Latest Odisha News

BREAKING NEWS

ଆମେ ଏବେ ୨୦୨୩ରେ, ଆଗକୁ ବଢିବାର ସ୍ୱପ୍ନ ଦେଖାଉଛି ନବବର୍ଷ

ବ୍ୟୁରୋ : ସ୍ୱାଗତମ୍ ୨୦୨୩ । ନୂଆବର୍ଷର ଶୁଭକାମନା । ନବବର୍ଷର ସୂର୍ଯ୍ୟ ଉଦୟ ହେବା ଭଳି ସମସ୍ତଙ୍କ ଭାଗ୍ୟ ଉଦୟ ହେବାର ଶୁଭ ମନାସୁଛନ୍ତି ସଭିଏଁ । ପୁରୁଣା ବର୍ଷକୁ ଲୋକେ ଅତି ଖୁସିରେ ବିଦାୟ ଦେଇଛନ୍ତି । ୨୦୨୩କୁ ପାଛୋଟି ନେବା ପାଇଁ ଲୋକଙ୍କ ମନରେ ନାହିଁ ନଥିବା ଉଦବେଗ ।

୨୦୨୨ କୁ ବିଦାୟ ଦେବା ପରେ ପୁରୁଣା ବର୍ଷକୁ ସ୍ମୃତି କରିଛନ୍ତି ବିଶ୍ୱବାସୀ । ଏବେ ଆଗାମୀ ଦିନ ପାଇଁ ଭବିଷ୍ୟତ ଗଢିବା ପାଇଁ ଯୋଜନା କରୁଛନ୍ତି । ନୂଆବର୍ଷର ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି । ଘରେ ଘରେ ନୂଆ କ୍ୟାଲେଣ୍ଡର ଆଜିଠୁ ଟଙ୍ଗା ହୋଇଛି । ଆଜି ପ୍ରଥମ ଦିନ ରବିବାର ଛୁଟି ଥିବାରୁ ଲୋକେ ଖୁବ ଖୁସି ମଧ୍ୟ । କାରଣ ନବବର୍ଷର ଦିନଟିକୁ ଖୁସିରେ ପାଳନ କରିବାକୁ ସମସ୍ତେ ଯଥେଷ୍ଟ ସମୟ ପାଇଛନ୍ତି । ମନ୍ଦିରକୁ ଲୋକେ ଛୁଟିଛନ୍ତି । ପରିବାରର ଶୁଭ ମନାସି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହୁ ଏହି ଆଶିଷ ମାଗିଛନ୍ତି ।

ଜାନୁଆରୀ ୧ ତାରିଖ ବର୍ଷର ପ୍ରଥମ ମାସର ପ୍ରଥମ ଦିନ । ଏହାକୁ ଇଂରାଜୀ ନବବର୍ଷ ବୋଲି କୁହାଯାଏ । ହେଲେ ସାରା ବିଶ୍ୱବାସୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ନବବର୍ଷକୁ ସ୍ୱାଗତ କରି ଉତ୍ସବ ପାଳନ କରୁଛନ୍ତି । ପ୍ରତି ଦେଶରେ ନବବର୍ଷ ପାଳନର ଚିତ୍ର ଆମେ ଇଣ୍ଟରନେଟ, ଗୁଗଲ, ସୋସିଆଲ ମିଡିଆ ମାଧ୍ୟମରେ ଦେଖୁଛୁ ।  ଯାହା ଅନ୍ୟମାନଙ୍କୁ ମଧ୍ୟ ଉତ୍ସବମୁଖର ହେବା ପାଇଁ ଖୋରାକ୍ ଯୋଗାଉଛି ।

ଯେତେ ଦୁଃଖ ଥାଉ ପଛେ ପୁରୁଣା କଥାକୁ ଭୁଲି ଆଗକୁ ଆମେ କଣ କରିବା ସେଇ ଭାବନା ସମସ୍ତଙ୍କ ମନକୁ ଛୁଉଁଛି । ଆମେ ମଣିଷ । ସଂସାର ଦୁଃଖ ସୁଖରେ ଗଢା । ପରସ୍ପର ମଧ୍ୟରେ ଖୁସି ବାଣ୍ଟି ଦୁଃଖ ଦୂର କରିବା ପ୍ରୟାସରେ ହିଁ ଆନନ୍ଦ ଉପଲବ୍ଧି ହୁଏ । କରୋନା ଲୋକଙ୍କ ଜୀବନରୁ ସବୁ ଛଡାଇ ନେଇଛି । ତଥାପି ସବଳ ହେବାକୁ ଆମେ ଚେଷ୍ଟିତ । ଆଗକୁ ବି ଦୃଢମନା ହେବାକୁ ପ୍ରୟାସ ଚାଲିଛି । ୨ବର୍ଷ ପରେ ସାରା ବିଶ୍ୱ ପୁଣି ଚଳଚଞ୍ଚଳ ହୋଇଛି । କରୋନାକୁ ମାତ୍ ଦେବା ପାଇଁ ବିଭିନ୍ନ ରଣନୀତି ହେଉଛି ।

କରୋନା ଅନେକଙ୍କୁ ଆମଠୁ ଛଡାଇ ନେଇଛି । ବହୁ ନାମୀ ଦାମୀ ବ୍ୟକ୍ତି, କଳାକାର ଆମଠୁ ଦୂରେଇ ଯାଇଛନ୍ତି । ଯେପରିକି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର, ଡିସ୍କୋ କିଙ୍ଗ୍ ବାପି ଲାହିରି,  ସନ୍ଧ୍ୟା ମୁଖାର୍ଜୀ, କେ.କେ., ସନ୍ତୁର ବାଦକ ପଣ୍ଡିତ ଶିବ କମାର ଶର୍ମା, ପଣ୍ଡିତ ବିର୍ଜୁ ମହାରାଜ, ରାଜୁ ଶ୍ରୀବାସ୍ତବ । ଓଡିଶାରେ ମିହିର ଦାସ, ନିମାଇଁ ମହାନ୍ତି, ପ୍ରଫୁଲ୍ଲ କର, ରାଇମୋହନ, ଝରଣା ଦାସ ଆରପାରିକୁ ଚାଲିଯାଇଛନ୍ତି ।

ବିଶ୍ୱରେ ଅନେକ ଘଟଣା ଯେପରି ରୁଷ-ୟୁକ୍ରେନ ଯୁଦ୍ଧ, ଭାରତ-ପାକିସ୍ତାନ ଓ ଭାରତ-ଚୀନ ସୀମା ବିବାଦ, ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ୨୦୨୩ରେ ଏସବୁ ସମସ୍ୟା ଯେପରି ସହଜରେ ଅପସରି ଯିବ ସେଇ କାମନା କରୁଛୁ । ଓଡ଼ିଶା ସମ୍ବାଦ ତରଫରୁ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ।

Leave A Reply

Your email address will not be published.