Latest Odisha News

ଆମ ଅଧିକାର ଆମକୁ ମିଳୁ: ଯାଦବ ମହାସଂଘ

ଭୁବନେଶ୍ୱର: ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ । ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି ସହାୟତା ଯୋଗାଇ ହେଉଛନ୍ତି ସେହିପରି ସହାୟତା ରାଜ୍ୟର ଯାଦବମାନଙ୍କୁ ଯୋଗାଇ ଦେବା ପାଇଁ ଯାଦବ ମହାସଂଘ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି ।

ଯାଦବ ମହାସଂଘର ରାଜ୍ୟ ସମ୍ମିଳନୀରେ ପାରିତ ପ୍ରସ୍ତାବ ଅନୁସାରେ ଲୋକକଳାର ମାନ୍ୟତା ପାଇଥିବା ଲଉଡ଼ି ଖେଳର ବିକାଶ ତଥା ଏହା ଉପରେ ଗବେଷଣା ପାଇଁ ସରକାର ଭୁବନେଶ୍ୱରରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଦାବି କରାଯାଇଛି । ଅନ୍ୟ ଜାତିମାନଙ୍କୁ ସରକାର ଯେପରି ପୁରୀ ଠାରେ ଭବନ ନିର୍ମାଣ ଉଦ୍ଦେଶ୍ୟରେ ମାଗଣା ଜମି ଓ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସେହିଭଳି ଯାଦବମାନଙ୍କର ଏକ ଭବନ ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ ଆଲେକଜାଣ୍ଡାର ଦାସ ଦାବି କରିଛନ୍ତି ।

ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବା ସହିତ ଓବିସିମାନଙ୍କ ମଣ୍ଡଳ କମିଶନଙ୍କ ସୁପାରିଶ ଅନୁସାରେ ୨୭ ପ୍ରତିଶତ ସଂକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟରେ ଦୁଗ୍ଧ ଚାଷୀମାନେ ଉଚିତ ମୂଲ୍ୟ ପାଉନଥିବାରୁ ବହୁକ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ପାଇଁ ପ୍ରତିବର୍ଷ ଦୁଗ୍ଧର ସହାୟକ ମୂଲ୍ୟ ବୃଦ୍ଧି କରାଯାଉ । ଯାଦବ ମହିଳାମାନଙ୍କ ନେଇ ସ୍ୱତନ୍ତ୍ର ଏସଏଚଜି ଗଠନ କରାଯାଇ ଡାଏରୀ ଫାର୍ମ ଓ ଅନ୍ୟାନ୍ୟ ଆର୍ଥିକ ସ୍ୱାବଲମ୍ବନ ପନ୍ଥା ଯୋଗାଇ ଦେବାକୁ ରାଜ୍ୟ ସଭାପତି ଦଶରଥ ପରୁଆ ଦାବି କରିଛନ୍ତି ।

ରାଜ୍ୟର ସମସ୍ତ ରାଜନୈତିକଦଳମାନେ ଯାଦବ ଜନସଂଖ୍ୟା ଯେଉଁ ନର୍ବାଚନମଣ୍ଡଳୀରେ ଅଧିକ ଅଛନ୍ତି ସେ ସବୁ ଅଞ୍ଚଳରେ ଯାଦବ ପ୍ରାର୍ଥୀ ରାଜ୍ୟ ଶାସନରେ ଅଂଶୀଦାର କରିବାକୁ ସମ୍ମିଳନୀରେ ଦାବି କରାଯାଇଛ । ଏହି ସମ୍ମିଳନୀରେ ସାମ୍ବାଦିକ ରବି ଦାସ ଉଦଘାଟକ ଭାବରେ ଯୋଗ ଦେଇଥିବାବେଳେ, ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିରକାନ୍ତ ବେହେରା, ସଂଗଠନ ସମ୍ପାଦକ ରାମଚନ୍ଦ୍ର ବେହେରା, ଦିଲ୍ଲିପ ବେହେରା, ନିଶିଥ ବାରିକ, ରାଜେଶ ମହାଖୁଡ଼ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.