Latest Odisha News

ରାଜ୍ୟ ବିଜେପି ମୁଖିଆଙ୍କ ଆଗରେ ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ତାଙ୍କ ପଛରେ କିଏ ଲାଗିଛି ?

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ସାମନାକୁ ଆସିଛି। ନିଜ ଭିତରେ ଥିବା ସମସ୍ତ ଅସନ୍ତୋଷକୁ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଜେପି ଦଳରେ ଥାଇ ମଧ୍ୟ ସେ ଦଳକୁ ତେରଛା ଟାର୍ଗେଟ କରିଛନ୍ତି। ଦିବଙ୍ଗତ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସମୀର ଦେ’ଙ୍କ ଶୋକସଭାରେ ଯୋଗ ଦେଇ ବିଷ ଓଗାଳିଛନ୍ତି ଜୟନାରାୟଣ।

ସେ କହିଛନ୍ତି, ମୁଁ ଜଣେ ତଡ଼ାଖିଆ ଲୋକ।  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି। ଏବେ ବିଜେପିରୁ ସାଇଡଲାଇନ(କୋଣଠେସା) ହୋଇ ରହିଛି। ପୂର୍ବରୁ ସମୀର ଦେ’ଙ୍କ ସହ ଯାହା ଘଟିଥିଲା, ତାହା ଏବେ ମୋ ସହ ଘଟୁଛି। ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା ବରଂ ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା। ଏବେ ମଧ୍ୟ ମୋ ବିରୋଧରେ ଲୋକ ଲଗାଯାଉଛି। ମୋ ବିରୋଧରେ ଜଣେ ଲୋକ ନିଶ୍ଚିତ ରହିବ। ଏହା ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ। ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଉପସ୍ଥିତିରେ ଜୟନାରାୟଣ ଏମିତି ତେରେଛା ବାଣ ମାରିଛନ୍ତି।

ଶ୍ରୀ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଏ ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଏ।କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳେ। କୌଣସି ପାତରଅନ୍ତର କରାଯାଏନି। ଆପଣମାନେ ଯାହା ଶୁଣିଛନ୍ତି, ସେମିତି ସେ କିଛି କହି ନାହାନ୍ତି। ଆପଣମାନେ ଭୁଲ ଶୁଣିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଗତକାଲି ଜନସଭା ସମ୍ବୋଧନ ପରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି। ଏହା ସହିତ ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। ଏସବୁକୁ ୨୪ ଘଣ୍ଟା ନପୁରୂଣୁ  ଶ୍ରୀ ମିଶ୍ର ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତା ଭାବରେ ଜୟନାରାୟଣ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ। ବିଶେଷ କରି ସେତେବେଳେ ସେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ୬ ଥର ବିଧାୟକ ହୋଇଥିଲେ ମଧ୍ୟ ଦଳ ତାଙ୍କୁ ମନ୍ତ୍ରୀ ପଦ ନଦେଇ ଅବହେଳା କରିଥିବା ଚର୍ଚ୍ଚା ହେଉଛି।

ତେବେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ପଛରେ ବିରୋଧ କରୁଥିବା ଲୋକ କିଏ ?  ଏବଂ ଦଳର ଏପରି ଯୋଜନା କାହିଁକି, ତାହା ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.