Latest Odisha News

BREAKING NEWS

ପାଟକୁରାରୁ ଲଢ଼ିବେ ଅତନୁ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଭିୱେଟ ମାନଙ୍କର ଲଢେଇ ପାଟକୁରାରେ ହୁଏ। ବିଶେଷ କରି ବିଜୟ ମହାପାତ୍ରଙ୍କୁ ନେଇ ପାଟକୁରା ବିଷୟରେ ସବୁବେଳେ ଆଲୋଚନା ହୁଏ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାଟକୁରା ବିଧାନସଭା କ୍ଷେତ୍ରରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏବେ ପାଟକୁରା ବିଧାୟକ ଅଛନ୍ତି। ସାବିତ୍ରୀ ବିଧାୟକ ଥିଲେ ମଧ୍ୟ ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ସବୁ ରାଜନୈତିକ କାର୍ଯ୍ୟ ବୁଝୁଛନ୍ତି। ଆଗାମୀ ନିର୍ବାଚନରେ ସେ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସଂଜୟଙ୍କୁ ବିଜେଡି ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ସଂଜୟଙ୍କ ମା ସବିତ୍ରୀଙ୍କୁ ଟିକେଟ ମିଳିଲା। ଏଥର କିନ୍ତୁ ସଞ୍ଜୟ ଟିକେଟ ପାଇବା ନେଇ ପୁରା ଆଶାବାଦୀ।

ସେପଟେ ପାଟକୁରାରୁ ଏଥର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି। ଅତନୁ ପୂର୍ବରୁ ପାଟକୁରା ବିଧାୟକ ଥିବାବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ ମହାକଳପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି। ଆଗାମୀ ନିର୍ବାଚନରେ କିନ୍ତୁ ଅତନୁଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ପାଟକୁରା ପାଇଁ ଯେଉଁ ଅନ୍ୟ କିଛି ନାଁ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ରବି ସାମଲ ଅନ୍ୟତମ। ବିଜେଡିର ଚିହ୍ନା ଚେହେରା ରବି ସାମଲ ବହୁ ପୂର୍ବରୁ ପାଟକୁରାରୁ ବିଜେଡି ଟିକେଟ ଦାବିଦାର ରହିଛନ୍ତି। ସେପଟେ ଯୁବ ନେତା ଭାବେ ବିଶ୍ୱରଂଜନ ଦାଶଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ସେହିପରି ପାଟକୁରା କହିଲେ ପୂର୍ବରୁ ବିଜୟ ମହାପାତ୍ରଙ୍କୁ ବୁଝାଉଥିଲା। କିନ୍ତୁ ବିଜେଡି ଶାସନକୁ ଆସିବା ପରେ ବିଜୟ ମହାପାତ୍ର ଲଗାତର ହାରି ଚାଲିଛନ୍ତି। ବିଜୟ ମହାପାତ୍ର ପାଟକୁରା ସମେତ ମହାକଳପଡ଼ାରୁ ହାରିଛନ୍ତି। ଏଥର ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ବିଜୟ ମହାପାତ୍ର ବିଜେପିରୁ ଲଢ଼ି ହାରିଥିବା ବେଳେ ତାଙ୍କ ପୁଅ ବିଜେପିରୁ ଲଢ଼ିବେ କିମ୍ବା ତାଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ନଜର ରହିଛି।

ସେହିପରି ବିଜେପିରୁ ପୂର୍ବତନ ଖଦି ବୋର୍ଡ ସଭାପତି ତେଜେଶ୍ୱର ପରିଡା ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ତେଜେଶ୍ୱର କିଛି ଦିନ ତଳେ ବିଜେପିରେ ମିଶିଥିବା ବେଳେ ଏବେ ମୁଖପାତ୍ର ଭୂମିକା ତୁଲାଉଛନ୍ତି। ପାଟକୁରା ପାଇଁ ବିଜେପିରୁ ଉମାକାନ୍ତ ପଟ୍ଟନାୟକଙ୍କ ନାଁ କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ପୂର୍ବରୁ କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହେବା ସହ ହାରିଛନ୍ତି। ଏଥର ମଧ୍ୟ ସେ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ବେଳେ ବରୀ ଡେରାବିଶର ପୂର୍ବତନ ବିଧାୟକ ଚିନ୍ମୟ ବେଉରା ପାଟକୁରାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସରୁ ରତିକାନ୍ତ କାନୁନଗୋଙ୍କ ନାଁ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। ରତିକାନ୍ତ ପାଟକୁରାରେ ଦଳୀୟ କାର୍ଯ୍ୟକ୍ରମ କରୁଥିବା ଦେଖାଯାଇଛି।

ସୀମା ପୁନଃ ନିର୍ଦ୍ଧାରଣ ପରେ ପାଟକୁରାର ଚିତ୍ର ବଦଳିଥିଲା। ପାଟକୁରା ନିର୍ବାଚନ ମଣ୍ଡଳୀରେ ଏବେ ଡେରାବିଶ ବ୍ଲକର ୨୬ ପଂଚାୟତ ସମେତ ମାର୍ଶାଘାଇର ୭ ଟି ଓ
ଗରଦପୁରର ୧୮ ପଂଚାୟତ ରହିଛି। ତେଣୁ ଡେରାବିଶ ବ୍ଲକର ୨୬ ପଂଚାୟତ ବେଶ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ସାବିତ୍ରୀ ଅଗ୍ରୱାଲ ୯୬ ହଜାର ୩୦ ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର ୭୮ ହଜାର ୧୩୨ ଭୋଟ ପାଇଥିଲେ। କଂଗ୍ରେସର ଜୟନ୍ତ ମହାନ୍ତି କେବଳ ୨୧୦୪ ଖଣ୍ଡ ଭୋଟ ପାଇଥିଲେ।

ମହାକଳପଡ଼ା ନିର୍ବାଚନ ମଣ୍ଡଳୀ ପାଟକୁରାର ପଡୋଶୀ ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ପୂର୍ବରୁ ବିଜୟ ମହାପାତ୍ର ୨୦୧୪ ମସିହାରେ ମହାକଳପଡ଼ାରୁ ଲଢ଼ିଥିଲେ। କିନ୍ତୁ ୨୦୧୯ ରେ ବିଜୟ ପୁଣିଥରେ ପାଟକୁରାରୁ ଲଢ଼ିଥିଲେ। କିନ୍ତୁ ଏଥର ବିଜଯ ମହାପାତ୍ରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କର ନଜର ରହିଛି । ବିଜୟ ମହାପାତ୍ର ବିଜେପିରେ ଥିଲେ ମଧ୍ୟ ସନ୍ତୁଷ୍ଟ ନ ଥିବା ବିଭିନ୍ନ କଥାରୁ ଦେଖିବାକୁ ମିଳିଛି । ଏପରିକି ବିଜୟ ରାଜ୍ୟରେ ବିଆରଏସର ପ୍ରମୁଖ ଭୂମିକା ନିର୍ବାହ କରିବା ନେଇ ଚର୍ଚା ମଧ୍ୟ ହେଉଛି । ତେଣୁ ଏ ସବୁ ମଧ୍ୟରେ ଆଗାମୀ ନିର୍ବାଚନରେ ପାଟକୁରାର ରାଜନୈତିକ ଚିତ୍ର କଣ ହେବ ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.