Latest Odisha News

ଚକା ତଳେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ଏଇ କିଛିଦିନ ତଳେ ଲଖିମ୍‌ପୁର୍ ଖେରୀରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭରତ କୃଷକମାନଙ୍କ ଉପରେ ଯେପରି ଭାବେ ଗାଡ଼ି ଚଢ଼େଇ ହତ୍ୟା କରାଗଲା ଓ ଘଟଣାର ଚାରି ଦିନ ଯାଏ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କରାଗଲା ନାହିଁ, ଓଲଟି ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ନେତାମାନଙ୍କୁ ଗିରଫ କରାଗଲା ଏବଂ ଏ ସମସ୍ତ ଘଟଣାକୁ ଗଣମାଧ୍ୟମ କମ୍ ଗୁରୁତ୍ୱ ଦେଇ ମୁମ୍ବାଇର ରେଭ୍ ପାର୍ଟିରେ ଗିରଫ ହୋଇଥିବା ସେଲିବ୍ରେଟିଙ୍କ ପୁଅର ଖବରକୁ ବଢ଼େଇ ଚଢ଼େଇ ପ୍ରଚାର କଲା, ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ହେଉଛି, ଶାସନତନ୍ତ୍ରଠାରୁ ଆରମ୍ଭ କରି ଗଣମାଧ୍ୟମ ଯାଏ ସମସ୍ତେ ଚାଷୀଙ୍କ ବିରୁଦ୍ଧରେ ।

ଲଖିମ୍‌ପୁର୍ ଖେରୀରେ ଯାହା ଘଟିଲା ତାହା କୌଣସି ଗୁଣରେ ଗଣହତ୍ୟାଠାରୁ କମ୍ ନୁହେଁ । ଏହି ଘଟଣାରେ ଯଦି ଆମ ସାମୂହିକ ବିବେକ ବିଚଳିତ ହେଉନାହିିଁ, ତେବେ ବୁଝିଯିବାକୁ ହେବ ଯେ ଆମ ସାମୂହିକ ବିବେକ ଉପରେ ପଥର ଲଦି ହୋଇଯାଇଛି । ଦଳ ପ୍ରେମ ବା ସରକାର ବନ୍ଦନାରେ ମଗ୍ନ ନ ରହି ଦେଶର ଜଣେ ସଚ୍ଚା ନାଗରିକା ଭାବେ ଏହି ଘଟଣାକୁ ନିନ୍ଦା କରାଯିବା ଦରକାର । ନହେଲେ ସବୁଦିନ ପାଇଁ ଚାଷୀଙ୍କ ଭାଗ୍ୟ ନେତାଙ୍କ ଗାଡ଼ିର ଚକା ତଳେ ପେଶି ହୋଇଯିବ ଓ ଆମେ ନୀରବ ଦ୍ରଷ୍ଟା ସାଜିଥିବା ।

ଗତ ୩ ଅକ୍ଟୋବରରେ ଉତରପ୍ରଦେଶର ଲଖିମ୍‌ପୁର୍ ଖେରୀଠାରେ ବିକ୍ଷୋଭ ପ୍ରଦର୍ଶନ କରିସାରି ଶାନ୍ତିପୂର୍ଣ୍ଣ ଭାବେ ଚାଲି ଚାଲି ଫେରୁଥିବା ଚାଷୀମାନଙ୍କ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏକ ଗାଡ଼ି ପଛ ଆଡ଼ୁ ମାଡ଼ି ଯିବାରୁ ଚାରି ଜଣ ଚାଷୀଙ୍କ ସମେତ ମୋଟ୍ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ହେଉଛି ଯେ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ୍ ମିଶ୍ରା ଗାଡ଼ି ଚଳାଉଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ନାମରେ ଦଫା ୩୦୨ରେ ହତ୍ୟା ଅଭିଯୋଗ ବି ହୋଇଛି । କିନ୍ତୁ ଦେଖାଗଲା ଯେ, ଘଟଣାର ଚାରି ଦିନ ଯାଏ ଅଭିଯୁକ୍ତଙ୍କୁ ଗିରଫ କରାଗଲା ନାହିଁ । ଚାଷୀମାନେ ମୃତ ବ୍ୟକ୍ତିଙ୍କ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସତ୍ତ୍ୱେ ବି ଉତ୍ତର ପ୍ରଦେଶ ପ୍ରଶାସନ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଚାଲିଲା । ଓଲଟି କଂଗ୍ରେସ୍ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମୃତକଙ୍କ ପରିବାରକୁ ଭେଟିବାକୁ ଲଖିମ୍‌ପୁର୍ ଖେରୀ ଯାଉଥିବା ସମୟରେ ଉତ୍ତର ପ୍ରଦେଶ ପୋଲିସ୍ ତାଙ୍କୁ ଗିରଫ କଲା । ରାଜ୍ୟସଭା ସଦସ୍ୟ ଦୀପେନ୍ଦର ହୁଦାଙ୍କୁ ବି ଅଟକ ରଖାଗଲା । ପଞ୍ଜାବର ମୂଖ୍ୟମନ୍ତ୍ରୀଙ୍କୁ ଉତ୍ତର ପ୍ରଦେଶରେ ପଶିବାକୁ ସୁଯୋଗ ଦିଆଗଲା ନାହିଁ । ଛତିଶ୍‌ଗଡ଼ର ମୂଖ୍ୟମନ୍ତ୍ରୀ ଭୁପେଶ୍ ବାଘେଲ୍‌ଙ୍କୁ ଲକ୍ଷ୍ନୌ ବିମାନ ବନ୍ଦରଠାରେ ଅଟକ ରଖାଯିବାରୁ ସେ ସେହିଠରେ ଧାରଣାରେ ବସିଲେ । ଉତ୍ତର ପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ଅଖିଳେଶ୍ ଯାଦବଙ୍କୁ ତାଙ୍କ ଘରେ ବନ୍ଦୀ କରି ରଖାଗଲା । ମୋଟାମୋଟି ଭାବେ କହିବାକୁ ଗଲେ ଏପରି ଏକ ଜଘନ୍ୟ ଘଟଣା ଘଟିବା ପରେ କୌଣସି ବିରୋଧୀ ଦଳର ନେତାଙ୍କୁ ଉତ୍ତର ପ୍ରଦେଶରେ ପଶିବାକୁ ଦିଆଗଲା ନାହିଁ ।

କିନ୍ତୁ ପ୍ରଶ୍ନ ଉଠୁଛି, ଉତର ପ୍ରଦେଶ ପୋଲିସ୍ ପ୍ରଥମେ ବିରୋଧୀ ଦଳ ନେତାମାନଙ୍କୁ ଗିରଫ କରିବା କଥା ନା ଏପରି ଜଘନ୍ୟ କାଣ୍ଡ ଘଟେଇ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା କଥା! ଅଭିଯୁକ୍ତ ଆଶିଷ ମିଶ୍ରା ବାହାରେ ବୁଲୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ଚାଷୀଙ୍କୁ ସମର୍ଥନ କରିବାକୁ ଯାଉଥିବା ନେତାମାନଙ୍କୁ ଗିରଫ କରାଗଲା । ଏହା କ’ଣ ଆମ ନୂଆ ଭାରତର ଓ ବିକଶିତ ଉତ୍ତର ପ୍ରଦେଶର ଗଣତନ୍ତ୍ରର ନୂଆ ନମୂନା! ଯେଉଁ ସମୟରେ ଚାଷୀ ଆନ୍ଦୋଳନ ଉପରେ ଏପରି ବର୍ବରୋଚିତ ଆକ୍ରମଣ ହେଲା ଠିକ୍ ସେହି ସମୟରେ ମାନ୍ୟବର ସୁପ୍ରିମ୍ କୋର୍ଟ ରାୟ ଶୁଣାଇଲେ ଯେ, ଚାଷୀ ଆନ୍ଦୋଳନ ବେଆଇନ୍ । ଏହା କ’ଣ କେବଳ ଏକ ସଂଯୋଗ ନା କେନ୍ଦ୍ରର ବିଜେପି ସରକାରର ସୁପର ମ୍ୟାନେଜ୍‌ମେଂଟର ଆଉ ଏକ ନମୂନା!

ଶାସନତନ୍ତ୍ର ଉପରେ ଭରସା ତୁଟାଇ ସାରିଥିବା ଚାଷୀକୂଳ ତେବେ କ’ଣ ନ୍ୟାୟାଳୟ ଉପରୁ ବି ମୁହଁ ଫେରାଇବାକୁ ବି ବାଧ୍ୟ ହେବେ? ଏବେ ଚାଷୀଙ୍କ ପାଇଁ କ’ଣ ରାଜରାସ୍ତା ହିଁ ଏକମାତ୍ର ଭରସା? ରାଜରାସ୍ତାରେ ବି ଚାଷୀମାନଙ୍କ ଉପରେ ପଛପଟୁ ଗାଡ଼ି ଚଢ଼େଇ ହତ୍ୟା କରାଯାଉଛି । ରାସ୍ତା ଉପରେ କଣ୍ଟା ପୋତାଯାଇ ଚାଷୀଙ୍କ ବାଟ ବନ୍ଦ କରାଯାଉଛି । ଚାଷୀମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ କୁହାଯାଉଛି । ତେବେ ନିଜର ପ୍ରତିବାଦ ଜଣେଇବାକୁ ଚାଷୀଙ୍କ ପାଖରେ ଆଉ ରାସ୍ତା କ’ଣ ବଞ୍ଚିଲା ?

ଏହାଦ୍ୱାରା ସରକାର ପରୋକ୍ଷରେ ଚେତାବନୀ ଦେଉଛନ୍ତି ଯେ, ମର ପଡ଼ ପଛେ କିନ୍ତୁ ଆମ କଥାକୁ ମାନିନିଅ । ଠିକ୍ ଏମିତି ତ ବ୍ରିଟିଶ୍‌ମାନେ ପରାଧୀନ ଭାରତରେ କହୁଥିଲେ । ଚାଷୀମାନଙ୍କ ଉପରେ ଏପରି ବର୍ବରୋଚିତ କାଣ୍ଡ ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା କହିଲେ, ଚାଷୀମାନେ ନିଜେ ହିଂସା କରିବାରୁ କିଛି ଚାଷୀ ମୃତ୍ୟୁବରଣ କରିଛନ୍ତି । ଗଣମାଧ୍ୟମମାନେ ବି ମନ୍ତ୍ରୀଙ୍କ କଥାକୁ ପ୍ରଚାର କଲେ ଯେ, ଚାଷୀମାନେ ହିଂସ୍ର ହୋଇଉଠିବାରୁ ଏପରି ଘଟଣା ଘଟିଗଲା ।

କୌଣସି ବି ଆଗ ଧାଡ଼ିର ଗଣମାଧ୍ୟମମାନେ ଚାଷୀମାନଙ୍କ ଉପରେ ହୋଇଥିବା ସଂହାରଲୀଳାକୁ ପ୍ରଚାର ନକରେଇ ଓଲଟି ଚାଷୀମାନଙ୍କ ଉପରେ ଦୋଷ ଲଦି ଚାଲିଲେ । କିନ୍ତୁ ଭାଗ୍ୟ ଭଲ ସାମାଜିକ ଗଣମାଧ୍ୟମ ଯୋଗୁ ଚାଷୀମାନଙ୍କ ଉପରେ ଗାଡ଼ି ଚଢ଼ାହୋଇଥିବାର ଭିଡ଼ିଓ ସାମ୍‌ନାକୁ ଆସିଲା । ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ଶାନ୍ତିପୂର୍ଣ୍ଣ ଭାବେ ଚାଷୀମାନେ ଚାଲୁଥିବା ବେଳେ ପଛପଟୁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଗାଡ଼ି ତାଙ୍କୁ ଚକଟି ଚାଲିଯାଉଛି । ଏତଦ୍‌ବ୍ୟତୀତ ଛାତି ଥରେଇ ଦେଇଥିବା ଏହି ଘଟଣାରେ ଯେତେବେଳେ ସାରା ଦେଶ ସ୍ତବ୍‌ଧ ଓ ଚାଷୀମାନେ ମୃତକଙ୍କ ଶବ ରଖି ଆନ୍ଦୋଳନ କରୁଛନ୍ତି ସେତେବେଳେ ବି ଗଣମାଧ୍ୟମର ନିଦ ଭାଙ୍ଗୁନି । ଗଣମାଧ୍ୟମ ଏହି ଖବରକୁ ପ୍ରସାରଣ ନକରି ବାରମ୍ବାର ଶାହରୁଖ୍ ଖାନ୍‌ର ପୁଅର ଖବରକୁ ଅଧିକ ଗୁରୁତ୍ୱ ଦେଉଛି । ବଡ଼ ଆଶ୍ଚର୍ଯ୍ୟ ଲାଗେ ଯେ, କ’ଣ ପାଇଁ ଗଣମାଧ୍ୟମମାନେ ଏହି ଘଟଣାକୁ ଚପେଇ ଦେବା ପାଇଁ ବ୍ୟସ୍ତ? କାହାର ନିର୍ଦ୍ଦେଶରେ ବା କାହାର ସ୍ୱାର୍ଥରେ?

ସବୁଠାରୁ ଦୁଃଖ, ପରିତାପ ଓ ଦୁର୍ଭାଗ୍ୟର ବିଷୟ ଯେ, ଆମ ପ୍ରଗଳ୍ଭ ପ୍ରଧାନମନ୍ତ୍ରୀ ଚାରି ଦିନ ଯାଏ ବି ଘଟଣା ସମ୍ବନ୍ଧରେ ପଦେ କହିଲେ ନାହିଁ କି ଅଭିଯୁକ୍ତ ହୋଇଥିବା ବ୍ୟକ୍ତିର ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିତାଡ଼ିତ କଲେ ନାହିିଁ । ତା’ହେଲେ କ’ଣ ବୁଝିବାକୁ ହେବ ଯେ, ସମସ୍ତେ ଗୋଟିଏ ପଟେ ଥିବା ବେଳେ ବିଚରା ଚାଷୀମାନେ ଗୋଟିଏ ପଟେ! ତେବେ କ’ଣ ଏହା ଏକ ଉନ୍ମୁକ୍ତ ଯୁବକର କାଣ୍ଡ ନୁହେଁ, ଖୋଦ୍ ସରକାର ବି ଚାଷୀମାନଙ୍କୁ ଏମିତି ସାବାଡ଼୍ କରିବାକୁ ଚାହାନ୍ତି ?

ଦୀର୍ଘଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସରକାର ଭ୍ରୁକ୍ଷେପ ନକରିବା ଓ ଚାଷୀମାନଙ୍କ ଉପରେ ଗାଡ଼ି ମଡ଼େଇ ହତ୍ୟା କରିଥିବା ଅଭିଯୁକ୍ତକୁ ସୁରକ୍ଷା ଦେବା ଓ ସମୁଦାୟ ଘଟଣାରେ ଆମ ପ୍ରଧାନମନ୍ତ୍ରୀ ଅସମ୍ଭବ ଭାବେ ନୀରବତା ଅବଲମ୍ବନ କରିବା ମାଧ୍ୟମରେ ସରକାର କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ସରକାର ଓ ପ୍ରଧାନମନ୍ତ୍ରୀ ପ୍ରତିବାଦର ଉର୍ଦ୍ଧ୍ୱରେ! ସରକାରଙ୍କୁ କେହି ବିରୋଧ କରିପାରିବେ ନାହିଁ? ଯଦି ଯିଏ ବିରୋଧ କରିବ, ସେମାନଙ୍କୁ ଲଖିମ୍‌ପୁର୍ ଖେରୀ ପରି ଘଟଣାକୁ ସାମ୍‌ନା କରିବାକୁ ପଡ଼ିବ । ସରକାର କ’ଣ ତାଙ୍କ ବିରୋଧୀମାନଙ୍କୁ ଡରେଇ ଧମକେଇ ହତ୍ୟା କରି ସାବାଡ଼୍ କରିବାକୁ ଚାହୁଁଛନ୍ତି! ଏହା କ’ଣ ବିଶ୍ୱର ବୃହତମ ଗଣତନ୍ତ୍ରର ପରିଚୟ?

ଏହା ସ୍ପଷ୍ଟ ଯେ, ଏପରି କାମ ଦ୍ୱାରା ସରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ଲୋକମାନଙ୍କୁ ଡରିବାକୁ ହେବ । ନଡରିଲେ ମରିବ । ବଲିଉଡ଼୍‌ରେ ଗୋଟିଏ ଭୂତ ସିନେମା ଥିଲା ‘ଡର୍‌ନା ମନା ହୈ’। ସରକାରଙ୍କ ଏହି ଚଳଚ୍ଚିତ୍ରର ନାଁ ହେବ ‘ଡରନା ଜରୁରୀ ହୈ’। ଅଭିଯୁକ୍ତ ମନ୍ତ୍ରୀଙ୍କ ପୁଅ ଚାରି ଦିନ ଯାଏ ଖୋଲାରେ ବୁଲିବା ଦ୍ୱାରା ଗୋଟିଏ କଥା ତ ବୁଝି ହେଉଛି ଯେ, ଆମ ଦେଶର ଚାଷୀମାନଙ୍କ ଭାଗ୍ୟ ବଡ଼ବଡ଼ିଆ ନେତାମାନଙ୍କ ଗାଡ଼ିର ଚକା ତଳେ । କିନ୍ତୁ ଇତିହାସ ବାରମ୍ବାର ପ୍ରମାଣ କରିସାରିଛି ଯେ, କିଛି ଲୋକଙ୍କୁ କିଛି ଦିନ ପାଇଁ ବନ୍ଧୁକ ମୁନରେ ବା ପୋଲିସ୍ ଭୟରେ ବା ଗାଡ଼ିର ଚକା ତଳେ ପେଶି ଦେଇ ହେବ । କିନ୍ତୁ ସବୁ ଲୋକଙ୍କୁ ସବୁ ଦିନ ପାଇଁ ନୁହେଁ । କଥା କଥାରେ ରାମାୟଣର ଉଦାହରଣ ଦେଉଥିବା ଆମ ପ୍ରଧାନମନ୍ତ୍ରୀ ବୋଧେ ଭୂଲି ଯାଉଛନ୍ତି ରାମାୟଣରେ ରାବଣର ଅହଂକାର ବି ରହିଲାନି । ଇତିହାସରେ ହିଟ୍‌ଲର୍ ଓ ମୁସୋଲିନୀଙ୍କ ପରି ନିଷ୍ଠୁର ଶାସକଙ୍କ ବଡ଼େଇ ବି ନିଶ୍ଚିହ୍ନ ହୋଇଗଲା । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମତାର ଔଦ୍ଧତ୍ୟ ବି ରହିବନି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଚାଷୀଙ୍କ ମିଳିତ ଶକ୍ତି ଓ ଶହୀଦ୍ ହୋଇଥିବା ଚାଷୀଙ୍କ ବଳିଦାନ ଶାସନତନ୍ତ୍ରକୁ ଦିନେ ନା ଦିନେ ଉଚିତ୍ ଜବାବ୍ ଦେବ ।

ଏବେ ସାଧାରଣ ଲୋକମାନଙ୍କ ପାଇଁ ବି ଘଟଣାକୁ ଗମ୍ଭୀରତାର ସହିତ ବୁଝିବାର ସମୟ ଆସିଯାଇଛି । ଆଜି ଯେତେବେଳେ ଚକା ତଳେ ଚାଷୀମାନେ ମରୁଛନ୍ତି, ଆମେ ଯଦି ଚୁପ୍‌ ରହିବା ତେବେ ସମୟ ଆସିବ ସେ ଚକା ତଳେ ଆମ ପାଳି ବି ପଡ଼ିବ । ତେଣୁ ଦଳ ମତ ନିର୍ବିଶେଷରେ ସମ୍ପ୍ରତି ଚାଷୀ ତଥା ଅନ୍ନଦାତାଙ୍କ ପଛରେ ଠିଆ ହେବାର ସମୟ ଆସିଛି । ନଚେତ୍ ଡରେଇ ଧମକେଇ ଶାସନ କରିବାକୁ ଇଛା ରଖିଥିବା ଗୋଷ୍ଠୀଙ୍କ  ପରବର୍ତ୍ତୀ ଟାର୍ଗେଟ୍ ଯେ ଆମେ ନହେବା ସେକଥା କହି ହେବନାହିଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭

Leave A Reply

Your email address will not be published.