Latest Odisha News

BREAKING NEWS

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC), ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (CCB) ଏବଂ ପ୍ରାଥମିକ କୃଷି ସମବାୟ ସମିତି (PACS)/ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷରିତ ହୋଇଛି ।

ସୂଚନା ଅନୂଯାୟୀ, ରାଜ୍ୟରେ ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ ସଂରକ୍ଷଣ ନିମନ୍ତେ ୨୪,୯୩,୭୫୦ ମେଟ୍ରିକ ଟନ୍ କ୍ଷମତାର ଗୋଦାମ ଗୃହର ଆବଶ୍ୟକତା ଥିବାବେଳେ ୧୧,୯୨,୭୬୦ ମେଟ୍ରିକ ଟନ୍ କ୍ଷମତାର ଗୋଦାମ ଗୃହ ରହିଛି । ଏହି ଆବଶ୍ୟକତାର ଅଭାବକୁ ପୂରଣ କରିବା ପାଇଁ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ଏକ ମାଧ୍ୟମ ।

ଓଡିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ପାଇଲଟ ପ୍ରୋଜେକ୍ଟ “ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନା” ଆରମ୍ଭ କରାଯାଇଛି । ଏହି ଯୋଜନାରେ ୫୦୦ ରୁ ୨୫୦୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଗୋଦାମ ଗୁଡିକ ଭାରତୀୟ ଖାଦ୍ୟ ନିଗମ ଦ୍ଵାରା ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଅଛି ।

ରାଜ୍ୟରେ ଥିବା ୨୭୧0 ଗୋଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୭୭ ଗୋଟି ପ୍ରାଥମିକ କୃଷିସମବାୟ ସମିତି/ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ (LAMPCS) କୁ ମନୋନୀତ କରାଯାଇଛି । ତନ୍ମଧ୍ୟରୁ, ୫୬ ଗୋଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି/ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି, ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC) ଏବଂ ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷର କରିଛନ୍ତି । ଅବଶିଷ୍ଟ ସମିତିମାନେ ବହୁତ ଶୀଘ୍ର ରାଜିନାମା ସ୍ଵାକ୍ଷର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ସ୍ବାକ୍ଷର ସମୟରେ ଏନବିସିସି ର ଆଞ୍ଚଳିକ ନିର୍ଦ୍ଦେଶକ ରାକେଶ କୁମାର ସିହ୍ନା, ଅତିରିକ୍ତ ସମବାୟ ନିବନ୍ଧକ ଡାଃ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.