Latest Odisha News

BREAKING NEWS

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଦୁଃଖିନୀ ମାଆ ଓ ଚାରି ଶିଶୁ କନ୍ୟା

କାମାକ୍ଷାନଗର: ବାପ ଛେଉଣ୍ଡ ୪ ଶିଶୁକନ୍ୟାକୁ ଧରି ବଞ୍ଚିବା ପାଇଁ ରାହା ଖୋଜୁଛି ଦୁଃଖିନୀ ମାଆ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି ।  ଗାଁର ହରିଜନ ସାହିରେ ବାସ କରୁଥିଲେ ରୋହିତ ନାୟକ ଓ  ତାଙ୍କ ସ୍ତ୍ରୀ ମମତା ନାୟକଙ୍କ ସହିତ ୪ ଝିଅ । ରୋହିତ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ବେଶ ହସଖୁସିରେ ଚାଲିଥିଲା ସେମାନଙ୍କର  ସଂସାର । ହେଲେ ହଠାତ ହସ ଖୁସିର ସଂସାରେ ଘୋଟି ଆସିଲା  ଦୁଃଖର କଳା ବାଦଲ  । କିଛି ମୁହୂର୍ତ୍ତରେ ସୁନାର ସଂସାର ଚୁନା ହୋଇଗଲା ।

ଅଜଣା ରୋଗରେ ପୀଡିତ ହୋଇ ରୋହିତଙ୍କର ମୃତ୍ୟୁ ହୋଇଗଲା । ରୋହିତଙ୍କର ମୃତ୍ୟୁରେ ଭାଙ୍ଗି ପଡ଼ିଲା ସମ୍ପୂର୍ଣ୍ଣ ପରିବାର । ବାପ ଛେଉଣ୍ଡ ହୋଇଗଲେ ଚାରି ଚାରୋଟି ଶିଶୁକନ୍ୟା । ଆଜକୁ ଠିକ ଏକ ମାସ ତଳେ ରୋହିତଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ତ୍ରୀ ମମତା । କେମିତି ପୋଷିବେ ଚାରି ଚାରୋଟି ଶିଶୁକନ୍ୟାଙ୍କୁ । ବଡ଼ଝିଅ ଦୀପା ଅଷ୍ଟମ ,ମଝିଆଁ ଝିଅ ସୋନାଲି ୬ଷ୍ଠ ଓ ରୋଜାଲିନ ୪ର୍ଥ ଏବଂ ୪ବର୍ଷର ସାନ ଏଲିନା ଅଙ୍ଗନୱାର୍ଡି କେନ୍ଦ୍ରରେ ପାଠ ପଢୁଛନ୍ତି। ସରକାରଙ୍କ ପକ୍ଷରୁ ୧୫ କିଲୋଗ୍ରାମ ଚାଉଳ ମିଳୁଛି । ଯେଉଁ ଚାଉଳରେ ମମତା ନିଜେ ଏବଂ ୪ ଝିଅଙ୍କର ପେଟ ପୋଷିବା ପାଇଁ ସକ୍ଷମ ନୁହଁନ୍ତି । ବାଧ୍ୟହୋଇ ସେ ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି  ।

ନିଜର ଦୁଃଖକୁ ସରକାରଙ୍କ ନିକଟରେ କହି ନିବେଦନ କରିଛନ୍ତି ।ଏ ନେଇ ସାହି ,ପଡିଶା ଓ ଗ୍ରାମବାସୀଙ୍କ ସହଯୋଗରେ ଜୀବନ ବିତାଉଛନ୍ତି ସମ୍ପୂର୍ଣ୍ଣ ପରିବାର । ଭାରତୀୟ ମାନବାଧିକାର ପରିଷଦ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଦୁଃଖବନ୍ଧୁ ବିଶ୍ୱାଳ ପରିବାର ଲୋକଙ୍କୁ କିଛି ଆର୍ଥିକ ସହଯୋଗ କରିଥିଲେ । ସରକାର ଏହି ପରିବାର ତଥା କୁନି କୁନି ଶିଶୁଙ୍କର ଦାୟିତ୍ବ ବହନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.