Latest Odisha News

ଅଲୋଡ଼ା ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଷଷ୍ଠ ଶ୍ରେଣୀରେ ପଢୁଥାଏ ବିଜୟ । ବୟସ ଏଇ ଏଗାର ବାର ବର୍ଷ ହେବ । ଗାଁରୁ ଚାଲି ଚାଲି ପାଖାପାଖି ପାଞ୍ଚ କିଲୋମିଟର ଗଲେ ସ୍କୁଲ । ତା ସହିତ ତା ଗାଁରୁ ଆଉ ସାତ ଆଠ ଜଣ ପିଲା ବି ଏକାଠି ଯାଆନ୍ତି ସେହି ସ୍କୁଲକୁ । କାରଣ, ତା ନିଜ ଗାଁରେ ପଞ୍ଚମ ଶ୍ରେଣୀ ପରେ ଆଉ ଅଧିକ ପଢ଼ିବା ପାଇଁ ସ୍କୁଲ ନାହିଁ । ମଧ୍ୟ ଇଂରାଜୀ ବିଦ୍ୟାଳୟ ବା ଉଚ୍ଚ ବିଦ୍ୟାଳୟ ଉଭୟ ପାଇଁ ଗାଁ ପିଲାମାନଙ୍କୁ ପ୍ରତିଦିନ ଦଶ କିଲୋମିଟର ଯିବା ଆସିବା କରିବାକୁ ପଡ଼େ । ଅଧିକାଂଶ ପିଲା ସ୍କୁଲ ଯିବା ଆସିବାରେ ଏତେ ଥକି ଯାଇଥାନ୍ତି ଯେ, ଘରକୁ ଫେରିଲା ପରେ ସନ୍ଧ୍ୟାରୁ ହିଁ କଣ ଦିଟା ଖାଇଦେଇ, ତା ପରେ ଭୂଇଁରେ ଲୋଟି ପଡ଼ନ୍ତି । ମନେ ହୁଏ ସତେ ଯେମିତି ଦେବୀ ନିଦ୍ରାବତୀ ଘାରିଛନ୍ତି ଏମାନଙ୍କୁ । ସପ୍ତମ ଅଷ୍ଟମ ଶ୍ରେଣୀ ଯାଏଁ ଝିଅମାନେ ବି ପାଠ ପଢ଼ନ୍ତି । କିନ୍ତୁ ତା ପରେ ପରେ, ସେମାନଙ୍କ ପାଠପଢ଼ା ବସ୍ତାନିରେ ବନ୍ଧନୀ ଲାଗିଯାଏ । ପିଲାମାନେ ସିନା ଘରକୁ ଫେରିଲା ପରେ ଖାଇ ପିଇ ଶୋଇପଡ଼ନ୍ତି, କିନ୍ତୁ ବିଜୟ ଭାଗ୍ୟରେ ସେତକ ଜୁଟେନି । ସେ ଘରକୁ ଫେରିଲା ପରେ ଖୋଜିବୁଲେ ତା ମାଆକୁ । ଏ ଦୁନିଆରେ ତା ପାଇଁ ତା ମାଆକୁ ଛାଡ଼ିଦେଲେ ଆଉ କେହି ନାହିଁ । ତେଣୁ ଘଡ଼ିଏ ମଆକୁ ନ ଦେଖିଲେ, ସେ ରହିପାରେନି ।

ସ୍କୁଲରୁ ଫେରିବା କ୍ଷଣି ଘର ଦ୍ୱାର ଚାରିଆଡ଼େ ଖୋଜି ପକାଏ ସେ ତା ମାଆକୁ । ତା ପରେ ରଡ଼ି ଛାଡ଼ି ହୁରି ପକାଏ .. ମାଆ .. ମାଆ … ମାଆ .. କୁଆଡ଼େ ଗଲୁ ତୁ ? ଶୀଘ୍ର ଆସ .. ମତେ ଭୋକ ଲାଗିଲାଣି । କିନ୍ତୁ ସେଇଠି ମାଆ ନଥାଏ । ବରଂ ଅନ୍ୟ କାହା ଘରେ ସେ ବାସନ ମାଜୁଥାଏ ବା ଅନ୍ୟ କାହାର ପିଲାକୁ ସମ୍ଭାଳୁଥାଏ। ତଥାପି ବିଜୟର ଡାକ କାନରେ ପଡ଼ିଲେ, ସେ ଆଉ ନିଜକୁ ସମ୍ଭାଳିପାରେନି । କେଉଁଦିନ କାହା ଘରୁ ଯଦି କିଛି ଖାଇବା ଜିନିଷ ମିଳିଥାଏ, ତାହେଲେ ତାକୁ ସେ ସାଇତି ରଖିଥାଏ ବିଜୟ ପାଇଁ । ବିଜୟ ସ୍କୁଲରୁ ଆସିବା କ୍ଷଣି, ତା ପାଇଁ କିଛି ନା କିଛି ଖାଇବା ଜିନିଷ ଯୋଗାଡ଼ କରି ବାଢ଼ିଦିଏ ତା ମାଆ । ବିଜୟର ମାଆର ନାଁ ପ୍ରକୃତରେ କଣ, ସେଇଟା କାହାକୁ ଜଣାନାହିଁ । ତେବେ ସମସ୍ତେ ତାକୁ ମନ୍ଦାର ବୋଲି ଡାକନ୍ତି । ଦେଖିବାକୁ କିଟିକିଟା କଳା । ତେବେ ସାହିର ବୁଢ଼ୀମାନେ କହନ୍ତି, ମାଆ ମହାକାଳୀ ଭଳି ବିଜୟର ମାଆ ଦେଖାଯାଉଥିବାରୁ, ଦେବୀ କାଳୀଙ୍କ ପାଖରେ ଲାଗୁଥିବା ମନ୍ଦାର ଫୁଲ ନାଁରେ ସମସ୍ତେ ତାକୁ ଡାକନ୍ତି ମନ୍ଦାର ।

ଅନେକ ଦିନ ପର୍ଯ୍ୟନ୍ତ ବିଜୟ ଜାଣିନଥିଲା ତା ବାପା କିଏ ? ସେ କେବଳ ଏତିକି ଜାଣିଥିଲା ଯେ, ତାର ଏଇ ଗାଁ । କିନ୍ତୁ ଧୀରେ ଧୀରେ ଯେତେବେଳେ ବଡ଼ ହେଲା ଏବଂ ସ୍କୁଲ ଗଲା, ଲୋକଙ୍କ କଥାବାର୍ତ୍ତାରୁ ଜାଣିପାରିଲା ଯେ, ଚାରିଟା ଘର ଛାଡ଼ି ପଞ୍ଚମ ଘରେ ଯେଉଁ ବୀରେନ୍ଦ୍ର ରାଉତରାୟ ରହୁଛନ୍ତି, ସେ ହେଉଛନ୍ତି ତା ବାପା । କିନ୍ତୁ କେବେ ବି ତା ବାପା ତାକୁ କିମ୍ବା ତା ମାଆକୁ ପଦେ କଥା କହିବା, ସେ ଶୁଣିନି । ଏପରିକି ସେ ତାର ହେତୁ ଜାଣିଲା ଦିନଠୁ କେବେ ଦେଖିନି ତା ବାପା ମାଆ କେବେ ପରସ୍ପର ସହିତ କଥାବାର୍ତ୍ତା ହେବାର ଦୃଶ୍ୟ । ବାହାର ଲୋକଙ୍କଠୁ ଶୁଣିଥିଲେ ବି, କେବେ ବିଜୟ ସାହସ କରିନି ପଚାରିବାକୁ ତା ମାଆକୁ ଯେ ବାପା କାହିଁକି ସେମାନଙ୍କ ସହିତ ସମ୍ପର୍କ ରଖିନାହାନ୍ତି? ତା ବାପା କାହିଁକି କେବେ ନିଜେ ବାପା ହେବାର କର୍ତ୍ତବ୍ୟ କରୁନାହାନ୍ତି? ବାପାର ଘରଦ୍ୱାର, ଜମିବାଡ଼ି ସବୁଥିବା ସତ୍ତ୍ୱେ ସେ କାହିଁକି ତା ମାଆ ସହିତ ଏମିତି ଦୁଃଖୀ ଦରିଦ୍ରଙ୍କ ପରି ଦିନ କାଟୁଛି? ବାରମ୍ବାର ଚିନ୍ତା କରୁଛି, ଭାବୁଛି, କିନ୍ତୁ ମାଆକୁ ପଚାରିପାରୁନି ବିଜୟ ।

ମନ ଭିତରେ ସବୁ ପ୍ରଶ୍ନକୁ ଚପେଇ ଦେଇ ସବୁଦିନ ସକାଳୁ ସ୍କୁଲକୁ ବାହାରୁଛି ବିଜୟ । ଅନ୍ୟ ପିଲାମାନଙ୍କଠାରୁ ତା ଶାରୀରିକ ଗଠନ ଟିକିଏ ଭିନ୍ନ । ନିଜ ବୟସ ତୁଳନାରେ ସେ ଅଧିକ ଡେଙ୍ଗା, ବଳୁଆ ଏବଂ ଦେଖିବାକୁ ରାଜାପୁଅ ଭଳି । ତା ମାଆ ସିନା ତ୍ରିପଣ୍ଡ କାଳୀ, କିନ୍ତୁ ସେ ଦେଖିବାକୁ ସମ୍ପୂର୍ଣ୍ଣ ଓଲଟା । ଯେକେହି ଦେଖିଲେ କହିଦେବ, ବୀରେନ୍ଦ୍ର ରାଉତରାୟର ପୁଅ ସେ ବୋଲି । ବିଜୟର ଶାରୀରିକ ଦକ୍ଷତା ତାକୁ ସ୍କୁଲରେ ଅନ୍ୟପିଲାଙ୍କଠାରୁ ଅଲଗା କରିଦେଇଛି। ଯାହା ଫଳରେ ସ୍କୁଲରେ ଆୟୋଜିତ ସମସ୍ତ ସ୍କୁଲସ୍ତରୀୟ, ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ତାକୁ ବଛାଯାଇଛି ପ୍ରତିଯୋଗୀ ଭାବରେ । ସେ ପଞ୍ଚାୟତ କ୍ରୀଡ଼ାଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ପାଇଛି । ସେଦିନ ବି ସ୍କୁଲ ପ୍ରଧାନଶିକ୍ଷକଙ୍କ ସହିତ ବିଜୟ ଯାଇଥିଲା ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସାମିଲ ହେବାକୁ । ଗାଁଠାରୁ ପ୍ରାୟ ତିରିଶ କିଲୋମିଟର ଦୂରରେ ଚାଲିଥାଏ ପ୍ରତିଯୋଗିତା । ଦିନ ପାଖାପାଖି ବାରଟା ହେବ, ଏତିକି ବେଳେ ସେଇଠି ପହଞ୍ଚିଲେ ବିଜୟର ମାମୁଁ । କହିଲେ ବାପାରେ, ତୋର ମ୍ୟାଚ୍ ହୋଇଛି କି ନାହିଁ ମୁଁ ଜାଣିନି, କିନ୍ତୁ ତତେ ଏଇଠି ଏତିକିରେ ଖାଳ ଛାଡ଼ି ମୋ ସାଙ୍ଗରେ ଗାଁକୁ ଯିବାକୁ ହେବ । ସମୟ ଅଭାବ ଯୋଗୁଁ ତତେ ଅଧିକ କିଛି କହି ପାରିବି ନାହିଁ । ତୁ ଗାଁକୁ ଗଲେ ସବୁ ଜାଣିଯିବୁ । ବିଜୟ ତା ମାମୁଁଙ୍କଠାରୁ ଏତିକି କଥା ଶୁଣିବା ପରେ, ତାର ଆଉ ମନ ଲାଗିଲା ନାହିଁ ଖେଳରେ । ସେ ପ୍ରଧାନଶିକ୍ଷକଙ୍କୁ କହି ସେଠାରୁ ଫେରିଗଲା ଗାଁକୁ ।

ଘରେ ପହଞ୍ଚିଲା ବେଳକୁ ତା ଦୁଆର ମୁହଁରେ ପାଖାପାଖି ପାଞ୍ଚଶ ଲୋକ ରୁଣ୍ଡ ହୋଇଥାନ୍ତି । ଅଧିକାଂଶ ସ୍ତ୍ରୀ ଲୋକ ବାହୁନି କାନ୍ଦୁଥାନ୍ତି । କିଛି ବୁଝି ପାରୁନଥିଲା ବିଜୟ । ସମସ୍ତଙ୍କୁ ଆଡ଼େଇ ଦେଇ ଘର ଭିତରକୁ ପଶିଗଲା ବିଜୟ । ଅନ୍ଧାରୁଆ ବଖରାଏ ଘର ଭିତରେ ଗୋଟିଏ କଡ଼ରେ ଜଳୁଥାଏ ଡିବିରିଟାଏ । ସେହି ଡିବିରି ଆଲୁଅରେ ଏତେ ବେଶୀରେ ସେ କିଛି ଦେଖିପାରୁନଥିଲା । କିନ୍ତୁ ଅତି ସ୍ପଷ୍ଟ ଭାବେ ଦେଖିପାରୁଥିଲା, ଗୋଟିଏ ମଶିଣା ଉପରେ ପଡ଼ି ରହିଛି ତା ମାଆ ମନ୍ଦାର । କଳା କିଟିକିଟି ମୁହଁଟା ତାକୁ ଉଜ୍ଜ୍ୱଳ ଦେଖାଯାଉଥିଲା । ମାଆର ସୀମନ୍ତରେ ଏତେ ସିନ୍ଦୂର ଝଟକୁଥିଲା ଯେ, ଲାଗୁଥିଲା ସତେ ଯେମିତି କିଏ ଗୋଟିଏ ତାଜା ମନ୍ଦାର ଫୁଲ ସେଇଠି ତା ମାଆର ମୁକୁଟ ଭଳି ସଜାଇ ଦେଇଛି । ବିଜୟ ଜାଣିପାରିଲା, ତା ମାଆ ଆଉ ଏ ଦୁନିଆରେ ନାହିଁ । କଣ କରିବ କିଛି ଭାବିପାରୁନଥିଲା ସେ । ମାଆର ଶୁଦ୍ଧିକ୍ରିୟା ବଡ଼ କଷ୍ଟେମଷ୍ଟେ ଶେଷ ହେଲା। କିନ୍ତୁ ଏ ସବୁ ସତ୍ତ୍ୱେ ବିଜୟ ଆଖିରେ ଟୋପାଏ ବି ଲୁହ ନଥିଲା । ଲାଗୁଥିଲା ସେ ଯେମିତି ଏଣିକି ପଥର ହୋଇ ଯାଉଛି । ତାର ଇଛା ହେଉଥିଲା ତା ବାପାଙ୍କ ଦୁଆର ଆଗରେ ଠିଆ ହୋଇ ଆଜି ମନଖୋଲି ପଚାରିବାକୁ, ପ୍ରକୃତରେ ତା ମାଆ କଣ କିଛି ଭୁଲ୍ କରିଥିଲା ? କ’ଣ ପାଇଁ ତା ମାଆକୁ ଏମିତି ଉପେକ୍ଷା କଲେ ସେ ? ସେ ନିଜେ କିଛି ଭୁଲ୍ କରିଛି କି ? ତା ହେଲେ କୌଣସି ଭୁଲ୍ ନଥାଇ ତାକୁ କାହିଁକି ଏମିତି କଷ୍ଟ ସହିବାକୁ ପଡୁଛି? ବାପା ଏବଂ ସାବତ ମାଆ ଥିବା ସତ୍ତ୍ୱେ ସେ ଏବେ ଅନାଥ । ମାଆ ମରିବାର ପନ୍ଦର ଦିନ ଭିତରେ ଗାଁରୁ କୁଆଡ଼େ ନିଖୋଜ ହୋଇଗଲା ବିଜୟ। କୁଆଡ଼େ ଗଲା, କଣ କଲା, ମଲା କି ହଜିଲା .. ତାର କୌଣସି ଖବର ରଖିଲେନି କେହି । ଗାଁ ଲୋକ ବି ନୀରବ ରହିଲେ । କେହି ବୀରେନ୍ଦ୍ର ରାଉତରାୟଙ୍କୁ ପଚାରିଲେନି, ଏମିତି ଏକ ନିଷ୍ପାପ ଶିଶୁର ଜୀବନ ସହିତ କାହିଁକି ଖେଳିଲେ ସେ । ପ୍ରତିଷ୍ଠା ପ୍ରତିପତ୍ତି ଆଗରେ ସମସ୍ତେ ଚୁପ୍ । ଗାଁ ଲୋକଙ୍କ ପାଇଁ ଇତିହାସ ପାଲଟିଗଲା ବିଜୟ ।

ହେଲେ ସମୟଠୁ ଅଧିକ ବଳବାନ୍ ତ କେହି ନୁହେଁ । ଏହାରି ଭିତରେ ପ୍ରାୟ କୋଡ଼ିଏ ବର୍ଷ ବିତିଗଲାଣି । ବୀରେନ୍ଦ୍ର ରାଉତରାୟଙ୍କ ଦ୍ୱିତୀୟ ପତ୍ନୀଙ୍କ ଦୁଇ ପୁଅରୁ ଗୋଟିଏ ପୁଅ ଖୁବ୍ କମ୍ ବୟସରେ ଚାଲିଗଲା ଆରପାରିକୁ । ନିଜର ଔଦ୍ଧତ୍ୟ ପାଇଁ ଜୀବନ ହରାଇବାକୁ ପଡ଼ିଲା ତାକୁ । ଅନ୍ୟର ଝିଅ ବୋହୂଙ୍କୁ କୁଦୃଷ୍ଟିରେ ଦେଖୁ ଦେଖୁ, ଦିନେ ଯେ ଲୋକେ ତାକୁ ମାଡ଼ିବସି ନିର୍ଦ୍ଧୁମ ପିଟିବେ, ସେ କଥା ସେ ଭାବିନଥିଲା । ଲୋକଙ୍କ ମାଡ଼ରେ ତାର ଅଧିକାଂଶ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହୋଇଯାଇଥିଲା । ସେଥିପାଇଁ ମାଡ଼ ଖାଇବାର ତିନି ଦିନ ଭିତରେ ତାର ଖେଳ ଖତମ୍ । ବଡ଼ପୁଅଟା ଗୋରୁଗଙ୍ଗାଟାଏ । ଏକଦମ୍ ଭଲ ପିଲାଟାଏ । ଭଗବାନ ତାର ବି ପରୀକ୍ଷା ନେଇଛନ୍ତି । ଏକ ଦୁର୍ଘଟଣାର ଶିକାର ହୋଇ ଖୁବ୍ କମ୍ ବୟସରେ ସେ ତା ସ୍ତ୍ରୀକୁ ହରାଇଛି । ତେବେ ନିଜ ବାପା ଦୁଇ ଦୁଇଟି ବିବାହ କରି ଲୋକନିନ୍ଦାର ଶିକାର ହୋଇଥିବାରୁ, ତାର ସ୍ତ୍ରୀ ନଥିବା ସତ୍ତ୍ୱେ ସେ ପୁନର୍ବିବାହ ପାଇଁ ପ୍ରସ୍ତୁତ ନୁହେଁ । ବାପା ଯେତେ ବୁଝାଇଲେ ବି, ସେ ବୁଝିବାକୁ ନାରାଜ ।

ଧୀରେ ଧୀରେ ବୀରେନ୍ଦ୍ର ରାଉତରାୟଙ୍କ ବଳ ବୟସ ଢଳି ଢଳି ଆସୁଛି । ସେ ଅହଂକାର, ସେ ଅଭିମାନ ଆଉ ନାହିଁ । ଘର ଚଳେଇବା ବଡ଼ କଷ୍ଟକର ହୋଇପଡ଼ିଛି ଏବେ ପୂରା ପରିବାର ପାଇଁ । ଏ ସବୁ ଭିତରେ ରାଉତରାୟଙ୍କୁ ଘାରିଛି ନିଜ ବଂଶ ଉଦ୍ଧାରର ଚିନ୍ତା । ଆଗକୁ ବୀରେନ୍ଦ୍ର ରାଉତରାୟଙ୍କ ବଂଶରେ ତାହେଲେ କଣ ଆଉ କେହି ରହିବେ ନାହିଁ ? ଗୋଟିଏ ପୁଅ ତ ମଲା । ଆଉ ଗୋଟିଏ ପୁଅ ସ୍ତ୍ରୀ ହରାଇବା ପରେ ବାହା ହେବାକୁ ନାରାଜ । ଏଭଳି ସ୍ଥଳେ ତାଙ୍କୁ ଭବିଷ୍ୟତରେ ପାଣି ଟୋପାଏ ଦେବା ପାଇଁ ତାହେଲେ ଆଉ କିଏ ରହିବ ? ଦିନ ରାତି ଏହି ଚିନ୍ତା ଘାରିଛି । ବୃଦ୍ଧ ବୀରେନ୍ଦ୍ର ରାଉତରାୟଙ୍କୁ ଆଉ ରାତିରେ ନିଦ ହେଉନି । ଏବେ କିଛି ଦିନ ହେଲା ଯଦି କଦବା କେମିତି ତାଙ୍କ ଆଖି ଟିକିଏ ଲାଗିଯାଉଛି, ସେତିକି ବେଳେ ତାଙ୍କୁ ଦେଖାଯାଉଛି ତାଙ୍କ ଉପେକ୍ଷିତ ଦିବଙ୍ଗତ ପତ୍ନୀ ମନ୍ଦାରର ସୀମନ୍ତରେ ଝଟକୁ ଥିବା ମନ୍ଦାର ଫୁଲ ଭଳି ନାଲି ସିନ୍ଦୂର । ତା ସହିତ ଦେଖାଯାଉଛି, ଅଭିମାନ ଓ ରାଗର ଏକ ମିଶ୍ରିତ ଭାବ ନେଇ ଗୋଟିଏ କଣରେ ଠିଆ ହୋଇ ଏକ ପ୍ରଶ୍ନିଳ ଆଖିରେ ତାଙ୍କ ଆଡ଼କୁ ଦେଖୁଥିବା ସେହି ଏଗାର ବାର ବର୍ଷିଆ ବିଜୟର ମୁହଁ । ହଠାତ୍ ସେ ଚମକି ଉଠୁଛନ୍ତି । ଚାରିଆଡ଼କୁ ନଜର ବୁଲାଇ ଦେଖୁଛନ୍ତି, କାହିଁ କେଉଁଠି ତ ବିଜୟ ନାହିଁ । ତାହେଲେ ସେ କ’ଣ ସ୍ୱପ୍ନ ଦେଖୁଥିଲେ ? ତା ପରେ ବୀରେନ୍ଦ୍ର ରାଉତରାୟଙ୍କ ମନ ଅଶାନ୍ତ ଗ୍ରହ ଭଳି ଖୋଜି ବୁଲୁଛି ବିଜୟକୁ । ହେଲେ ନିରାଶ ହେବାକୁ ପଡୁଛି ତାଙ୍କୁ । ଏଭଳି ଭାବେ ଚିନ୍ତାଗ୍ରସ୍ତ ବୀରେନ୍ଦ୍ର ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛନ୍ତି । ସଂସାରରୁ ମୋହ ଛାଡ଼ିଗଲା ଭଳି ଲାଗୁଛି ।

ମାନସିକ ଯନ୍ତ୍ରଣା ଓ ଆତ୍ମଗ୍ଳାନିରେ ଦିନ କାଟୁଥାନ୍ତି ବୀରେନ୍ଦ୍ର । ଏତିକି ବେଳେ ଦିନେ ହଠାତ୍ ଗାଁରେ ପହଞ୍ଚିଲା ଜଣେ ବତିଶ ବର୍ଷୀୟ ସୁନ୍ଦର, ସୁଢଳ ତଥା ସୁଠାମ ଯୁବକ । ସାଙ୍ଗରେ ଥିଲା ତାର ସ୍ତ୍ରୀ ଏବଂ କୋଳରେ ଗୋଟିଏ ଦେଢ଼ବର୍ଷର ପୁଅ । ଗାଁ ଦାଣ୍ଡରେ ସେ ଚାଲୁଥିବାର ଦେଖି ତାଙ୍କୁ ଚିହ୍ନି ପାରିଥିଲେ ବୀରେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ। ପଛରୁ ଡାକିଲେ, ବିଜୟ .. ଆରେ ବିଜୟ .. ବାପା ବିଜୟ .. । ପଛକୁ ଫେରି ଚାହିଁଲା ବିଜୟ । ଦେଖିଲା, ତା ଆଖି ସାମ୍ନାରେ ତାର ସାବତ ମାଆ । କ’ଣ କରିବ, କ’ଣ ନାହିଁ .. କିଛି ଚିନ୍ତା କରିପାରୁନଥିଲା ସେ । ଏତିକି ବେଳେ ତା ପାଖକୁ ଚାଲିଆସିଲା ତାର ସାବତ ମାଆ । କହିଲା, ଆରେ ମୁଁ ମାଆରେ ତୋର । ମତେ ଚିହ୍ନିପାରୁନୁ ? ବିଜୟର ଇଚ୍ଛା ହେଉଥିଲା ତାକୁ ପଚାରିଦେବାକୁ, ଯେଉଁଦିନ ମୋ ମାଆ ମରିଯାଇଥିଲା, ସେଦିନ କଣ ତମକୁ ମୁଁ ଦେଖାଯାଇନଥିଲି ? ସେଦିନ କଣ ତମେ ମତେ ତମର ପୁଅ ବୋଲି ଡାକିଥିଲ ? ଆଜି ତାହେଲେ କାହିଁକି ହଠାତ୍ ମତେ ଦେଖି, ତମର ଏ ବାତ୍ସଲ୍ୟ ଜାଗ୍ରତ ହେଉଛି? ଏତିକି ବେଳେ ବିଜୟ ଗାଁକୁ ଆସିଛି .. ଏହି ଖବରଟା ପୂରା ଗାଁରେ ହୁରିପଡ଼ିଗଲା । ଗାଁର ବୁଢ଼ାବୁଢ଼ୀ ସମସ୍ତେ ଦାଣ୍ଡକୁ ବାହାରି ଆସି ଦେଖିଲେ ତାକୁ । କେହି କେହି ତା ପାଖକୁ ଯାଇ, ତାର ହାତ ଓଠ ଆଉଁସି ଦେଇ କେତେ କଣ ପଚାରିଦେଲେ । କୁଆଡ଼େ ପଳେଇଥିଲୁରେ ବାପା .. ଏତେଦିନ ପରେ ତତେ ଗାଁ କଥା ମନେ ପଡ଼ିଲା? ହଉରେ ମାହାପ୍ରୁ ତୋର ମଙ୍ଗଳ କରନ୍ତୁ । ତୁ ଯେଉଁଠି ରହୁଛୁ, ସେଇଠି ଭଲରେ ଥାଆ। ବୁଢ଼ୀ ଜଣେ ତ କହିପକେଇଲା, କାହିଁକି ତୁ ଆଉ ଏ ଗାଁକୁ ଆସିଥାନ୍ତୁ .. କଣ ପାଇଁ .. କହିଲୁ .. ତୋ ମାଆ ଗଲା ପରେ ତୋର ଆଉ ଏଇଠି କିଏ ଅଛି ଯେ, ଭଲା ତୁ ଏ ଗାଁକୁ ଆସିଥାନ୍ତୁ । ବିଜୟ କେବଳ ସମସ୍ତଙ୍କ କଥା ଶୁଣୁଥାଏ । ଦାଣ୍ଡ ମଝିଟାରେ ଠିଆ ହୋଇଥାନ୍ତି ବିଜୟ, ତା ସ୍ତ୍ରୀ ଓ ତାର କୁନିପୁଅ । ସେମାନଙ୍କୁ ଘେରି ଠିଆ ହୋଇଥାନ୍ତି ଗାଁର ପିଲାରୁ ବୁଢ଼ା ସମସ୍ତେ । ଏତିକି ବେଳେ ବାଡ଼ି ଖଣ୍ଡିଏ ଧରି ଠିକ୍ ଭାବେ ଚାଲିପାରୁନଥିବା ବୀରେନ୍ଦ୍ର ରାଉତରାୟ ଅତି କଷ୍ଟରେ ପାଦ ପକାଇ ଆସି ପହଞ୍ଚିଲେ ସେଇଠି । ଲୋକଙ୍କ ଭିଡ଼କୁ ଆଡ଼େଇ ଚାଲି ଠିଆ ହୋଇପଡ଼ିଲେ ବିଜୟ ସାମ୍ନାରେ । ବୃଦ୍ଧ ବୀରେନ୍ଦ୍ର ରାଉତରାୟଙ୍କୁ ଲାଗୁଥିଲା ସତେ ଯେମିତି ସେ ଦର୍ପଣ ସମ୍ମୁଖରେ ଠିଆ ହୋଇ ନିଜ ଯୌବନକୁ ଦେଖୁଛନ୍ତି । ତାଙ୍କୁ ଲାଗୁଥିଲା ଯେମିତି, ଉଦ୍ଦାମ ଯୁବକ ବୀରେନ୍ଦ୍ର ରାଉତରାୟଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ବୃଦ୍ଧ, ପରାଜିତ ତଥା ଆତ୍ମଗ୍ଳାନିରେ ଦଗ୍ଧୀଭୂତ ବୀରେନ୍ଦ୍ର ରାଉତରାୟ ।

ନିଜ ସାମ୍ନାରେ ନିଜ ବାପାଙ୍କୁ ଦେଖି ବି ନିର୍ବିକାର ଭାବରେ ଠିଆ ହୋଇଥାଏ ବିଜୟ । ଏତିକିବେଳେ ହଠାତ୍ ବିଜୟର ପାଦତଳେ ପଡ଼ିଗଲେ ବୀରେନ୍ଦ୍ର ରାଉତରାୟ । ଭୋ ଭୋ ହୋଇ କାନ୍ଦିଉଠିଲେ । ନିଜର କରିଲା କର୍ମପାଇଁ କ୍ଷମା ମାଗୁଥିଲେ ବିଜୟକୁ । ତୁ ଓ ତୋ ମାଆର ମୁଁ ଅପରାଧୀ । ମତେ କ୍ଷମା କରିଦେ । ଆଉ କେତେ ଦିନ ରହିବି ଏ ଦୁନିଆରେ କହିଲୁ? ଅନ୍ତତଃ ମଲାବେଳକୁ ତ କିଛି ଭଲ କାମ କରିଦେଇ ଯିବି । ନହେଲେ ଉପରେ ଭଗବାନ ମୋତେ କେବେହେଲେ କ୍ଷମା କରିବେ ନାହିଁ । ବୀରେନ୍ଦ୍ରଙ୍କ ଆଖିରୁ ବହି ଯାଉଥାଏ ଧାର ଧାର ଲୁହ । ବିଜୟର ଆଖିରେ ଆଖି ମିଶାଇ ଦେଖିପାରୁନଥାନ୍ତି ବୀରେନ୍ଦ୍ର । ହଠାତ୍ ତଳକୁ ନଇଁପଡ଼ି ବାପାଙ୍କୁ ଉଠାଇଲା ବିଜୟ । କହିଲା, ପ୍ରକୃତରେ ତମକୁ ପୁଅ ଦରକାର ନାହିଁ। ତମ ବଂଶ ରକ୍ଷା କରିବା ପାଇଁ ତମକୁ ମୋ ପୁଅ ଦରକାର । ସେଥିପାଇଁ ତମେ ଏ କୁମ୍ଭୀର କାନ୍ଦଣା କାନ୍ଦୁଛ । ହେଲେ ଯେଉଁ ଦିନଠୁ ମୋ ମାଆ ଚାଲିଯାଇଛି, ସେ ଦିନଠୁ ମୋର ଏ ଗାଁ ପ୍ରତି ସବୁ ମୋହ ତୁଟିଯାଇଛି। ତେଣୁ ନା ମତେ ତୁମର ପୁଅ ହେବାର ଅଛି, ନା ତମ ପାଖରେ ରହିବାର ଅଛି । ମୁଁ କେବଳ ଆସିଥିଲି, ମୋ ସ୍ତ୍ରୀ ଓ ପୁଅକୁ ଏଇଆ ଦେଖାଇବା ପାଇଁ ଯେ, ଏଇ ଦେଖ .. ଏଇଟା ସେଇ ଗାଁ ଯେଉଁଠି ମୁଁ ଜନ୍ମ ହୋଇଥିଲି । ହେଲେ ମୋତେ ମୋ ନିଜ ଲୋକମାନେ ହିଁ କେଉଁକାଳୁ ପର କରିଦେଇଛନ୍ତି । ଏତିକିବେଳେ ରାହା ଧରି କାନ୍ଦିଉଠିଲା ବିଜୟର ପୁଅ । ବିଜୟ କିଛି କହିବା ଆଗରୁ ତାକୁ ନିଜ କୋଳକୁ ଟାଣିନେଇଥିଲେ ବୀରେନ୍ଦ୍ର ରାଉତରାୟ । ଜେଜେ କୋଳକୁ ଯିବା ପରେ ଠକ୍ କିନା ବନ୍ଦ ହୋଇଗଲା ସେ ଛୁଆର କାନ୍ଦ । ସେଇଠି ଘେରିରହିଥିବା ଗାଁ ଲୋକେ ଏକାସାଙ୍ଗରେ ତାଳି ବଜାଇବାରେ ଲାଗିଲେ । ସେତିକିବେଳେ ସେ ଭିଡ଼ ଭିତରୁ ବାହାରି ଆସି ନାତିଟୋକାକୁ କୋଳକୁ ନେଇଗଲା ବିଜୟର ସାବତ ମାଆ । କହିଲା, ଦେଖିଲୁ ବାପ .. ସିଏ କେମିତି ତା ନିଜଲୋକଙ୍କୁ ଚିହ୍ନିଦେଲା । ସବୁ ଅଭିମାନ ସତ୍ତ୍ୱେ ବୁଢ଼ା ବାପାମାଆଙ୍କ କଥାମାନି ଘରକୁ ଗଲା ବିଜୟ । ରାତି ଘଡ଼ିକ ରହିଛି କି ନାହିଁ, ତା ପରଦିନ ସକାଳୁ ଦେଖିଲା ବେଳକୁ ଶୋଇଲା ଶେଯରୁ ଆଉ ଉଠିଲେନି ବୀରେନ୍ଦ୍ର ରାଉତରାୟ । ସେଇଟା ଥିଲା ତାଙ୍କ ଶେଷନିଦ୍ରା । ଯିଏ ବି ଦେଖିଲା, ତାକୁ ଲାଗୁଥିଲା ଯେମିତି ବୀରେନ୍ଦ୍ରଙ୍କ ମୁହଁରେ ଏକ ଅଭୂତପୂର୍ବ ହସ ଝଟକୁଛି । ଯେମିତି ସେ ଅପେକ୍ଷା କରି ରହିଥିଲେ, କେତେବେଳେ ତାଙ୍କ ବଂଶରେ ପାଣିଦେବା ପାଇଁ ପରବର୍ତ୍ତୀ ପ୍ରଜନ୍ମ ଘରେ ପାଦ ଦେବ, ଆଉ ସେ ଜୀବନର ସବୁ ପାପପୁଣ୍ୟର ହିସାବ ନିକାଶ ଶେଷ କରି ଚିରନିଦ୍ରାରେ ଶୋଇବେ । ଏତିକିବେଳେ ବିଜୟ ମନେ ମନେ ଭାବୁଥିଲା .. ମୋ ଭଳି ଗୋଟିଏ ଅଲୋଡ଼ା ପୁଅ ପାଇଁ କଣ ପ୍ରକୃତରେ ଅପେକ୍ଷା କରିଥିଲେ ବାପା? .. ###

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍- ୧୪୦୪୨୩ , ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.