Latest Odisha News

BREAKING NEWS

ଦୀପାବଳି ବାଣଫୁଟାରେ ଦୁର୍ଘଟଣା: ଓଡ଼ିଶାର ବିଭିନ୍ନ ସ୍ଥାନରେ ୨୯ଜଣ ଆହତ

ଭୁବନେଶ୍ୱର: ଦୀପାବଳି ବାଣଫୁଟା ଦୁର୍ଘଟଣାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୨ଜଣ ନାବାଳକଙ୍କ ସମେତ ସମୁଦାୟ ୨୯ଜଣ ଆହତ ହୋଇଛନ୍ତି ।

ରାଜଧାନୀରେ ୩ଜଣ ବ୍ୟକ୍ତି ବାଣଫୁଟା ଜନିତ ଦୁର୍ଘଟଣାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୟୁରଭଞ୍ଜର ଉଦଳା ଅଞ୍ଚଳରେ ବାଣଫୁଟାରେ ପୋଡ଼ିଯାଇ ୫ଜଣ ବ୍ୟକ୍ତି ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲା ରାଜ ବରହମପୁର ଅନ୍ତର୍ଗତ ଜମୁନା ଗ୍ରାମରେ ୩ଜଣ ଆହତ ହୋଇଥିବା ବେଳେ ଅଁଳାଗାଁର ଜଣେ ନାବାଳକ ଆହତ ହୋଇଛନ୍ତି । ଏହାଛଡ଼ା ସଦର ପୋଲିସ ଥାନା ନିକଟବର୍ତ୍ତୀ ରସାଳପୁର ଗ୍ରାମରେ ଜଣେ ଯୁବକ ବାଣଫୁଟାଉଥିବା ବେଳେ ଆକସ୍ମିକ ଭାବେ ବାଣ ଫୁଟିଯିବାରୁ ଗୁରୁତର ଭାବେ ଆହତ ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସହରରେ ୨ଜଣ ବ୍ୟକ୍ତି ବାଣ ଫୁଟାଇ ଆହତ ହୋଇଥିବା ବେଳେ ଜଣେ ବାଳକର ଆଖିରେ ବାଣ ବାଜି ଆହତ ହୋଇଥିବା ସୂଚନା ମିଳିଛି ।

ସେହିପରି ଭଦ୍ରକ ଜିଲ୍ଲା ବାରିକପୁର ପଞ୍ଚାୟତର ବାଲିଖଣ୍ଡ ଏବଂ ପାଇମୋର ଗ୍ରାମରେ ୨ଜଣ ବ୍ୟକ୍ତି ବାଣ ଫୁଟାଇ ଆହତ ହୋଇଛନ୍ତି । ମଇତାପୁର ଗ୍ରାମରେ ଜଣେ ୪ବର୍ଷର ଶିଶୁ ବାଣ ଦୁର୍ଘଟଣାରେ ପୋଡ଼ି ଯାଇଛି । ଚାନ୍ଦବାଲି ବ୍ଲକରେ ବାଣଫୁଟାକୁ କେନ୍ଦ୍ରକରି ସମୁଦାୟ ୧୦ଜଣ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି ।

ଏହା ବ୍ୟତୀତ, ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳର ଡ଼ିଜେଲ କଲୋନୀରେ ଏକ ଦୋକାନରେ ବାଣ ଫୁଟିବା ଫଳରେ ଦୋକାନଟି ପୋଡ଼ି ଯାଇଥିବାର ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.