ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତକୁ ୨୧ ମିଲିୟନ ଡଲାରର ସହାୟତା ଯୋଗାଇଥିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନ ଏବେ ଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ୨୧ ମିଲିୟନ ଡଲାର ମୁଦ୍ଦାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ । ଏହାକୁ ନେଇ ଖୋଳତାଡ ପରେ, ଜଣାପଡିଲା ଯେ, ୨୦୨୨ରେ ଆମେରିକା ୨୧ ମିଲିୟନ ଡଲାର ଭାରତକୁ ନୁହେଁ ବରଂ ବାଂଲାଦେଶକୁ ଅନୁଦାନ କରିଥିଲା ।
ଯାହାକୁ ନେଇ ଲଗାତାର ତୃତୀୟ ଥର ପାଇଁ ମୁହଁ ଖୋଲିଛନ୍ତି ଟ୍ରମ୍ପ । ରିପୋର୍ଟ ପ୍ରକାଶ ପାଇବା ପରେ ସେ ପୁଣି ଥରେ ଦୋହରାଇଛନ୍ତି, ସେ ଭାରତକୁ ମତଦାନ ବଢାଇବା ନେଇ ଭୋଟର ଟର୍ଣ୍ଣଆଉଟ ପାଇଁ ୨୧ ମିଲିୟନ ଡଲାର ଅନୁଦାନ ଦେଇଛନ୍ତି । ଟ୍ରମ୍ପ ତାଙ୍କର ସଦ୍ୟତମ ଭାଷଣରେ ଭାରତ ଏବଂ ବାଂଲାଦେଶକୁ ପୃଥକ ୟୁଏସ୍ଏଡ୍ ପାଣ୍ଠି ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଏଥିସହିତ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟକୁ ମଧ୍ୟ ଖଣ୍ଡନ କରିଛନ୍ତି ଟ୍ରମ୍ପ । ଯେଉଁଥିରେ ଦାବି କରାଯାଇଥିଲା କି, ଅନୁଦାନ ନୂଆଦିଲ୍ଲୀ ପାଇଁ ନୁହେଁ, ଢାକା ପାଇଁ ମଞ୍ଜୁର କରାଯାଇଥିଲା ।
ଏହାକୁ ନେଇ ଟ୍ରମ୍ପ ପୁଣି ଥରେ ସ୍ପଷ୍ଟ କରି କହିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତର ଭୋଟର ଟର୍ଣ୍ଣଆଉଟ ପାଇଁ ୨୧ ମିଲିୟନ ଡଲାର ଦିଆଯାଇଛି । ଭାରତରେ ମତଦାନ ପାଇଁ ୨୧ ମିଲିୟନ ଡଲାର ଦିଆଯାଇଛି, ଆମ ବିଷୟରେ କ’ଣ?, ମୁଁ ମଧ୍ୟ ମତଦାନ ବଢାଇବାକୁ ଚାହୁଁଛି । ଏଥିସହିତ ସେ ଏହି ଅଭିଭାଷଣରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବାଂଲାଦେଶକୁ ମଧ୍ୟ ରାଜନୈତିକ ପରିଦୃଶ୍ୟରେ ସ୍ଥିରତା ଆଣିବା ପାଇଁ ୨୯ ମିଲିୟନ ଡଲାର ଅଦୁମୋଦିତ ହୋଇଛି । ଏନେଇ ସେ କହିଛନ୍ତି, ବାଂଲାଦେଶକୁ ଆମେରିକା ,କ ଏମିତି କାମ ପାଇଁ ପାଣ୍ଡି ଦେଇଛି ଯେ, ଯାହା ବିଷୟରେ କେବେ କେହି ଶୁଣି ବି ନଥିବେ । ସେଥିରେ କେବଳ ଦୁଇ ଜଣଙ୍କର ହିଁ ହାତ ଥିଲା । ଯାହାକୁ ନେଇ ଏବେ ପୁଣି ଥରେ ସରଗରମ ହୋଇଛି ଚର୍ଚ୍ଚା ।
ତେବେ କହିରଖୁଛୁ, ଡୋନାଲ୍ଡ ଟ୍ରମ୍ପ ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ଏକ ନୂତନ ବିଭାଗ କରିଛନ୍ତି । ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (ଡଜ୍) ନାମରେ ଆରମ୍ଭ କରିଥିବା ଏହି ବିଭାଗ, ବିଭିନ୍ନ କ୍ଷେତ୍ରରେ ଆମେରିକା ସରକାରଙ୍କ ଖର୍ଚ୍ଚକୁ ହ୍ରାସ କରିବ । ଟ୍ରମ୍ପ୍ ଏହି ବିଭାଗର ମୁଖ୍ୟ ଭାବରେ ଟେସଲା ମାଲିକ ଏଲନ୍ ମସ୍କଙ୍କୁ ନିଯୁକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଟ୍ରମ୍ପ ଆମେରିକା ସରକାରୀ ସଂସ୍ଥା ୟୁଏସ୍ଏଡ୍ ଦ୍ୱାରା ଭାରତକୁ ଦିଆଯାଉଥିବା ଅଭିଯୋଗ ଅନୁଯାୟୀ,୨୧ ନିୟୁତ ଡଲାର ଅର୍ଥାତ୍ ୧୮୨ କୋଟି ଟଙ୍କାର ସହାୟତା ବନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ, ବାଂଲାଦେଶରେ ରାଜନୈତିକ ସ୍ଥିରତା ଏବଂ ଗଣତାନ୍ତ୍ରିକ ଶାସନକୁ ବୃଦ୍ଧି କରିବା ପାଇଁ ଆମେରିକା ସରକାର ଯେଉଁ ୨୯ ନିୟୁତ ଡଲାରର ସହାୟତା ପ୍ରଦାନ କରୁଥିଲା, ତାହା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ।
ହେଲେ ଏବେ ଆମେରିକା ସରକାରଙ୍କ ଏଜେନ୍ସି ୟୁଏସଏଡ୍ ଦ୍ବାରା ଭାରତକୁ କରାଯାଇଥିବା ସାହାର୍ଯ୍ୟ, ଦେଶରେ ରାଜନୈତିକ ବୟାନବାଜିକୁ ଇନ୍ଧନ ଦେଇଛି । ପୂର୍ବରୁ ଏହି ରାଶି ଆମେରିକା ଠାରୁ କିଏ ପାଇଥିଲା, ତାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି ।
Comments are closed.