Latest Odisha News

୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଭିଜିଲାନ୍ସ କୋର୍ଟ

ଭୁବନେଶ୍ବର: ଦୁର୍ନୀତିଖୋର ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ଓଡ଼ିଶା ଭିଜିଲାନ୍ସ ବିଭାଗ। ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀମାନଙ୍କ ମଧ୍ୟରେ ୫ ଜଣ ପୂର୍ବତନ ସରପଞ୍ଚ ମଧ୍ୟ ସାମିଲ ଅଛନ୍ତି।

୨୦୦୫ରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଲାଇଟ୍ ସଂଯୋଗୀକରଣ ନାଁରେ ବ୍ୟାପକ ଅନିୟମିତତା ମାମଲାରେ ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ୫ ଜଣ ପୂର୍ବତନ ସରପଞ୍ଚ ଓ ଜଣେ ବିଦ୍ୟୁତ ସାମଗ୍ରୀ ଯୋଗାଣକାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ଉଦଳାବ୍ଲକ ଅନ୍ତର୍ଗତ ଖଳାଡ଼ି ପଞ୍ଚାୟତର ସୀତା ବାସକେ, ସିଦମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ମହାଦେବ ଟୁଡୁ, ରାଧୋ ପଞ୍ଚାୟତର ବାସେନ ମରାଣ୍ଡି, ବଡ଼ସିଙ୍ଗଡ଼ା ପଞ୍ଚାୟତର ଜିତେନ୍ଦ୍ର ସିଂହ, କୁଣ୍ଡାବାଇ ପଞ୍ଚାୟତର ବୁଦ୍ଧିରାମ ସିଂହ ଓ ବାରିପଦାର ଜଣେ ଘରୋଇ ବିଦ୍ୟୁତ ଯୋଗାଣକାରୀ ସଂଜୟ କୁମାର ଦାସ। ଏମାନେ ସମସ୍ତେ ବିଦ୍ୟୁତ ସରଞ୍ଜାମ କିଣିବା ସମୟରେ ହେରଫେର ମାମଲାରେ ସଂପୃକ୍ତ ଥିଲେ। ବାଲେଶ୍ବର ଭିଜିଲାନ୍ସ ଡିଭିଜନର ପୂର୍ବତନ ଡିଏସପି ଏମ ସ୍ବାଇଁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ସରକାରୀ ଓକିଲ ଶାନ୍ତନୁ ଦାସ ମାମଲାର ପରିଚାଳନା କରୁଥିଲେ।

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ (ଅବସରପ୍ରାପ୍ତ ) ଶିବାନନ୍ଦ ପଟ୍ଟନାୟକ, ପୂର୍ବତନ କନିଷ୍ଠ ଯନ୍ତ୍ରୀ ଶକ୍ତିରଂଜନ ସିଂହସାମନ୍ତ ଓ ଚତୁର୍ଭୁଜ ବେହେରାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୪ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। କଟକ ମହାନଗର ନିଗମର ପୂର୍ବତନ ଟାକ୍ସ କଲେକ୍ଟର ଏସ୍ କେ ଉସମାନ ଖାନଙ୍କୁ କଟକ ଭିଜିଲାନ୍ସ କୋର୍ଟ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଏବଂ ଶ୍ରୀକାନ୍ତ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ସମ୍ବଲପୁର ଭିଜିଲାନ୍ସ କୋର୍ଟ ସୁନ୍ଦରଗଡ଼ ଡିଏଫ୍ଓ କାର୍ଯ୍ୟାଳୟର ପୂର୍ବତନ ହିସାବରକ୍ଷକ ହେମନ୍ତ କୁମାର ମିଶ୍ରଙ୍କୁ ୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପୁର ମାର୍କଫେଡର ପୂର୍ବତନ ପ୍ରବନ୍ଧକ ଭୁବନ ମୋହନ ଦାଶ ଓ ପୂର୍ବତନ ପ୍ରଭାରୀ ଏସ୍କେ ଅବଦୁଲଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।

Comments are closed.