Latest Odisha News

BREAKING NEWS

ଏବେ ଆହାର କେନ୍ଦ୍ରରେ ମିଳିବ ରାତ୍ରିଭୋଜନ

ଭୁବନେଶ୍ୱର: ଏବେ ଓଡ଼ିଶାର ୭୬ଟି ପୌରାଞ୍ଚଳରେ ଆହାରକେନ୍ଦ୍ର ଥିବାବେଳେ ଆସନ୍ତା ଜାନୁଆରୀ ୨୬ ତାରିଖଠାରୁ ଏହି ସୁବିଧା ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ଉପଲବ୍ଧ ହେବ । କେବଳ ଦିନରେ ଆହାର କେନ୍ଦ୍ରରୁ ଭୋଜନ ମିଳୁଥିବା ବେଳେ ଏବେ ଆହାର କେନ୍ଦ୍ରରୁ ରାତ୍ରିଭୋଜନ ମଧ୍ୟ ମିଳିପାରିବ । ଗୁରୁବାର ଦିନ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଥିବା ଡ଼ାକ୍ତରଖାନା ମାନଙ୍କ ନିକଟରେ ବର୍ତ୍ତମାନ ୫୪ଟି ଆହାର କେନ୍ଦ୍ର ଖୋଲାଯାଇଛି । ଏହାଦ୍ୱାରା ଡ଼ାକ୍ତରଖାନାକୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ମାତ୍ର ୫ଟଙ୍କାରେ ଆହାର କେନ୍ଦ୍ରରୁ ଦିବା ଭୋଜନ ପାଇପାରୁଛନ୍ତି ।

ଏହି ଲୋକପ୍ରିୟତାକୁ ଏବଂ ଡ଼ାକ୍ତରଖାନାରେ ରହୁଥିବା ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡ଼ାକ୍ତରଖାନାରେ ଥିବା ଆହାର କେନ୍ଦ୍ରମାନଙ୍କରେ ରାତ୍ରିଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂଆ ବ୍ୟବସ୍ଥା ଆସନ୍ତା ଜାନୁଆରୀ ପହିଲାରୁ ଆରମ୍ଭ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏତଦବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ପୃକ୍ତ କରିବା ଉଦ୍ଦେଶ୍ୟରେ ଅନ୍ ଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମଦିବସ, ବିବାହ, ବିବାହବାର୍ଷିକୀ ଏବଂ ଶ୍ରାଦ୍ଧ ଆଦି ଅବସରରେ ଚାହିଁଲେ ଆହାରକେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ । ଏଥିଲାଗି କେବଳ ଅନ୍ ଲାଇନରେ ଦାନ ଗ୍ରହଣ କରାଯିବ ଏବଂ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିପାରିବ ।

ଆହାର କେନ୍ଦ୍ରମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିଚ୍ଛନ୍ନତାର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଗୃହ ଓ ୍ନଗର ଉନ୍ନୟନ ବିଭାଗର ସଚିବ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.