବୁଡ଼ିଯିବା ଭଳି ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଛି ଟାଇଟନ୍ ସହ ।

ବୁଡ଼ା ଜାହାଜ ଟାଇଟନରେ ଥିଲେ ଜଣେ ବ୍ରିଟିଶର ଅଧ୍ୟୟନକାରୀ, ବାପପୁଅ, ଜଣେ ସାହାସୀ ସିଇଓ ଓ ମିଷ୍ଟର ଟାଇଟାନିକ ରୂପେ ଜଣାଶୁଣା ଫ୍ରେଞ୍ଚ ପାଇଲଟ୍ । ଏହି ୫ ଜଣ ଟାଇଟାନିକର ଭଗ୍ନାବଶେଷ ଦେଖିବା ଲାଗି ସମୁଦ୍ରର ଗଭୀରକୁ ଯାଇଥିଲେ । କିନ୍ତୁ ବୁଡ଼ା ଜାହାଜ ସମୁଦ୍ର ଗଭୀରରେ ପାଣିର ଚାପ ସହି ପାରିଲାନି । ଫଳରେ ସେଥିରେ ବିସ୍ଫୋରଣ ହେବା ସହ ସେଇଠି ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ମୃତ୍ୟୁବରଣ କରିଥିବା ୫ ଜଣ ଅଲଗା ଅଲଗା ପୃଷ୍ଠଭୂମିରୁ ଆସିଥିବା ବେଳେ ସ୍ୱପ୍ନ ଥିଲା ଗୋଟିଏ । ସମସ୍ତେ କାନାଡ଼ାରେ ଏକାଠି ହେବା ପରେ ୧୯୧୨ରେ ବୁଡ଼ି ଯାଇଥିବା ଟାଇଟାନିକର ଧ୍ୱଂସାବଶେଷକୁ ଦେଖିବା ପାଇଁ ବାହାରି ଥିଲେ । ଆଉ ଏବେ ସେ ସ୍ୱପ୍ନ, ଶବ ହୋଇ ଯାଇଛି ।

ଟାଇଟନ୍ ଯାତ୍ରୀଙ୍କ କାହାଣୀ

ବୁଡ଼ାଜାହାଜ ଟାଇଟନକୁ ପରିଚାଳନା କରୁଥିବା କମ୍ପାନୀ ଓସେନଗେଟ୍ର ଫାଉଣ୍ଡର ଓ ସିଇଓ ହେଉଛନ୍ତି ଷ୍ଟକସନ୍ ରଶ । ପ୍ରାୟ ୧୯ ବର୍ଷ ବୟସରେ ଷ୍ଟକସନ୍ ଜେଟ୍ ଟ୍ରାନ୍ସପୋର୍ଟ ଲାଇସେନ୍ସ ପାଇଥିଲେ । ପ୍ରଥମେ ଅନ୍ତରୀକ୍ଷ ଗବେଷଣା ପାଇଁ ଆଗ୍ରହୀ ଷ୍ଟକସନ୍ ପରେ ମନ ବଦଳାଇ ଥିଲେ ସମୁଦ୍ର ଗଭୀରତାରେ ଅନୁସନ୍ଧାନ କରିବାକୁ । ଆଉ ସ୍ଥାପନ କରିଥିଲେ ଓସେନଗେଟ୍ କମ୍ପାନୀ ।

ଟାଇଟନରେ ଥିବା ଅନ୍ୟ ଜଣେ ହେମିଶ୍ ହାର୍ଡିଗ୍ । ୫୮ ବର୍ଷୀୟ ହେମିଶ୍ ବ୍ରିଟିଶ୍ କମ୍ପାନୀ ଆକ୍ସନ୍ ଆଭିଏସନର ଅଧ୍ୟକ୍ଷ ଥିଲେ । ୨୦୨୨ରେ ହେମିଶ୍ ଅନ୍ତରୀକ୍ଷ ଯାତ୍ରା କରିଥିଲେ । ଅନ୍ୟଜଣେ ହେଲେ ପାଲ୍ ହେନରି । ୭୭ ବର୍ଷୀୟ ପାଲ୍ ହେନରି ୧୯୮୭ରେ ପ୍ରଥମଥର ଟାଇଟାନିକର ଧ୍ୱଂସାବଶେଷ ଦେଖିବା ପାଇଁ ସମୁଦ୍ର ଗଭୀରକୁ ଯାଇଥିଲେ । ସେବେଠୁ ସେ ୩୫ ଥର ଧ୍ୱଂସାବଶେଷ ସ୍ଥାନକୁ ଯାଇଥିଲେ । ଯେଉଁଥି ପାଇଁ ତାଙ୍କୁ କୁହାଯାଉଥିଲା ମିଷ୍ଟର ଟାଇଟାନିକ ।

ବୁଡ଼ା ଜାହାଜ ଟାଇଟନରେ ଥିଲେ ୪୮ ବର୍ଷୀୟ ଶହଜାଦ ଦାଉଦ । ଆମେରିକୀୟ ଅରବପତି ଶହଜାଦ ୧୯ ବର୍ଷର ପୁଅ ସୁଲେମାନ ଦାଉଦଙ୍କୁ ନେଇ ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଯାଇଥିଲେ । ଆଉ ସମସ୍ତଙ୍କ ସ୍ୱପ୍ନ, ଆଂକାକ୍ଷା ଥିଲା ଟାଇଟାନିକର ଭଗ୍ନାବଶେଷ ଦେଖିବା ।

Leave A Reply

Your email address will not be published.