Latest Odisha News

ଗପ: ଆତ୍ମାର ଶାନ୍ତି!

ବସ୍‌ରେ ଯାତ୍ରା କରୁଥିଲେ ଶ୍ୟାମ ବାବୁ । ବୟସ ହୋଇ ଗଲାଣି । ଏକା ଏକା ବସ୍‌ରେ ଯାତ୍ରା କରିବାକୁ ଆଉ ଭଲ ଲାଗୁନି । ହେଲେ ଛୁଆ ବେଳର ସାଙ୍ଗ ରବିଙ୍କ ଏକାଦଶ କୁ ତ ଯିବାକୁ ପଡିବ । ନ ହେଲେ ତାଙ୍କ ପିଲା ଛୁଆ ଖରାପ ଭାବିବେ । ଏମିତି ବାଧ୍ୟବାଧକତାରେ ସିଂହପୁର ସ୍ଥାନୀୟ ବସ୍ ଧରି ଟାଉନରୁ ଉଠିଥିଲେ ଶ୍ୟାମବାବୁ । ତାଙ୍କ ପାଖ ସିଟରେ ଆଉ ଜଣେ ପ୍ରାୟ ସମାନ ବୟସର ଲୋକ ବସିଲେ । ଟିକେ ବାଟ ବସ୍ ଗଡିଲା ପରେ ଶ୍ୟାମ ବାବୁ ପଚାରିଲେ, “ଆପଣ କୁଆଡେ ଯିବେ ” ? ପାଖରେ ବସିଥିବା ଲୋକ ଉତ୍ତର ଦେଲେ… ସିଂହପୁର ଯିବି ଆଜ୍ଞା । ଆରେ ବାଃ, ସିଂହପୁର ତ ମୁଁ ବି ଯିବି । ଆପଣଙ୍କ ନା କଣ? ମୋ ନାଁ ସୁଫିୟାନ ଖାନ୍ ।ସିଂହପୁର ଛକ ପାଖାପାଖି ମୋ ଘର । ଦିଲ୍ଲୀ ଯାଇଥିଲି ଝିଅ ଘରକୁ । ମାସକ ପରେ ଫେରୁଛି ।

ସୁଫିୟାନଙ୍କ କଥା ନସରୁ….ଶ୍ୟାମବାବୁ ପଚାରିଲେ ଓ ….ହୋ…… ତାହାଲେ ଆପଣ କଣ ରବି ନନ୍ଦଙ୍କୁ ଚିହ୍ନିଛନ୍ତି? ଯିଏ ହେଡମାଷ୍ଟର ଥିଲେ । ମୋ ବୟସର ଲୋକ ।

ଆମ ରବି ସାର… ତାଙ୍କୁ କିଏ ନ ଜଣେ । ସେ ଆମ ପିଲାଙ୍କୁ ପାଠ ପଢ଼େଇଛନ୍ତି । ଭାରି ଭଲ ଲୋକ । ଆଛା ଆପଣ ତାଙ୍କ କଥା କାହିଁକି ପଚାରୁଛନ୍ତି । ଖାନ୍ ବାବୁ ଭାରି ଖୁସି ହୋଇ ଗୋଟିଏ ନିଶ୍ୱାସରେ ଏତିକି ପଚାରିଲେ ।

ଆରେ ନାଁଇ ନାଇଁ ରବି ମୋର ଛୁଆ ବେଳର ସାଙ୍ଗ । ଭାଗ୍ୟକୁ ଅନେକ ବର୍ଷ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ଚାକିରି ବି କରିଥିଲୁ । ବହୁତ ଦିନ ହେଲା ତା ଦେହ ଖରାପ ଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ମୋ ଦେହ ବି ଭଲ ନାହିଁ । ଯାଇ ପାରିଲିନି ତା ଶେଷ ଚେହେରା ଦେଖି । ତା ବଡ ପୁଅ ଫୋନ କରି ରବିର ଏକାଦଶ ପାଇଁ ନିମନ୍ତ୍ରଣ କଲା । ତା ମରିବା କଥା ଶୁଣି ମୁଁ ବହୁତ କାନ୍ଦିଲି । ଆଜି ଯାଉଛି ଭୋଜିକୁ । ତା ବଡ ପୁଅ କହୁଥାଏ ଯେ, ସେମାନେ ଖୁବ୍ ଚେଷ୍ଟା କଲେ । ଖର୍ଚ୍ଚାନ୍ତ ବି ହେଲେ । ସେବା ବି କଲେ । କିନ୍ତୁ ହାର ମାନିଲେ । ଆଜି ବାପା ଶୋକରେ ଖୁବ୍ ବଡ ଭୋଜି ଦେଉଛନ୍ତି । ଆଇସକ୍ରିମ, କ୍ଷୀରି ପର‌୍ୟ୍ୟନ୍ତ କରିଛନ୍ତି । ଖୁବ୍ ବଡ ଟେଂଟ ବାନ୍ଧିଛନ୍ତି ।

ଏ ସବୁ କଥା ଶୁଣି ଖାନ୍ ବାବୁ କହିଲେ, ଆ ହାଃରେ କି ମିଛ କଥା କହିଛନ୍ତି ସାର୍‌ଙ୍କ ପୁଅ ଆପଣଙ୍କୁ!!! ତାଙ୍କ ତିନି ପୁଅ କେହି ବି ବୁଢ଼ା ବାପାଙ୍କ ପାଖରେ ରହିଲେନି । ସେବା ଅଭାବରେ ବୁଢ଼ୀ ଚାଲିଗଲେ । ବାପାଙ୍କୁ ପାଖରେ ରଖିବାକୁ ତିନି ପୁଅ, ତାଙ୍କ ସ୍ତ୍ରୀ ଭିତରେ ସବୁ ଦିନ ଝଗଡା । ବାପା ପରା ବଂଟା ହୋଇଯାଇଥିଲେ । ଅବଶ୍ୟ ଭୋଜି ସବୁ ପୁଅ ମାନେ ମିଶି କରି ଦେଉଛନ୍ତି ବାପାଙ୍କ ଆତ୍ମାର ଶାନ୍ତି ପାଇଁ । ଜୀଅନ୍ତା ଲୋକଙ୍କୁ ଶାନ୍ତି ଦେଲେନି ଆଜି ବଡ ଭୋଜି ଦେଇ ଆତ୍ମାକୁ ଶାନ୍ତି ଦେବେ……କହୁ କହୁ ଖାନ୍ ବାବୁଙ୍କ ବୁଢା ଆଖିରୁ ଲୁହ ଆସିଗଲା ।

ନିସ୍ତବ୍ଦ ହୋଇ ଶୁଣୁଥାନ୍ତି ଶ୍ୟାମ ବାବୁ । ବ୍ୟାଗରୁ ପାଣି ବୋତଲ କାଢ଼ି ଟିକେ ପାଣି ପିଇଲେ ଆଉ ଗମ୍ଭୀର ହୋଇ ପଚାରିଲେ, ଆଚ୍ଛା ଖାନ୍ ବାବୁ ଆପଣଙ୍କ ବିଷୟରେ ଟିକେ କୁହନ୍ତୁ । ଏମିତି ଶୁଦ୍ଧକ୍ରିୟା, ଭୋଜି ଭାତ ଆପଣଙ୍କର ବି ଥାଏ କି?

ଆଖିରେ ଆଉ ଦୁଇ ଟୋପା ଲୁହ ଝରିଗଲା ଖାନ୍ ବାବୁଙ୍କର । କଣ ବା କହିବି, ମତେ ପୁଅ ଝିଅ ଦୁଇ ଜଣ ବାଂଟି ନେଇଛନ୍ତି । ମାସେ ଦିଲ୍ଲୀରେ ତ ଆଉ ମାସେ ଗାଁରେ । ବୁଢ଼ୀ ତ ଜଲଦି ଚାଲିଗଲେ । ମୁଁ ଆଉ କେତେ ଦିନ ଅଛି କିଏ ଜାଣେ?? ଏ କଷ୍ଟ
ଆଉ ସହି ହେଉ ନାହିଁ । ମୁଁ ବି ମାରିବା ଉପରେ, ଆଉ ମୋର ମାରିଯିବାର ୪୦ ଦିନପରେ ସେମାନେ ବି ଭୋଜି ଦେବେ ମାନେ “ଚାଲସି ଭୋଜି” କରିବେ । ବଡ ଲୋକିଆଙ୍କୁ ବିରିୟାନି ଖାଇବାକୁ ଦେବେ ଆଉ ୱା ୱାହି ନେବେ । ରବି ସାରଙ୍କ ଭଳିଆ ମୋର ମଧ୍ୟ ଆତ୍ମା ଶାନ୍ତି ପାଇଁ ଯିବ ।

Leave A Reply

Your email address will not be published.