ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି, ଅନୁଷ୍କା ଶର୍ମା ଏବଂ ତାଙ୍କ ପରିବାର ଲଣ୍ଡନ ଶିଫ୍ଟ ହୋଇ ସାରିଛନ୍ତି । ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପତି ଡକ୍ଟର ଶ୍ରୀରାମ ନେନେ ଏହି ଖୁଲାସା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ନେନେଙ୍କର ଏକ ବଡ଼ ବ୍ୟକ୍ତବ୍ୟ ସାମ୍ନାକୁ ଆସିଛି । ରଣବୀର ଆଲ୍ଲାହାବାଦିଆଙ୍କ ପୋଡକାଷ୍ଟରେ ଆଲୋଚନା ସମୟରେ ଡକ୍ଟର ଶ୍ରୀରାମ ନେନେ କହିଛନ୍ତି ଯେ, ଅନୁଷ୍କା ତାଙ୍କୁ ଜଣାଇଥିଲେ ଯେ ସେମାନେ ଭାରତରେ ନିଜର ଅପାର ସଫଳତା ଓ ଲୋକପ୍ରିୟତାର ସଠିକ୍ ଉପଭୋଗ କରିପାରୁନାହାନ୍ତି । ସେମାନେ ଯେଉଁଆଡ଼େ ଗଲେ ବି ଗଣମାଧ୍ୟମ ଓ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଯାଉଛି ।
ଡକ୍ଟର ନେନେଙ୍କ ଅନୁସାରେ, ବିରାଟ ଓ ଅନୁଷ୍କା ନିଜ ପିଲାମାନଙ୍କୁ (ଝିଅ ବାମିକା ଏବଂ ପୁଅ ଅକାୟ) ଲାଇମଲାଇଟ୍ରୁ ଦୂରରେ ରଖି ଏକ ସାଧାରଣ ଓ ଶାନ୍ତ ପରିବେଶରେ ବଡ଼ କରିବାକୁ ଚାହୁଁଛନ୍ତି । ଅତ୍ୟଧିକ ଲୋକପ୍ରିୟତା ହେତୁ ସବୁବେଳେ ପାପାରାଜି ଓ ଲୋକଙ୍କ ନଜର ରହିଥାଏ । ରେଷ୍ଟୁରାଣ୍ଟରେ ଖାଇବା ସମୟରେ ବି ବାରମ୍ବାର ସେଲଫି ମାଗିବା ଦ୍ୱାରା ନିଜସ୍ୱ ପ୍ରାଇଭେସି ବଜାୟ ରଖିବା କଷ୍ଟକର ହୋଇପଡ଼େ, ଯାହାଫଳରେ ବ୍ୟକ୍ତି ଏକାକୀ ଅନୁଭବ କରେ । ଅନୁଷ୍କା ଓ ବିରାଟ ଗତ କିଛି ସମୟ ହେବ ଲଣ୍ଡନରେ ଅଧିକ ସମୟ ବିତାଉଛନ୍ତି, ଯେଉଁଠାରେ ସେମାନେ ବିନା କୌଣସି ଗଣମାଧ୍ୟମର ନଜରରେ ସାଧାରଣ ନାଗରିକଙ୍କ ଭଳି ଶାନ୍ତିରେ ଜୀବନ ବିତାଉଛନ୍ତି ।

