Latest Odisha News

BREAKING NEWS

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର ନିର୍ଯାତନାର ଶିକାର ହୋଇଥିଲେ । ଏମାନଙ୍କ ସଂଗ୍ରାମ ଯୋଗୁ ଆମେ ସ୍ୱାଧୀନ ହୋଇଛୁ ଏବଂ ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଲାଗୁ ହୋଇଛି । ସମ୍ବିଧାନ ଅନୁଯାୟୀ ସଂସଦ ବି ଗଠିତ ହୋଇଛି । ତେବେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ସାଂସଦ ବାରମ୍ବାର ସ୍ୱାଧୀନତା ସଂଗ୍ରାମକୁ ଅସ୍ୱୀକାର କରିବା ସହ ଏହାର ସଫଳ ସେନାପତି ଗାନ୍ଧୀଜୀ ଏବଂ ଏହି ସଂଗ୍ରାମରେ ଅଂଶଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ତ୍ୟାଗକୁ ତାମ୍‍ସା ବୋଲି କହୁଛନ୍ତି । ଏକଦା କେନ୍ଦ୍ରମନ୍ତ୍ରୀ ଥିବା କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ସାଂସଦ ଅନନ୍ତ କୁମାର ହେଗ୍‍ଡେ ନିକଟରେ ଏଭଳି ଅରୁଚିକର ମନ୍ତବ୍ୟ ଦେଇ ଦେଶପ୍ରେମୀମାନଙ୍କ ନିକଟରେ ତାଙ୍କ ଦଳର ପତିଆରା କ୍ଷୂର୍ଣ୍ଣ କରିଛନ୍ତି । ବେଶ୍‍ କିଛିଦିନ ନିରବ ରହିବା ପରେ ଏବେ ବିଜେପି ଅନନ୍ତ କୁମାରଙ୍କୁ ତାଙ୍କ ବିବୃତ୍ତି ପାଇଁ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛି ।
ଭାରତର ପବିତ୍ର ସମ୍ବିଧାନର ୫୧-କ ଧାରାରେ ଉଲ୍ଲେଖ ଅଛି, ‘It shall be the duty of every citizen of India—(a) to abide by the Constitution and respect its ideals and institutions, the National Flag and the National Anthem; (b) to cherish and follow the noble ideals which inspired our national struggle for freedom……’ ଏ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମକୁ ଏକ ଡ୍ରାମା ବୋଲି ମନ୍ତବ୍ୟ ଦେଇ ବିଜେପି ସାଂସଦ ବସ୍ତୁତଃ ସ୍ୱାଧୀନତା ସଂଗ୍ରାମ ଓ ସମ୍ବିଧାନକୁ ଅସମ୍ମାନିତ କରିଛନ୍ତି । ସ୍ୱାଧୀନତା ସଂଗ୍ରାମ କାଳରେ ଗୁଳି ତ ଦୂରର କଥା କେହି ଲାଠିମାଡ଼ ଖାଇନଥିଲେ ଏବଂ ସେତେବେଳର କାରାବରଣ, ଅନଶନ, ସତ୍ୟାଗ୍ରହ ଆଦି ବ୍ରିଟିଶ୍‍ ପ୍ରଶାସନର ଇଙ୍ଗିତରେ ହେଉଥିଲା ବୋଲି ଉଲ୍ଲେଖ କରି ଅନନ୍ତ କୁମାର ଯାହା କହିଛନ୍ତି ସେଥିରୁ ସେ ଦେଶପ୍ରେମୀ ନା ଦେଶଦ୍ରୋହୀ ତାହା ତାଙ୍କ ଦଳ ଓ ସରକାର ସ୍ପଷ୍ଟ କରିବା ଆବଶ୍ୟକ ।

ସାଂସଦମାନଙ୍କ ମୁଖ୍ୟ କାମ ଦେଶପାଇଁ ଆଇନ୍‍ ତିଆରି କରିବା ଏବଂ ସଂସଦରେ ଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସମ୍ବିଧାନର ସମ୍ମାନ ବଜାୟ ରଖିବା । ଏଥିପାଇଁ ସେମାନଙ୍କ ଲାଗି ଗରିବ ଲୋକଙ୍କ ରାଜକୋଷରୁ ପ୍ରଚୁର ଅର୍ଥ ବ୍ୟୟ ହୁଏ । କାର୍ଯ୍ୟକାଳ ସରିଗଲା ପରେ ଏମିତିକି ମୃତ୍ୟୁ ପରେ ବି ଏମାନଙ୍କ ପରିବାରକୁ ପେନସନ ସହ ଅନ୍ୟ କେତେକ ସୁବିଧା ମିଳିଥାଏ । ସ୍ୱାଧୀନତା ସଂଗ୍ରାମର ଯଜ୍ଞବେଦୀରୁ ସ୍ୱାଧୀନତା ଆସିଛି ଏବଂ ସ୍ୱାଧୀନତା ଆସିବାରୁ ସମ୍ବିଧାନ ଲାଗୁ ହେବା ସହ ସଂସଦ ଗଠିତ ହୋଇ ଅନନ୍ତ କୁମାରଙ୍କ ଭଳି ବିଭିନ୍ନ ଦଳର ନେତାମାନେ ସାଂସଦ ହୋଇଆସିଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଅନନ୍ତ କୁମାର କିମ୍ବା ତାଙ୍କ ଅଗ୍ରଜମାନଙ୍କର କିଛି ଅବଦାନ ନ ଥିଲା ।

ତେବେ ଆମ ଦେଶର ଗୌରବାବହ ଇତିହାସକୁ ବିକୃତ କରିବାର ଅଧିକାର ତାଙ୍କୁ ଦେଲା କିଏ? ସ୍ୱାଧୀନତା ଆନ୍ଦୋଳନ, ଏଥିରେ ଅଂଶଗ୍ରହଣ କରିଥିବା ସହିଦମାନଙ୍କ ବଳିଦାନ, ସଂଗ୍ରାମୀମାନଙ୍କ କାରାବରଣ ଓ ନିର୍ଯାତନା ଆଦିକୁ ଅନନ୍ତ କୁମାରଙ୍କ ଗୋଷ୍ଠୀର ଯେଉଁମାନେ ଅସ୍ୱୀକାର କରନ୍ତି ସେମାନେ ବସ୍ତୁତଃ ନିଜ ନିଜର ଦେଶ ବିରୋଧୀ ମାନସିକତାର ପ୍ରଦର୍ଶନ କରିଥାନ୍ତି । ପୂର୍ବରୁ ଜାତିର ପ୍ରତୀକ ଜାତୀୟ ପତାକା ତ୍ରିରଙ୍ଗା ଝଣ୍ଡା, ଜାତୀୟ ସଙ୍ଗୀତ ଓ ଜାତିର ଜନକଙ୍କୁ ନେଇ ଏଭଳି କିଛି ବ୍ୟକ୍ତି ନିମ୍ନ ରୁଚିର ପ୍ରଶ୍ନ ଉଠାଇ ବାରମ୍ବାର ନିନ୍ଦିତ ହୋଇଛନ୍ତି । ଏଥିରୁ ସେମାନଙ୍କ ବିଚାରଧାରା ଯେ ରାଷ୍ଟ୍ରବାଦୀ ନୁହେଁ, ବରଂ ବିଦେଶୀ ଉପନିବେଶବାଦୀ ତାହା ପ୍ରମାଣିତ ହେଉଛି । ନିଜକୁ ଗଣମାଧ୍ୟମରେ ପ୍ରଚାରିତ କରିବା ଏବଂ ବିକୃତ ବିଚାରରେ ଘାଣ୍ଟି ହୋଇ ଯେଉଁ କୁତ୍ସିତ ବ୍ୟକ୍ତିମାନେ ଗାନ୍ଧୀଜୀଙ୍କୁ ହତ୍ୟା କରିବା ସହ ଦେଶ ବିଭାଜନର ମଙ୍ଗୁଆଳ ସାଜି ଦଙ୍ଗାଗୋଳ ସୃଷ୍ଟି କରୁଥିଲେ ଓ ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ ଦେଉନଥିଲେ ବସ୍ତୁତଃ ସେଇ ବିଚାରରେ ସଢ଼ୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏଭଳି ବକ୍ତବ୍ୟ ଅନନ୍ତ କୁମାରଜୀ ବାରମ୍ବାର ଦେଇ ଚାଲିଛନ୍ତି । ଏଥିରୁ ତାଙ୍କ ଦେଶପ୍ରୀତି, ଜ୍ଞାନ, ଚରିତ୍ର, ଏକତାବୋଧ, ଜାତୀୟତା, ଦେଶପ୍ରୀତି, ଶୃଙ୍ଖଳା ଜ୍ଞାନ ଆଦିର ଗଭୀରତା କେତେ ତାହା ସହଜରେ ଅନୁମେୟ ।
ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଆଦିଙ୍କ ବିରୁଦ୍ଧରେ କୁତ୍ସିତ ବକ୍ତବ୍ୟ ଦେବା କ୍ଷେତ୍ରରେ ଅନନ୍ତ କୁମାର ବିଜେପିର ଏକମାତ୍ର ନେତା ନୁହଁନ୍ତି । ଅନ୍ୟ ଜଣେ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ମଧ୍ୟ ଅତୀତରେ ଏଭଳି ଅନେକ ନିମ୍ନ ରୁଚିର ବକ୍ତବ୍ୟ ଦେଇଛନ୍ତି । ଏଥିଲାଗି ତାଙ୍କୁ ଏକ ସଂସଦୀୟ କମିଟିରୁ ହଟାଇ ଦିଆଯାଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି । ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଲ୍ୟାଣ ସିଂ ବି ଏଭଳି ଅପଶବ୍ଦ ବ୍ୟବହାର କରିଛନ୍ତି । କେବଳ ଯେ ବିଜେପିର କିଛି ନେତା ଏମିତି ବିକୃତ ଚିନ୍ତାଧାରାର ବିବୃତ୍ତି ରଖୁଛନ୍ତି ତାହା ନୁହେଁ; ବିଏସ୍‍ପି, ଶିବସେନା, ହିନ୍ଦୁ ମହାସଭା ଭଳି ଆଉ କେତେକ ସଙ୍ଗଠନର କିଛି ନେତା ନେତ୍ରୀ ବି ଅତୀତରେ ଏମିତି ବିବୃତ୍ତି ଦେଇ ନିଜକୁ ବିଜ୍ଞାପିତ କରିଛନ୍ତି । ଏମିତିକି ଜଣେ ଅବସରପ୍ରାପ୍ତ ବିଚାରପତି କାଟ୍‍ଜୁ ମହୋଦୟ ତ ଗାନ୍ଧୀଜୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କୁ ବ୍ରିଟିଶ୍‍ ଏଜେଣ୍ଟ ବୋଲି ଆରୋପ ଲଗାଇ ଦେଶବ୍ୟାପି ନିଜକୁ ନିନ୍ଦିତ କରିଥିଲେ ।

ଗାନ୍ଧୀଜୀଙ୍କ ପବିତ୍ର ଜନ୍ମଦିନ ଅବସରରେ ୨୦୧୯ ଅକ୍ଟୋବର ୨ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତଜୀଙ୍କ ଏକ ଆଲେଖ୍ୟ ଓଡ଼ିଆ ସମେତ ବିଭିନ୍ନ ଭାଷାରେ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ଏଥିରେ ସ୍ୱାଧୀନତା ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀଙ୍କୁ ଆର୍‍ଏସ୍‍ଏସ୍‍ ମୁଖ୍ୟ ପ୍ରଶଂସାରେ ପୋତି ପକାଇବା ସହ ତାଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ଅନୁସରଣ କଲେ ଦେଶ ଆଗେଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଦେଶ ବିଦେଶ ବୁଲି ମହାତ୍ମା ଗାନ୍ଧୀଙ୍କ ଗୁଣ କୀର୍ତ୍ତନ କରୁଛନ୍ତି । ଅଥଚ ମୁଷ୍ଟିମେୟ ବିଜେପି ନେତା ସ୍ୱାଧୀନତା ଆନ୍ଦୋଳନକୁ ଅସ୍ୱୀକାର କରିବା ସହ ଗାନ୍ଧୀଜୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଗାନ୍ଧୀ ହତ୍ୟାକାରୀ ଗଡ୍‍ସେ ଓ ଏହି ହତ୍ୟାକାଣ୍ଡ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଜୟଗାନ କରିବାରେ ବ୍ୟସ୍ତ । ଏମାନଙ୍କ ପ୍ରତି ସଙ୍ଗଠନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସର୍ବସାଧାରଣରେ ଏକ ଧାରଣା ସୃଷ୍ଟି ହେଉଛି ଯେ ଏଭଳି କୁତ୍ସିତ ବିବୃତ୍ତି ମଙ୍ଗୁଆଳମାନଙ୍କ ନୀରବ ସମର୍ଥନରେ ପ୍ରକାଶ ପାଉଛି । ଯଦି ଏହା ସତ୍ୟ ତେବେ କେନ୍ଦ୍ର ସରକାର ଦେଶବ୍ୟାପି କାହିଁକି ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି ଓ ତାଙ୍କ ଚଷମାର କାଚରେ କିପରି ସ୍ୱଚ୍ଛ ଭାରତ ଦେଖିବାକୁ ଚାହାଁନ୍ତି? ୨୦୨୨ରେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ପାଳିତ ହେବାକୁ ଯାଉଥିବା ଏବଂ ୨୦୧୯-୨୦ରେ ଜାଲିଆନାୱାଲାବାଗ ଗଣହତ୍ୟାର ଶହେ ବର୍ଷର ସ୍ମାରକୀ ଦେଶ ପାଳୁଥିବା ବେଳେ ଅନନ୍ତ କୁମାର, ପ୍ରଜ୍ଞା ଆଦିଙ୍କ ମୁହଁରେ ଏପରି ନକରାତ୍ମକ ବିବୃତ୍ତି କ’ଣ ସେମାନଙ୍କ ମନର କଥା? ରକ୍ତ ଗରମ ସମ୍ଭାବନାକୁ ଏଡ଼ାଇବା ପାଇଁ ଅନନ୍ତ କୁମାର କ’ଣ ଦେଶ ଛାଡ଼ି ପଳାଇବେ? ଗାନ୍ଧୀଜୀଙ୍କ ୨୩୩୯ ଦିନର କାରାବାସ, ପ୍ରାୟ ୨୫୦ ଦିନର ଅନଶନ ଓ ବିଭିନ୍ନ ସତ୍ୟାଗ୍ରହ ଏବଂ ଦେଶର ରାଜନୈତିକ, ସାମାଜିକ, ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ନୈତିକ କ୍ଷେତ୍ରରେ ସଂସ୍କାର ଲାଗି ତାଙ୍କ ବିଚାରକୁ କ’ଣ ଏହି ବ୍ୟକ୍ତି ଓ ସେମାନଙ୍କ ସଙ୍ଗଠନମାନେ ଅସ୍ୱୀକାର କରିବେ ।

୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟିର ଜନ୍ମ । ଏହି ଦଳ ସୃଷ୍ଟି ହେବା ବେଳେ ଗାନ୍ଧୀବାଦୀ ସମାଜବାଦ କୁ ତାହାର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମରେ ରଖିଥିଲା । ଏବେ ସେଥିରୁ ଓହରି କ’ଣ ଏହି ଦଳ ଗଡ୍‍ସେ ବିଚାର ଆଡ଼କୁ ଯାଉଛି କି ବୋଲି ଅନନ୍ତ କୁମାର, ପ୍ରଜ୍ଞା ଆଦିଙ୍କ ବୟାନ ଭିତ୍ତିରେ ସାଧାରଣ ଲୋକେ ସନ୍ଦେହ କରିବା ସ୍ୱାଭାବିକ ।

୧୯୪୮ ଜାନୁଆରୀ ୩୦ ତାରିଖ ଅପରାହ୍ଣ ୫ଟା ୧୭ ମିନିଟ୍‍ରେ ସତ୍ୟାଗ୍ରହ ସଂଗ୍ରାମର ସଫଳ ସେନାପତି ଗାନ୍ଧୀଜୀଙ୍କୁ ହତ୍ୟା କରାଗଲା ସେ ପ୍ରାର୍ଥନା ସଭାକୁ ଚାଲି ଚାଲି ଯାଉଥିବା ବାଟରେ । ସେତେବେଳକୁ ତାଙ୍କ ବୟସ ହୋଇଥିଲା ୭୮ବର୍ଷ ୩ ମାସ ୨୯ ଦିନ । ଯାହାଙ୍କ ପାଇଁ ଏ ଦେଶ ସ୍ୱାଧୀନ ହେଲା ତାଙ୍କୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ମାସ ୧୬ ଦିନରେ ତାଙ୍କରି ଦେଶ ଓ ଧର୍ମର ଲୋକ କୃତଘ୍ନତା ଓ କାପୁରୁଷତାର ଶୀର୍ଷ ସୋପାନକୁ ଯାଇ ହତ୍ୟା କଲେ । ସବୁ ଧର୍ମକୁ ଭଲ ପାଇବା ସହ ନିଜକୁ ଖାଣ୍ଟି ସନାତନୀ ହିନ୍ଦୁ ଭାବେ ଅଭିହିତ କରି ପବିତ୍ର ଗୀତାକୁ ତାଙ୍କର ମା’ ଭାବେ ମାନୁଥିବା ଗାନ୍ଧୀଜୀ କିନ୍ତୁ ସେତେବେଳକୁ ବ୍ୟକ୍ତିରୁ ବିଚାରରେ ପରିଣତ ହୋଇଯାଇଥିଲେ । ଏ ପରିପ୍ରେକ୍ଷୀରେ ତାଙ୍କ ନସ୍ୱର ଶରୀର ସିନା ‘ହେ ରାମ’ କହି ଟଳି ପଡ଼ିଲା, ହେଲେ ମୃତ୍ୟୁଞ୍ଜୟୀ ଗାନ୍ଧୀଜୀଙ୍କ ବିଚାର ଏବେ ବିଶ୍ୱର କୋଣ ଅନୁକୋଣରେ ଛାଇ ହୋଇ ରହିଛି । ତାଙ୍କ ଜନ୍ମଦିନ ଅକ୍ଟୋବର ୨କୁ ସମଗ୍ର ବିଶ୍ୱ ପାଳୁଛି ଆନ୍ତର୍ଜାତିକ ଅହିଂସା ଦିବସ ଭାବେ । ଯେଉଁ ବ୍ରିଟିଶ ଶାସନକୁ ଅହିଂସା ସଂଗ୍ରାମରେ ପରାସ୍ତ କରି ସେ ଭାରତରୁ ବିଦା କଲେ ସେହି ବ୍ରିଟିଶ୍‍ ଜାତି ତାଙ୍କ ସଂସଦ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସମ୍ମୁଖରେ ମଥାନତ କରି ସମ୍ମାନ ଜଣାଉଥିବା ବେଳେ ଭାରତର ସଂସଦରେ ଶାସକ ଦଳର ସଭ୍ୟ ଥିବା ଅନନ୍ତ କୁମାର କିନ୍ତୁ ଏଥିରେ ଗର୍ବ ଅନୁଭବ କରିବା ପରିବର୍ତ୍ତେ ନିନ୍ଦା ରଟନା କରିଛନ୍ତି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଅରୁଣ ଜେଟ୍‍ଲୀଙ୍କ ଭଳି କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଗାନ୍ଧୀଜୀଙ୍କ ହତ୍ୟା ପୂର୍ବରୁ ଯେଉଁ ଦୀର୍ଘ ଷଡ଼ଯନ୍ତ୍ର ଚାଲିଥିଲା ସେଥିରେ ଅନ୍ୟୁନ ୧୦ଥର ତାଙ୍କୁ ମାରିବା ପାଇଁ ଉଦ୍ୟମ ହୋଇଥିଲା । ଗାନ୍ଧୀଜୀଙ୍କ ବିଚାର ଏଭରେଷ୍ଟଠାରୁ ଅଧିକ ଉଚ୍ଚରେ । ଏହାକୁ ମାରିବା ପାଇଁ ଯେତେ ଉଦ୍ୟମ ହେଲେ ବି ନିଆଁରେ ପୋଡ଼ି ଖାଣ୍ଟି ସୁନା ଚକ୍‍ ଚକ୍‍ ହେବା ପରି ଏହି ଅମ୍ଳାନ ବିଚାର ଅଧିକ ଝଲସି ଉଗ୍ର ସାମ୍ପ୍ରଦାୟିକତା, ହୀନମନ୍ୟତା, ପରଶ୍ରୀକାତରତା, ଅସହିଷ୍ଣୁତା ଆଦିକୁ ମଳିନ କରିଦେଉଛି । ତାଙ୍କ ଉପରକୁ ଯେତେ ଟେକା ଫିଙ୍ଗିଲେ ବି ସେଥିରେ ଟେକା ଫିଙ୍ଗାଳିଙ୍କ ହାତ ଘୋଳି ହୋଇଯାଉଛି ସିନା ସେହି ବିଚାର ଅକ୍ଷତ ରହୁଛି । ସମଗ୍ର ବିଶ୍ୱରେ ଗାନ୍ଧୀ ସାହିତ୍ୟ ସର୍ବାଧିକ ବୋଲି ଆନ୍ତର୍ଜାତିକ ସ୍ତରରେ ସ୍ୱୀକାର କରାଯାଉଛି । ଏହା ଉପରେ ସମଗ୍ର ବିଶ୍ୱରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗବେଷଣା ଚାଲିଛି । ସାରା ପୃଥିବୀରେ ଭାରତର ଅନ୍ୟତମ ପରିଚିତି ଗାନ୍ଧୀଜୀ । ଯେଉଁମାନେ ଗାନ୍ଧୀଜୀ ଓ ତାଙ୍କ ବିଚାରକୁ ଅସ୍ୱୀକାର କରିବା ସହ ସ୍ୱାଧୀନତା ଆନ୍ଦୋଳନକୁ ତାମ୍‍ସା କହୁଛନ୍ତି । ସେମାନଙ୍କ ସଂସ୍କୃତି, ବିଚାର ଓ ଦର୍ଶନ କେତେ ରୁଗ୍‍ଣ, ବିକାରଗ୍ରସ୍ତ ଓ ଦେବାଳିଆ ତାହା ସେମାନେ ଠିକ୍‍ ଜାଣନ୍ତି । ତଥାପି ବି ଯାଦୁଆ ଅଜାଣତରେ ତାହାର ଯାଦୁକୁ କୁଣ୍ଡାଇ କୁଣ୍ଡାଇ ରକ୍ତ କାଢ଼ିବା କିମ୍ବା ଶୁଖିଲା ହାଡ଼ ଚୋବାଇ କୁକୁର ଅଥବା ଶିଖିଲା କଣ୍ଟା ଚୋବାଇ ମରୁଭୂମିର ଓଟ ଯେପରି ନିଜ ପାଟିର କ୍ଷତସ୍ଥାନରୁ ବାହାରୁଥିବା ରକ୍ତର ସ୍ୱାଦରେ ଆମୋଦିତ ହୁଅନ୍ତି, ସେହିପରି ଗାନ୍ଧୀ ହତ୍ୟାକାରୀଙ୍କ ପ୍ରଶଂସକମାନଙ୍କ ଦୂରବସ୍ଥା । ଈଶ୍ୱର ଏମାନଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ ଏବଂ ସେମାନଙ୍କ କୃତକାର୍ଯ୍ୟ ପାଇଁ କ୍ଷମା କରିଦିଅନ୍ତୁ-ଏହା ହିଁ କାମନା ।

Email: prahalladsinha@gmail.com  ମୋବାଇଲ୍: ୯୪୩୭୦୧୭୩୯୫

Leave A Reply

Your email address will not be published.