Latest Odisha News

BREAKING NEWS

ବାହାନଗା ଦୁର୍ଘଟଣା ପରେ ୨ ରାଜ୍ୟର ଶହେରୁ ଅଧିକ ଯାତ୍ରୀଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ମୃତାହତଙ୍କ ତାଲିକା ସରକାରଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି । ଏସଆରସି, ବିଏମସି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୱେବସାଇଟରେ ମୃତାହତଙ୍କ ଫଟୋ ରହିଛି । ତଥାପି ପଶ୍ଚିମବଙ୍ଗ ଓ ବିହାରର ଶତାଧିକ ଯାତ୍ରୀଙ୍କ ଖୋଜ ଖବର ମିଳୁ ନଥିବା ଅଭିଯୋଗ ହୋଇଛି ।

ଏଏନ୍ଆଇକୁ ବିହାରର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହାନଆୱାଜ ଆଲମ୍ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଦୁର୍ଘଟଣାରେ ବିହାରର ୪୩ ଜଣଙ୍କ ମୃତ୍ୟୁ ହୋଇଛି । ୪୪ ଜଣ ଆହତ ହୋଇଥିବା ବେଳେ ୮୮ ଜଣ ନିଖୋଜ ଥିବା ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଥିଲେ । କହିଥିଲେ ପଶ୍ଚିମବଙ୍ଗର ୩୧ ଜଣ ଯାତ୍ରୀ କେଉଁଠି, କିଭଳି ଅଛନ୍ତି ଜଣା ପଡ଼ୁନି । ମଙ୍ଗଳବାର ମମତା ୩୧ ଜଣ ନିଖୋଜ ଥିବା ଅଭିଯୋଗ କରିବା ପରେ ବିହାର ୮୮ ଜଣ ନିଖୋଜ ଥିବା ଅଭିଯୋଗ କରିଛି ।

ତେବେ ୨ ରାଜ୍ୟର ଶତାଧିକ ଯାତ୍ରୀ କୁଆଡ଼େ ଗଲେ ତାକୁ ନେଇ ପ୍ରଶ୍ନ ଉଠୁଛି । ସରକାରଙ୍କ ପକ୍ଷରୁ ବିଏମସି ୱେବସାଇଟରେ ୪ ତାରିଖ ରାତି ୮ଟା ୩୦ ସୁଦ୍ଧା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବିହାରର ପ୍ରାୟ ୮୪ ଜଣ ଏବଂ ପଶ୍ଚିମବଙ୍ଗର ୧୨୫ ଜଣ ଏବେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.