Latest Odisha News

BREAKING NEWS

‘ଗୋଟିଏ ଦେଶ ଗୋଟିଏ ଦଳ’ ଫର୍ମୁଲା, ଭାରତରେ କେବଳ ବିଜେପି ରହିବ!

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଦେଶରେ ରାଜନୈତିକ ଉଷ୍ମତା ତୀଵ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାର ଦେଶରେ ଗୋଟିଏ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଏକକ ନାଗରିକ ସଂହିତାକୁ ନେଇ ରାଜନୀତି ତୀଵ୍ର ହୋଇଛି।

ଏଭଳି ସ୍ଥିତିରେ ମହାରାଷ୍ଟ୍ର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେଙ୍କ ଏକ ବୟାନ ଦେଶର ରାଜନୀତିକୁ ଚଳଚଞ୍ଚଳ କରିଛି।

ଦେଶରେ ଗୋଟିଏ ଦେଶ ଗୋଟିଏ ଦଳ ବ୍ୟବସ୍ଥାର ମାନସିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଦ୍ଧବ। ଏହି ମାନସିକତା ପ୍ରସଙ୍ଗକୁ ନେଇ ଉଦ୍ଧବ ବିଜେପିକୁ ଟାର୍ଗେଟ କରିବା ସହ ଏହା ସେ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି।

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋଟିଏ ଦେଶ ଗୋଟିଏ ଦଳ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ସେ ହେବାକୁ ଦେବେନି ବୋଲି କହିଛନ୍ତି।

ଏ ନେଇ ସେ ମହାରାଷ୍ଟ୍ରର ଉଦାହରଣ ଦେବା ସହ ବିଜେପି ମହାରାଷ୍ଟ୍ରରେ ସବକା ମାଲିକ ଏକ ବୋଲି ଦେଖାଇବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି। ଏଥିରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କଥା କହିବା ସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିଶଙ୍କୁ ଏସବୁର କାର୍ପଟଦାର ବୋଲି ଦର୍ଶାଇଛନ୍ତି।

ଏପରିକି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଉଦ୍ଧବ। ବିଦର୍ଭ ଗସ୍ତରେ ଯାଇ ଉଦ୍ଧବ ବହୁ ଅଂଚଳରେ ବଡ଼ ବୈଠକ କରିବା ସହ ବିଜେପିର ମାନସିକତାକୁ ନେଇ ବର୍ଷିଛନ୍ତି।

ଦେଶରେ ଶାସନକୁ ଆସିବା ପରେ କଂଗ୍ରେସ ମୁକ୍ତ ଭାରତର କଥା କହିଥିବା ବିଜେପି ଦେଶର ବିଭିନ୍ନ ରାଜ୍ୟରେ ନିଜକୁ ଶକ୍ତ କରିଛି। ଏପରିକି ଏନଡିଏରେ ନିଜ ସହଯୋଗୀ ଦଳଗୁଡିକୁ ଦୁର୍ବଳ କରିବାକୁ ନେଇ ମଧ୍ୟ ବିଜେପି ବିରୋଧରେ ଅଭିଯୋଗ ହୁଏ।

ସେଥିପାଇଁ ନୀତିଶ କୁମାରଙ୍କ ଜେଡିୟୁ ସମେତ ଅନ୍ୟ କିଛି ଦଳ ମଧ୍ୟ ବିଜେପି ଠାରୁ ଦୁରେଇଥିବା କୁହାଯାଏ। ତେଣୁ ଆଗକୁ ନିର୍ବାଚନ ଥିବାବେଳେ ଉଦ୍ଧବଙ୍କ ଏଭଳି ବିସ୍ଫୋରଣ ଦେଶର ରାଜନୀତିକୁ ରୋଚକ କରିଛି।

ସେପଟେ ମହାରାଷ୍ଟ୍ର ବିଜେପିକୁ କଡା ଜବାଵ ଦେବାକୁ ଉଦ୍ଧବ ବିଜେପିର ଗଡ କୁହାଯାଉଥିବା ବିଦର୍ଭ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି। ବିଦର୍ଭ ଅଞ୍ଚଳରେ ୬୨ ରୁ ଅଧିକ ବିଧାନସଭା ସିଟ ଥିବାବେଳେ ବିଜେପି ପୂର୍ବ ନିର୍ବାଚନରେ ୨୯ ଟି ଜିତିଛି।

ଏପରିକି ସେତେବେଳେ ସାଙ୍ଗରେ ଥିବା ଶିବସେନା ୪ ଟି ସିଟରେ ଜିତିଥିଲା। ବିଦର୍ଭ ଅଞ୍ଚଳରେ ଆରଏସଏସ ମୁଖ୍ୟାଳୟ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶ, ମହାରାଷ୍ଟ୍ର ବିଜେପି ସଭାପତି ଓ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ପ୍ରମୁଖ ସେହି ଅଞ୍ଚଳର ଅଟନ୍ତି।

ପୂର୍ବରୁ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଥିବାବେଳେ ପରେ ବିଜେପି ସେଠାରେ ଶକ୍ତି ବୃଦ୍ଧି କରିଛି। ତେଣୁ ସେଠାରେ ଉଦ୍ଧବଙ୍କ ଏହି ବୟାନ ସେ ଅଞ୍ଚଳ ସମେତ ସାରା ଦେଶରେ କି ପ୍ରଭାବ ପକାଇବ ତା ଉପରେ ନଜର।

Leave A Reply

Your email address will not be published.