Latest Odisha News

ଶିକ୍ଷା ସଂପର୍କ ଗଲା କୁଆଡ଼େ?

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଗଲା ସାତ ମାସ ହେଲା ପାଠପଢା ବେଶ ଅସହାୟ ଅବସ୍ଥାରେ ପଡ଼ି ରହିଛି । ପିଲା ପଢୁଛନ୍ତି କି ନାହିଁ, କିଏ ପଢାଉଛି, କଣ ପଢାଉଛି, ଯଦି ବି ପଢା ଯାଉଛି, ତାହା ପିଲାଙ୍କ ପାଖରେ ପହଂଚୁଛି କି ନାହିଁ- ସେସବୁ କେହି ଦେଖୁ ନାହାନ୍ତି । ବାସ୍‌- ସ୍କୁଲ ବନ୍ଦ କରି ଦେଇ ଭୁବନେଶ୍ୱରରେ ଭାଷଣ ମାରି ନୂଆ କମିଟି ଗଠନ ଓ ଯୋଜନା ସଂପର୍କରେ ଘୋଷଣା କରିବା ବ୍ୟତୀତ କୌଣସି ଆଖିଦୃଶିଆ ପଦକ୍ଷେପ ସରକାର ନେଇ ନାହାନ୍ତି । ଫଳରେ ଏମିତି ଅବସ୍ଥାରେ ହୋଲିଠାରୁ ଦିବାଲି ପର୍ଯ୍ୟନ୍ତ ରାଜ୍ୟର ସ୍କୁଲ ଗୁଡ଼ିକ ବନ୍ଦ ପଡ଼ିଛି ।

ପ୍ରଥମେ ରାଜ୍ୟ ସରକାର ‘ଶିକ୍ଷା ସଂଯୋଗ’ ଆରମ୍ଭ କରିଥିଲେ । କହିଥିଲେ- ଅନଲାଇନରେ ପିଲାଙ୍କୁ ପାଠ ପଢାଯିବ । ସେଇ ଅନୁସାରେ ଖୁବ ପ୍ରଚାର ଚାଲିଲା । ହ୍ୱାଟସଆପ୍ ଗ୍ରୁପ୍ ବି ଖୋଲିଲା । ପରେ ମୋବାଇଲରେ ଅନଲାଇନ କ୍ଲାସ ଆରମ୍ଭ ହେଲା । କିନ୍ତୁ ଯୋଉଠି ରାଜ୍ୟର ହଜାର ହଜାର ଗାଁରେ ବିଜୁଳି ନାହିଁ କି ସଡ଼କ ନାହିଁ, ସେଠି ପିଲା ଆଣ୍ଡ୍ରଏଡ଼୍ ଫୋନ ଧରି ପାଠ ପଢିବେ, ତାହା ନିଶ୍ଚିତ ଭାବେ କୌଣସି ଅମଲା କି ମନ୍ତ୍ରୀ ଦେଖିଥିବା ଏକ ସ୍ୱପ୍ନ ମାତ୍ର!

କେହି କେବେ ଭାବିଲେ ନାହିଁ, ଷଷ୍ଠ, ସପ୍ତମ କି ତା’ଠାରୁ କମ କ୍ଲାସରେ କି ଉପର କ୍ଲାସରେ ପଢୁଥିବା ପିଲା କେମିତି ପଢିବେ ମୋବାଇଲରେ? କଣ ପଢା ହେଉଛି, କିଏ ସେସବୁ ଦେଖିଛି, କେତେ ପିଲା ସେ କ୍ଲାସରେ ଉପସ୍ଥିତ ରହୁଛନ୍ତି, ଶିକ୍ଷକ ସେଥିରେ କଣ କଣ ଶିକ୍ଷାଦାନ କରୁଛନ୍ତି, ତାହାର ତଦାରଖ କରିବା କାହାର ଦାୟିତ୍ୱ ହେଲାନାହିଁ । ସମସ୍ତେ ଛାଡ଼ି ଦେଲେ ଯାହା ହେଉଛି ହେଉ, ଆଉ ଭୁବନେଶ୍ୱରରେ ବିଭାଗୀୟ ମନ୍ତ୍ରୀ ଯାହା କହିଲେ ତାହା ହିଁ ମୁଖ୍ୟ ଖବର ହେଲା ।

ଅନଲାଇନ ଶିକ୍ଷାର ବିକଳ ଚିତ୍ର କ୍ରମଶଃ ସାମ୍ନାକୁ ଆସିବାକୁ ଆରମ୍ଭ ହେଲା । ପିଲା ବଣ ପାହାଡ଼ ଟପି କୋଡ଼ିଏ ଚାଳିଶ କିଲୋମିଟର ଚାଲି ନେଟୱର୍କ ପାଇବା ପାଇଁ ଗଲା ସାତ ମାସ ଧରି ସଂଘର୍ଷ କରିଛନ୍ତି । ପିଲା ଗଛ ଉପରେ ଚଢିଛନ୍ତି । ପିଲା ବିପଦସଂକୁଳ ଅବସ୍ଥାରେ ପାଣି ଟାଙ୍କି ଉପରେ ଚଢିଛନ୍ତି, ପାଠ ପଢିବାକୁ । ଘରେ ବୋଉର ସୁନା କାନଫୁଲ ବିକା ହୋଇ ଆଣ୍ଡ୍ରଏଡ଼୍ ଫୋନ କିଣା ହୋଇଛି, ପିଲା ପାଠ ପଢିବ ବୋଲି । ଅଭିଭାବକମାନେ ଫୋନ ଧରି ଘରୁ ବାହାରି ପାରି ନାହାନ୍ତି, ଫୋନ ଘରେ ରଖିଛନ୍ତି- କାରଣ ପିଲା ପଢିବ । ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ଅକଥନୀୟ ଅସୁବିଧାରେ ପଡ଼ିଛନ୍ତି । ସେମାନେ ପାହାଡ଼ ଚଢିଛନ୍ତି, ଅନେକ ବାଟ ଚାଲିଛନ୍ତି, ନିଇତି ଚାଲିଛନ୍ତି, ନିଇତି କ୍ଲାସ ପାଇଁ ପାହାଡ଼ ଚଢିଛନ୍ତି । ପୁଣି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୮ ଲକ୍ଷରୁ ଅଧିକ ପିଲା ଅନଲାଇନ ଶିକ୍ଷାରୁ ବଂଚିତ ହୋଇଛନ୍ତି । ୯୦ ପ୍ରତିଶତ ପିଲା ୪୦ ପ୍ରତିଶତ ପାଠ ଆଦୌ ପଢି ପାରି ନାହାନ୍ତି ।

ପରେ ସରକାର କହିଲେ ‘ଶିକ୍ଷା ସଂପର୍କ’ ଆରମ୍ଭ ହେବ । ଶିକ୍ଷକମାନେ ଏଣିକି ଗାଁ ଗାଁ ଯାଇ ପଢାଇବେ । ସେପ୍ଟେମ୍ବରରୁ ତାହା ଆରମ୍ଭ ହେବ ବୋଲି ଘୋଷଣା ହେଲା । ମାତ୍ର କାର୍ଯ୍ୟକାରୀ ହେଲାନାହିଁ । ଶିକ୍ଷକମାନେ ନିଜ ଘରେ, ସୁରକ୍ଷିତ ଜାଗାରେ ରହି ଆପଣା ଦାମୀ ମୋବାଇଲ ଜରିଆରେ ପାଠ ପଢାଇଲେ । କିନ୍ତୁ କଷ୍ଟ ଭୋଗିଲେ ପିଲାଏ । ସେମାନେ ଜଙ୍ଗଲ, ପାହାଡ଼, ନଈ, ଝରଣା ସବୁ ପାର କଲେ । ହେଲେ ଶିକ୍ଷକଙ୍କୁ ଗାଁକୁ ପଠାଇବାକୁ ସରକାର ମନ କଲେ ନାହିଁ କିମ୍ବା କଣ ଅସୁବିଧା ହେଲା, ତାହା ସରକାର ନିଜେ ଭଲ ଭାବେ ଜାଣିଥିବେ ।

ଛାତ୍ରଛାତ୍ରୀଙ୍କର କୌଣସି ସରକାରୀ ସାମାଜିକ ସୁରକ୍ଷା ନାହିଁ । ଅଧିକାଂଶ ପିଲାଙ୍କ ବାପା ତ ନିଇତି ଖଟିଲେ, ସଂଜକୁ ଚୂଲି ଜଳୁଥିବ । ସେମାନଙ୍କର ନା ଜୀବନ ବୀମା ଅଛି ନା ସରକାରୀ ଭାବେ କୌଣସି ଅନ୍ୟାନ୍ୟ ସୁବିଧା । କିନ୍ତୁ ସେମାନେ ଜୀବନକୁ ବାଜି ଲଗେଇଲେ ପାଠ ପଢିବାକୁ । ଇଆଡ଼େ ବସ ଚାଲିଲା, ରାଜ୍ୟରେ ସବୁ ଆଡ଼େ ଯିବା ଆସିବା ସୁବିଧା ହେଲା । କଟକଣା କୋହଳ ହେଲା । କିନ୍ତୁ ଶିକ୍ଷକ ଗାଁକୁ ଗଲେ ନାହିଁ ।

ଏଇଠି କହି ରଖିବା ନିହାତି ଜରୁରି- ଶିକ୍ଷକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଛି । ପ୍ରାୟ ସମସ୍ତ ଶିକ୍ଷକ ମୋଟା ଅଙ୍କର ଜୀବନବୀମା କରିଥିବେ । ତାଙ୍କ ପାଖରେ ବାଇକ୍‌, ଗାଡ଼ି ଅଛି । ସରକାର ପୁଣି ତାଙ୍କ ପଛରେ ଅଛି । ତାଙ୍କ ସଙ୍ଗଠନ ବେଶ ଶକ୍ତ ଆଉ ପ୍ରଭାବଶାଳୀ । ମାସକୁ ମାସ ସେମାନଙ୍କୁ ଭଲ ସରକାରୀ ଦରମା ମିଳୁଛି । କିନ୍ତୁ ସେମାନେ ଗାଁକୁ ଗଲେ ନାହିଁ । ପିଲାଙ୍କୁ ଚଲେଇଲେ । ଏଇ କେମିତି ବ୍ୟବସ୍ଥା ଓ ଇଏ କି ପ୍ରକାର ଶୋଷଣ? ଯଦି ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ବ୍ଲକ କର୍ମଚାରୀ, ଜିଲ୍ଲା କର୍ମଚାରୀ ଗାଁ ଗାଁ ବୁଲୁଛନ୍ତି, ଶିକ୍ଷକମାନେ ଯିବାରେ ଅସୁବିଧା କୋଉଠି?

ଯାହାର କିଛି ନାହିଁ ସେ ପରିଶ୍ରମ କଲା । କରୋନା କାଳରେ ନିଜ ଜୀବନକୁ ବାଜି ଲଗେଇ ଦୀର୍ଘ ରାସ୍ତା ପାଠ ପଢିବା ପାଇଁ ଚାଲିଲା । ଯାହାଙ୍କ ପାଖରେ ସମସ୍ତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଛି, ସେମାନେ ଘରେ ରହିଲେ । ହୁଏତ- ଏକଥା ପଢି ଅନେକ ଶିକ୍ଷକ, ଶିକ୍ଷକ ସଂଗଠନ ଏହାର ଦୃଢ ନିନ୍ଦା କରିବେ ଓ ପ୍ରତିବାଦ କରିବେ, କିନ୍ତୁ ଏହା ହିଁ ତ ନିର୍ମମ ବାସ୍ତବତା । ଏହା ହିଁ ତ ସତ ।

ଆପଣ ଭାବନ୍ତୁ ବିଜ୍ଞାନ କି ଗଣିତ ବିଷୟ କିପରି ମୋବାଇଲରେ ପଢାଇ ହେବ? ଆମ ରାଜ୍ୟର ଅଭିଭାବକମାନେ ଘରୋଇ ବିଦ୍ୟାଳୟର ଫି’ କାଟିବା ପାଇଁ ଦାବି କରୁଛନ୍ତି । କିନ୍ତୁ ମୁଁ ନିଜେ ଦେଖିଛି- ସରସ୍ୱତୀ ଶିଶୁ ମନ୍ଦିର ହେଉ କି ଅନ୍ୟ କୌଣସି ଘରୋଇ ବିଦ୍ୟାଳୟ, ସେଠାକାର ଶିକ୍ଷକମାନେ ସ୍କୁଲ ଆସି କଳାପଟା ଆଗରେ ମୋବାଇଲ ରଖି ଗଣିତ କି ବିଜ୍ଞାନ ପଢାଉଛନ୍ତି । ପିଲା ଯେମିତି ବୁଝି ପାରିବ । ସରସ୍ୱତୀ ଶିଶୁ ମନ୍ଦିର ଓ ବେସରକାରୀ ଶିକ୍ଷକମାନେ କେତେ ଦରମା ପାଆନ୍ତି? ସେମାନଙ୍କର କଣ କରୋନାକୁ ଭୟ ନାହିଁ? ସେମାନଙ୍କ ପଛରେ ସରକାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଛି କି? ସେଇ ଶିକ୍ଷକମାନଙ୍କର କୌଣସି ପ୍ରଭାବଶାଳୀ ସଂଗଠନ ଅଛି କି?

ହୋଲିରୁ ଦିବାଲି ପର୍ଯ୍ୟନ୍ତ (ବୋଧହୁଏ) ସ୍କୁଲ ବନ୍ଦ ହୋଇଗଲା । ପିଲାଙ୍କ ବର୍ଷକର ପାଠ ପଢା ଧୋଇଗଲା । ଆଉ ଚାରି ମାସ ପରେ ମ୍ୟାଟ୍ରିକ ପରୀକ୍ଷା । ପୁଣି ସେଥିରେ ସରକାରୀ ସ୍କୁଲରେ ହଜାରେ ଛୁଟି । ପୂଜା ଛୁଟି, ଏକ୍ସ ମାସ ଛୁଟି ଇତ୍ୟାଦି ଇତ୍ୟାଦି । ସେସବୁ ଲମ୍ବା ଛୁଟି । ଖରା ଛୁଟି ଆହୁରି ଲମ୍ବା । ଯେତେବେଳେ ଆମେ ଏକ୍ସମାସ ପାଳନ କରନ୍ତି ନାହିଁ ପ୍ରାୟତଃ, ସେତେବେଳେ ଏତେ ଲମ୍ବା ସେଇ ଛୁଟିର ଆବଶ୍ୟକତା କଣ? କଣ ପାଇଁ ବିଦ୍ୟାଳୟରେ ୧୭୦ ଦିନ ପାଖାପାଖି ଛୁଟି ରହୁଛି? ଶୀତ ଦିନ ପାଠ ପଢାଇବା ପାଇଁ ବେଶ ଭଲ ସମୟ । କିନ୍ତୁ ସେତିକିବେଳେ ଏକ୍ସମାସ ଛୁଟି ହେବ । ମହାବିଦ୍ୟାଳୟରେ, ଘରୋଇ ସ୍କୁଲରେ ଏ ଛୁଟି ନାହିଁ । କିନ୍ତୁ ଆମ ସରକାର ସେସବୁରେ ହାତ ମାରିବାକୁ ଡରୁଥିବେ ହୁଏତ!

ସମୟ ଗଡ଼ି ଯାଉଛି । ଅନ୍ତତଃ ଏବେଠାରୁ ‘ଶିକ୍ଷା ସଂପର୍କ’ ଆରମ୍ଭ କରନ୍ତୁ । ଶିକ୍ଷକମାନେ ଗାଁ ଗାଁକୁ ଯାଆନ୍ତୁ । ବହୁତ ମାସ ଛୁଟି ହୋଇଗଲା । ଏଣିକି ପାଠପଢା ଆରମ୍ଭ ହେଉ ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.