Latest Odisha News

BREAKING NEWS

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ: ନବୀନ ଏଥର କରିବେ କି ଉପ-ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ସେପଟେ ଅନେକ ପୁରୁଣା ମନ୍ତ୍ରୀ ଓ ନୂଆ ଚେହେରାଙ୍କୁ ସଂଧ୍ୟା ବେଳୁ ନବୀନ ନିବାସରୁ ଫୋନ୍ ଯାଇଛି । ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ନୂଆ ଆଲୋଚନା ଆରମ୍ଭ ହେଲାଣି ରାଜନୈତିକ ବିଶ୍ଲେଷକଙ୍କ ମଧ୍ୟରେ ।

ନବୀନଙ୍କ ବର୍ତ୍ତମାନ ସମୟର ଅତି ନିକଟତର ଏବଂ ବିଶ୍ୱସ୍ତ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।
୨୨ ବର୍ଷର ଶାସନ କାଳରେ ନବୀନ କାହାକୁ ଉପ-ମୁଖ୍ୟମନ୍ତ୍ରୀ କରିନାହାନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଏବେ ପ୍ରଣବ ହେବେ କି ବସନ୍ତ ବିଶ୍ୱାଳଙ୍କ ପରେ ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ର? ଏହାକୁ ନେଇ ନବୀନ କିଛି ସଂକେତ ଦେଇନାହାନ୍ତି କି ଦଳୀୟ ନେତା ବି କେହି ମୁହଁ ଖୋଲି ନାହାନ୍ତି ।

“ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ମିଳିଥିବା ଅଦ୍ଭୂତ ପୂର୍ବ ସଫଳତାର ଶ୍ରେୟ ପ୍ରଣବ ପ୍ରକାଶ ଓରଫ ବବିଙ୍କୁ ଯାଉଛି ବୋଲି କେହି ମନାକରିପାରିବେନି । ହେଲେ ସରକାର ଅର୍ଥାତ୍ ମନ୍ତ୍ରୀମଣ୍ଡଳରେ କିଛି ପଦବୀରେ ନଥିବାରୁ ସେଠି ସେ ପ୍ରଭାବଶୂନ୍ୟ ହୋଇଯାଉଛନ୍ତି । ଯଦି ତାଙ୍କୁ ମନ୍ତ୍ରୀମଣ୍ଡଳରେ କିଛି ଗୋଟିଏ ସ୍ଥାନ ମିଳେ, ବିଶେଷ କରି ଉପ-ମୁଖ୍ୟମନ୍ତ୍ରୀ ତାହେଲେ ବବି ଆହୁରି ଭଲରେ ତାଙ୍କ ଦାୟିତ୍ୱକୁ ତୁଲାଇ ପାରିବେ” ବୋଲି ବବିଙ୍କ ନିକଟତର ଜଣେ ନେତା କହିଛନ୍ତି ।

ସେପଟେ ଆଉ କିଛି ନେତାଙ୍କ ଠାରୁ ଶୁଣିବାକୁ ମିଳୁଛି, ଯଦି ବବି ମନ୍ତ୍ରୀମଣ୍ଡଳରେ ସାମିଲ ହୁଅନ୍ତି ତାହେଲେ ତାଙ୍କ ସାଂଗଠନିକ କ୍ଷମତା କିଛିଟା ପ୍ରଭାବିତ ହେବ । ଏବଂ ସେ ସଂଗଠନରେ ଏତେଟା ଧ୍ୟାନ ଦେଇପାରିବେନି । ୨୦୨୪ ନିର୍ବାଚନକୁ ଲକ୍ଷ୍ୟ ରଖିଲେ ଯାହା ଦଳକୁ ଅକଳରେ ପକାଇପାରେ ।

ତେବେ ସମସ୍ତେ ଅପେକ୍ଷା କରିଛନ୍ତି ରବିବାର ସକାଳ । ରାତି ସୁଦ୍ଧା ଯାହାକୁ ଫୋନ ଯାଇଥିବ ସବୁ ଉତ୍ସାହିତ ହୋଇ ରାଜଭବନରେ ପହଞ୍ଚିଯିବେ ।
ତେବେ ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ପ୍ରକାର ଆଲୋଚନାରୁ କିଛି ତ ନିଷ୍କର୍ସ ବାହାରୁନି । ଅପେକ୍ଷା କେବଳ ରବିବାର ସକାଳ ।

Leave A Reply

Your email address will not be published.