ୱାଶିଂଟନ୍: କୋଭିଡ -୧୯ ରେସପନ୍ସ ଦଳର ନେତୃତ୍ୱ ନେଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ସେ ଓବାମାଙ୍କ ପ୍ରଶାସନରେ ମଧ୍ୟ ଏହି ପଦବୀରେ ରହିଥିଲେ। ଟ୍ରମ୍ପ ପ୍ରଶାସନ ସମୟରେ ବିବେକ ମୁର୍ତ୍ତୀଙ୍କୁ ତାଙ୍କ ପଦ ଛାଡିବାକୁ ପଡିଥିଲା। ରିପୋର୍ଟ ଅନୁଯାୟୀ ବାଇଡେନ୍ଙ୍କ ତିନି ସଦସ୍ୟ ବିଶିଷ୍ଟ କୋଭିଡ -୧୯ ପରାମର୍ଶଦାତା ବୋର୍ଡର ଦଳରେ ୪୩ ବର୍ଷିୟ ଡାକ୍ତର ବିବେକ ମୂର୍ତ୍ତୀ ସାମିଲ୍ ହୋଇଛନ୍ତି।
ଏହା ସହ କାଲିଫର୍ନିଆର ଆଟର୍ଣ୍ଣି ଜେନେରାଲ୍ ଜାଭିୟର୍ ବେସେରାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। କୋଭିଡ -୧୯ରେ ରାଷ୍ଟ୍ରପତିଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବରେ ଡକ୍ଟର ଆନ୍ଥୋନୀ ଫୋସି, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ଡକ୍ଟର ରୋଚେଲ ୱାଲେନସ୍କି ଏବଂ ‘କୋଭିଡ -୧୯ ଇକ୍ୱିଟି ଟାସ୍କ ଫୋର୍ସର ଚେୟାରମ୍ୟାନ୍ ଭାବରେ ଡକ୍ଟର ମାର୍ସେଲା ନୁଞ୍ଜ-ସ୍ମିଥ ନିଯୁକ୍ତ କରାଯାଇଛି।