Latest Odisha News

BREAKING NEWS

୬ ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ, ୮ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୭ ବିଧାନସଭା ସିଟପାଇଁ ଆଜି ଉପନିର୍ବାଚନ ହେଉଛି । ଏହି ୭ଟି ସିଟରେ ଥିବା ୫ଜଣ ବିଧାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ।

ତ୍ରୀପୁରାର ୨ଟି ସିଟ ବକ୍ସନଗର ଓ ଧନପୁର, କେରଳର ପୁତୁପଲ୍ଲୀ, ପଶ୍ଚିମବଙ୍ଗର ଧୁପଗୁଡି, ଉତ୍ତରାଖଣ୍ଡର ବାଗେଶ୍ଵର, ଉତ୍ତରପ୍ରଦେଶର ଘୋଷି ଓ ଝାଡଖଣ୍ଡର ଡୁମରି ଆସନରେ ଉପନିର୍ବାଚନ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ହେଉଛି ପ୍ରଥମ ନିର୍ବାଚନ ଲଢେଇ । ତେଣୁ ସମସ୍ତ ଫୋକସ୍ ଏହି ଦୁଇଟି ଦଳ ଉପରେ ରହିଛି । ସେପଟେ ୪ଟି ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଧୁପଗୁଡି ଓ ପୁତୁପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପାରସ୍ପର ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି । ସେପଟେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।

ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଚାଲିଛି । କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହେଉଛନ୍ତି । ଉତ୍ତରପ୍ରଦେଶର ଘୋଷି ଆସନରୁ ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟି, ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି  ଆଶା କରାଯାଉଛି । ସେପ୍ଟେମ୍ବର ୮ରେ ଏହାର ଫଳାଫଳ ପ୍ରକାଶ ପାଇବ । ଫଳାଫଳ ଉପରେ ଏବେ ପୁରା ଫୋକସ୍ ରହିଛି । ସେପଟେ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରୀତିକର ପରିସ୍ଥିତି ସାମ୍ନାକୁ ଆସିନାହିଁ ।

Leave A Reply

Your email address will not be published.