Latest Odisha News

BREAKING NEWS

ଓଡ଼ିଶା ଲୋକଙ୍କୁ ଚିକିତ୍ସା ପ୍ରଦାନ ପାଇଁ ପ୍ରବାସୀ ଓଡ଼ିଆ ଡାକ୍ତରମାନଙ୍କ ଉଦ୍ୟମ

ଭୁବନେଶ୍ୱର: ଓଡିଶା ତଥା ଓଡିଆ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ କାମ କରୁଥିବା ଓଡିଆ ଡାକ୍ତରମାନେ ଏକ ବିଶ୍ୱସ୍ତରୀୟ ଏକ ଚିକିତ୍ସକ ଦଳ ଗଠନ କରିଛନ୍ତି । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ସହିତ ତାଳ ମିଳାଇ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ମିଶି ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଏକ ସ୍ୱେଚ୍ଛାକୃତ ଅଭିଯାନ ଆରମ୍ଭ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଚିକିତ୍ସକ ଦଳକୁ ‘ଓଡ଼ିଆ’ (ଓଡ଼ିଶା ଡକ୍ଟର୍ସ ଇଣ୍ଟରନ୍ୟାସନାଲ ଆସୋସିଏସନ) ଭାବରେ ନାମିତ କରାଯାଇଛି ।

ଏ ନେଇ ଆମେରିକାସ୍ଥିତ ଡାକ୍ତର ଦେବାଶିଷ ରାୟ କହିଛନ୍ତି, “ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ୟୁଏଇ, ଭାରତ, ଅନ୍ୟ ୟୁରୋପୀୟ ଏବଂ ଆସିଆନ୍ ରାଷ୍ଟ୍ରସମୂହରେ ଥିବା ପ୍ରବାସୀ ଓଡ଼ିଆ ଡାକ୍ତରମାନେ ଓଡ଼ିଶାର ଜନସାଧାରଣଙ୍କୁ ସହାୟତା କରିବାର ଲକ୍ଷ୍ୟ ନେଇ ପରସ୍ପର ସହିତ ହାତ ମିଳାଇ ଏହି ‘ଓଡ଼ିଆ’ସଂଗଠନ ଗଠନ କରିଛନ୍ତି ।”

ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢାଇଥିଲେ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର । ସେ ‘ଓଡ଼ିଆ’ ପକ୍ଷରୁ ଆଞ୍ଚଳିକ ସ୍ତରରେ ଏହି ପ୍ରୟାସର ମଧ୍ୟ ନେତୃତ୍ୱ ନେବେ । ‘ଓଡ଼ିଆ’ର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ସେ ତୃଣମୂଳ ସ୍ତରରେ ଡାକ୍ତରମାନଙ୍କର ଲକ୍ଷ୍ୟକୁ ନେଇ କାମ କରୁଛନ୍ତି ।

ସବ୍ୟସାଚୀ ମିଶ୍ର କହିଛନ୍ତି, “ଦୁଃଖୀ ମୁହଁରେ ହସ ଫୁଟାଇବା ଲାଗି ‘ଓଡ଼ିଆ’ ଟିମର ପ୍ରୟାସ ସଫଳ କରିବାକୁ ମୁଁ ପାରୁପର‌୍ୟ୍ୟନ୍ତ କାର‌୍ୟ୍ୟ କରିବି ।”
ଏହି ଅଭିଯାନରେ ଟିକାକରଣ, ମହିଳା କର୍କଟ ରୋଗ ଚିହ୍ନଟ, ମାତୃତ୍ୱକାଳୀନ ସ୍ୱାସ୍ଥ୍ୟରେ ଉନ୍ନତି ସାଧନ, ରକ୍ତହୀନତା ଓ ପୁଷ୍ଟିସାଧନ ସ୍ତରରେ ଯାଞ୍ଚ, ମେଦବହୁଳତା ବିରୋଧରେ ସଚେତନତା, ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ । । ଏଥି ସହ ଶିଶୁ ମୃତ୍ୟୁ ନିରାକରଣ, ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ଉପରେ ପ୍ରାଧାନ୍ୟ ଦିଆଯିବ । ‘ଓଡ଼ିଆ’ମଧ୍ୟ ଜରୁରୀକାଳୀନ ସମୟରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଗଠନ କରୁଛି ଏବଂ ଜରୁରୀକାଳୀନ ରିଲିଫ୍ ଦଳ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି ।

Leave A Reply

Your email address will not be published.