Latest Odisha News

BREAKING NEWS

ନବବର୍ଷ ୨୦୨୩: ନୂଆବର୍ଷ ଉପଲକ୍ଷେ ଜନ ସମୁଦ୍ର ତିଖାଲି ପର୍ଯ୍ୟଟନ କ୍ଷେତ୍ର

ନୂଆପଡା: ଇଂରାଜୀ ନବବର୍ଷ ୨୦୨୪କୁ ଆବାଳ ବୃଦ୍ଧବନିତା ହର୍ଷ ଉଲ୍ଲାସ ସ୍ୱାଗତ କରୁଥିବା ବେଳେ ଏହାର ବିଶେଷ ପ୍ରଭାବ ନୂଆପଡ଼ା ଜିଲ୍ଲାର ତିଖାଲି ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଭୋଜି ଭାତର ଆସର ସହ ଡ୍ୟାମ ପାଣି, ପାର୍କ ଦେଖିବା ସହ ବୋଟିଂର ମଜା ନେଇ ଧୁମଧାମର ସହ ନାଚଗୀତରେ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ପର୍ଯ୍ୟଟକ। ଏହି ଅବସରରେ ତିଖାଲି ପର୍ଯ୍ୟଟନ କ୍ଷେତ୍ର ଜନସମୁଦ୍ର ହୋଇ ଉଠିଛି ।

ଇଂରାଜୀ ନବ ବର୍ଷର ସ୍ୱାଗତ କରିବା ଉଦ୍ଧେଶ୍ୟ ରଖି ଲୋୟର ଇନ୍ଦ୍ର ତିଖାଲି ଡ୍ୟାମ ଆଜି ଲୋକାରଣ୍ୟ ହୋଇଛି । ନୂଆପଡା ଜିଲ୍ଲା ସମେତ ପଡ଼ୋଶୀ ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ ଛତିଶଗଡ଼ ଅଞ୍ଚଳର ହଜାର ହଜାର ପର୍ଯ୍ୟଟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଆଜି ପର୍ଯ୍ୟଟକ ମାନେ ବଣ ଭୋଜି କରିବା ପରେ ପାଖରେ ଥିବା ଜଳେଶ୍ବର ମନ୍ଦିର, ପାର୍କ ଦେଖିବା ସହ ବିଭିନ୍ନ ପୋଜରେ ସାଙ୍ଗ ସାଥି, ପରିବାର ସହ ସେଲ୍ଫି ନେବାର ଦୃଶ୍ୟ ଅତି ନିଆରା ମନେ ହେଉଥିଲା ।  ବର୍ତ୍ତମାନ ନୂତନ ଭାବରେ ଆରମ୍ଭ ହୋଇଥିବା ନୀଳ ଜଳ ରାଶି ମଧ୍ୟରେ ଆରମ୍ଭ ହୋଇଥିବା ବୋଟିଂର ମଜା ନେଇ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବାର ମଜା ଅନନ୍ୟ ବୋଲି ପର୍ଯ୍ୟଟକ ମାନେ କହିଛନ୍ତି ।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଖଡ଼ିଆଳ ଓ କୋମନା ମଧ୍ୟ ଭାଗ ୩୫୩ ଜାତୀୟ ରାଜପଥ କଡ଼ରେ ହୋଇଥିବାରୁ ଗମନାଗମନର ସୁବିଧା ରହିଛି । ତେଣୁ କେବଳ କୌଣସି ତିଥି ନୁହେଁ ଦୈନନ୍ଦିନ ଏଠି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳୁଛି । ଆଜି ସକାଳୁ ପ୍ରକଳ୍ପର ଚତୁର୍ପାର୍ଶ୍ଵରେ ଲୋକଙ୍କୁ ଭୋଜି ଭାତ କରିବା ପାଇଁ ମଧ୍ୟ ଜାଗା ମିଳିନଥିବାରୁ ଅନେକ ଆଖପାଖ ଅଞ୍ଚଳରେ ମଧ୍ୟ ଭୋଜି ଭାତ କରି ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଭୋଜି ଭାତ ପରେ ବିଭିନ୍ନ ଗୀତର ତାଳେତାଳେ ଲୋକେ ନୃତ୍ୟ କରିଥିଲେ ।  ତିଖାଲି ପାର୍କରେ ବୁଲାବୁଲି କରିବା ସହ ଦୋଳି ଝୁଲିବା ଓ ହରିପୁର ପାଖରେ ଥିବା ବୋଟିଂରେ ବସି ନିଳ ଜଳ ରାଶିରେ ବୁଲି ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିଛନ୍ତି । ଏତେ ସୁନ୍ଦର ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ମନୋରଞ୍ଜନ ର ସବୁ ପ୍ରକାର ସୁବିଧା ଥିଲେ ହେଁ ପିଇବା ପାଣି ସହ ପର୍ଯ୍ୟଟକ ପାଇଁ ରହିବା ଓ ବିଶେଷ କରି ମହିଳା ମାନଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା ନଥିବା ରୁ ପର୍ଯ୍ୟଟକ ଦୁଃଖ ପ୍ରକାଶ କରି ଏଥି ପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.