Latest Odisha News

BREAKING NEWS

କାହାର ହେବ ରଘୁନାଥପାଲୀ ?

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ। ଗତ ତିନିଟି ନିର୍ବାଚନରେ ବିଜେଡିରୁ ସୁବ୍ରତ ତରାଇ ଏଠାରେ ଜିତି ଆସୁଛନ୍ତି । ଏଥର ସୁବ୍ରତଙ୍କ ବଦଳରେ ତାଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ଅର୍ଚ୍ଚନାଙ୍କୁ ମିଳିଥିଲେ ବି ନିର୍ବାଚନ ରଣାଙ୍ଗନରେ ସୁବ୍ରତ ହିଁ ସାଜିଛନ୍ତି ସାରଥି। ସେପଟେ ବିଜେପିରୁ ଦୁର୍ଗା ତନ୍ତି  ଓ କଂଗ୍ରେସରୁ ଶ୍ରମିକ ନେତା ଗୋପାଳ ଦାସ ପ୍ରାର୍ଥୀ ହୋଇଛନ୍ତି ।

ଅର୍ଚ୍ଚନାଙ୍କ ରଥରେ ସୁବ୍ରତ ସାରଥି

ରଘୁନାଥପାଲୀ ବିଧାନସଭା ଆସନରୁ ତିନି ତିନି ଥର ଜିତିଥିବା ସୁବ୍ରତ ତରାଇଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ରହିଛି । ଦୀର୍ଘଦିନ ଧରି ସେ ନିଜ ଅଞ୍ଚଳଠୁ ଦୂରେଇ ରହିଥିବା ଅଭିଯୋଗ ହେଉଥିଲା । ଏପରିକି ବିଧାୟକଙ୍କ ଦେଖା ମିଳୁନଥିବାରୁ ପ୍ରତୀକାତ୍ମକ ଭାବେ ସୁବ୍ରତଙ୍କ ନିଖୋଜ ପୋଷ୍ଟର ଲଗାଇଥିଲେ ଅଞ୍ଚଳବାସୀ। ଚର୍ଚ୍ଚା ହେଉଥିଲା ରଘୁନାଥପାଲ୍ଲୀରେ ପ୍ରାର୍ଥୀ ବଦଳାଇବ ବିଜେଡି । ହେଲେ ସୁବ୍ରତଙ୍କ ଜାଗାରେ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କୁ ହିଁ ପ୍ରାର୍ଥୀ କରିଛି ବିଜେଡି । ଅର୍ଚ୍ଚନା ଲଢୁଥିଲେ ବି ତାଙ୍କ ବିଜୟ ଅଙ୍କ କଷୁଛନ୍ତି ସୁବ୍ରତ । ସୁବ୍ରତଙ୍କ ସଂଗଠନ, ଲୋକସଂପର୍କ ସାଙ୍ଗକୁ ବିଜେଡିର ବିକାଶ ଆଧାରରେ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି ଅର୍ଚ୍ଚନା । ତେବେ ସୁବ୍ରତଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିବାରୁ ଅର୍ଚ୍ଚନାଙ୍କ ପାଇଁ ସହଜ ହେବନି ରଘୁନାଥପାଲୀ ଲଢେଇ ।

କମିଥିଲା ଭୋଟ୍ ବ୍ୟବଧାନ

ଲଗାତର ରଘୁନାଥପାଲୀରୁ ସୁବ୍ରତ ବିଜୟୀ ହୋଇଥିଲେ ବି ତାଙ୍କର ଭୋଟ୍ ବ୍ୟବଧାନ କ୍ରମାଗତ ଭାବେ କମିଥିଲା । ଗତଥର ୪ହଜାର ୬୮୪ ଭୋଟରେ ବିଜେପି ପ୍ରାର୍ଥୀ ଜଗବନ୍ଧୁ ବେହେରାଙ୍କୁ ହରାଇଥିଲେ ସୁବ୍ରତ । ୨୦୧୪ରେ ବିଜୟ ବ୍ୟବଧାନ ରହିଥିଲା ୧୬ହଜାରରୁ ଅଧିକ । ଗତଥର ବିଜେପିର ଭୋଟ୍ ୫ପ୍ରତିଶତରୁ ଅଧିକ ବଢିଥିବା ବେଳେ ବିଜେଡି ଭୋଟ୍ ୫ପ୍ରତିଶତ କମିଥିଲା। ତେଣୁ ଏଥର ରଘୁନାଥପଲ୍ଲୀରେ କିଛି ବି ହୋଇପାରେ।

ବିଜେପି ପାଇଁ ବିଜୟ ସମ୍ଭାବନା !

ଗତଥର ସୁବ୍ରତଙ୍କୁ ଭଲ ଫାଇଟ୍ ଦେଇଥିଲେ ଜଗବନ୍ଧୁ ବେହେରା। ତେବେ ଏଥର ପ୍ରାର୍ଥୀ ବଦଳାଇ ବିଜୟ ରଣନୀତି ପ୍ରସ୍ତୁତ କରିଛି ବିଜେପି। ପ୍ରାର୍ଥୀ ହୋଇଛନ୍ତି ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ତଥା ଜଣାଶୁଣା ସମାଜସେବୀ ଦୁର୍ଗା ତନ୍ତୀ । ଦୀର୍ଘ ଦିନ ଧରି ଆରଏସଏସ ସହ ଜଡିତ ରହିଥିବା ଦୁର୍ଗା ଗତ ୧୫ବର୍ଷରେ ସୁବ୍ରତଙ୍କ ବିଫଳତାକୁ ଅସ୍ତ୍ର କରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । ସୁବ୍ରତ ବିରୋଧୀ ଲହର ସାଙ୍ଗକୁ ମୋଦି ହାଓ୍ବା ଦୁର୍ଗା ତନ୍ତୀଙ୍କ ପାଇଁ ବିଜୟ ବାଟ ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ବି ବିଜେପି ନେଇପାରେ । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଶ୍ରମିକ ନେତା ଗୋପାଳ ଦାସ । ତେବେ ଗତ ଦୁଇଟି ନିର୍ବାଚନରେ ତିନି ନମ୍ବର ସ୍ଥାନକୁ ଯାଇଛି କଂଗ୍ରେସ ।

ଅନେକ ସମସ୍ୟା ଘେରରେ ରହିଛି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ । ସଡକରୁ ସ୍ବାସ୍ଥ୍ୟ, ପାନୀୟ ଜଳରୁ ବ୍ରିଜ, ଅନେକ ସମସ୍ୟା ରହିଛି । ତେଣୁ କେବଳ ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ ନେତାଙ୍କ ଉପରେ ଭରସା କରି ଭୋଟ୍ ଦେବ ରଘୁନାଥପାଲୀ ।

Leave A Reply

Your email address will not be published.