Latest Odisha News

BREAKING NEWS

ରାଜନୀତିରେ ମହିଳା ଅସ୍ତ୍ର !

ଭୁବନେଶ୍ୱର: ବିଜେଡି ଫୋକସରେ ସବୁବେଳେ ମହିଳା ରହି ଆସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ କଥା ସବୁଥିରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୁଏ। ଏବେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ମହିଳା ଥାନା ଅଧିକାରୀଙ୍କ ମଧ୍ୟରେ ଧକ୍କା ମରା ପ୍ରସଙ୍ଗକୁ ବିଜେଡି ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର କରିଛି।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବାରମ୍ବାର ଟ୍ୱିଟ ମାଧ୍ୟମରେ ବିଜେପିର ବରିଷ୍ଠ ନେତୃତ୍ୱଙ୍କୁ ଏ ନେଇ ଟାର୍ଗେଟ କରିଥିବା ଦେଖାଯାଇଛି। ଶାରୀରିକ ଆକ୍ରମଣର ଶିକାର ହୋଇଥିବା ଉକ୍ତ ମହିଳା ଅଧିକାରୀଙ୍କୁ ପାର୍ଟି କେବେ ନ୍ୟାୟ ଦେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ। ସେପଟେ ଘଟଣାର ଭିଡିଓ ସବୁ କିଛି ବୟାନ କରୁଥିବାରୁ ଏଥିରେ ଯିଏ ଯାହା ମନ୍ତବ୍ୟ ରଖିଲେ ମଧ୍ୟ ସବୁ କିଛି ସ୍ପଷ୍ଟ।

ଖୋଦ ବିରୋଧୀ ଦଳ ନେତାଙ୍କ ବିରୋଧରେ ଏ ସଙ୍ଗୀନ ଅଭିଯୋଗ ହୋଇଥିବାବେଳେ ବିଜେଡି ସମ୍ବେଦନଶୀଳ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଂଚାଉଛି। ଯାହାକୁ ନେଇ ଅଡୁଆ ବଢିବା ସ୍ୱାଭାବିକ ବୋଲି ଚର୍ଚ୍ଚା ହେଉଛି। ବିଜେଡିର ସବୁଠୁ ବଡ଼ ଶକ୍ତି ମହିଳା। ତେଣୁ ଜୟ ନାରାୟଣଙ୍କ ଏହି ପ୍ରସଙ୍ଗକୁ ତୃଣମୂଳ ସ୍ତରରେ ଆନ୍ଦୋଳନ ଜରିଆରେ ପହଞ୍ଚାଇବାକୁ ଉଦ୍ୟମ କରୁଛି ଶାସକ ଦଳ।

ଏପରିକି ନିଜର ମହିଳା ଏବଂ ଅନ୍ୟ ସଂଗଠନ ଦ୍ୱାରା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଗକୁ ନିର୍ବାଚନ ଥିବାରୁ ବିଜେପିକୁ ମହିଳା ବିରୋଧୀ ଭାବେ ଲୋକଙ୍କ ପାଖରେ ଦର୍ଶାଇବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି।

କିନ୍ତୁ ଭାଇରାଲ ଭିଡ଼ିଓରେ ଉକ୍ତ ମହିଳା ପୋଲିସ ଅଧିକାରୀ ଓ ଜୟ ନାରାୟଣଙ୍କ ମଧ୍ୟରେ ବଚସା ଓ ଉଭୟ ଉଭୟଙ୍କୁ ଧକ୍କା ମାରିବା ଦେଖିବାକୁ ମିଳୁଛି। ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା ଲୋକଙ୍କ ପାଖକୁ ଯେକୌଣସି ବାର୍ତ୍ତା ଦିଆଗଲେ ମଧ୍ୟ ଲୋକେ ନିଜେ ସବୁକୁ ପରଖି ହିଁ ନିଷ୍ପତ୍ତି ନେବେ।

Leave A Reply

Your email address will not be published.