ରତ୍ନମୟ ତ୍ରିପାଠୀ
ଶୁଷ୍କ ମାଟିରେ ମଞ୍ଜି ଟିଏ ପୋତି
ପାଣିଦେଇ, ବାଡ଼ ଭିତରେ
ଯତ୍ନକଲେ ମୁଁ ବଞ୍ଚେ ବୋଲି
ଭାବୁଛ ଯଦି
ଏ ଧାରଣା ତୁମର ଭୁଲ
ଦେଖ…. !
ପାହାଡ଼ର ଛାତିଚିରି
ଉପରକୁ ଉଠିବା
ମୁଁ ଶିଖିଛି l
ସମାଲୋଚନା, ତିରସ୍କାର
ଏ ସବୁ ମୋର ଗ୍ରହଣୀୟ ନୁହେଁ
ବରଂ ଫେରେଇଛି ଶବ୍ଦସବୁ…..
ଯାହାଦିନେ ଭୁଲରେ ଛାଡିଯାଇ ଥିଲ
ମୋର ମୂଳରେ,
ମୁଁ ଦେଖିଛି… !
ମୋର ଡାଳରେ ମାଙ୍କଡ଼ରୁ ମଣିଷ ହେବା
ଆଉ ମୋର ମୂଳରେ
ମଣିଷରୁ ରାକ୍ଷସ l
ସଞ୍ଜ ଅନ୍ଧାରରେ ଟିଉସନ ଫେରା ଝିଅର
ଚିତ୍କାର ଶୁଣିଛି
ଇଚ୍ଛା ନ ଥିଲେବି ଅନେକ ବେଳଯାଏ
ଝୁଲାଇ ରଖିଛି
ନାବାଳିକାର ଶବ
ଦ୍ବିପ୍ରହରର ଛାଇରେ
ବୁଲାଗାଇ ପାକୁଳିରେ
ରାମରାଜ୍ୟର ଚିତ୍ର ଦେଖିଛି
ପାଞ୍ଚବର୍ଷରେ ଥରେ ଶୁଣିଛି
ମୋର ମୂଳରେ
ଲିପସ୍ଟିକ ଲଗା ଓଠରୁ
ନିରୀହ ଜନତାଙ୍କୁ ଭାଷଣ l
ମୋତେ ଥରେ ବି ଆଉଁସି ନ ଥିବା ଲୋକ
ମୋର ମୂଳରେ… ମୋର ଜନ୍ମଦାତା ବୋଲି
ପ୍ରକୃତିବନ୍ଧୁ ପୁରସ୍କାର ନେବା
ମୁଁ ଦେଖିଛି,
ବିକାଶ ନାରେ ବିସ୍ଥାପିତ ଚୁଲିରେ
ଭୋକହୋଇ ମୁଁ ହିଁ ଜଳିଛି
ମୁଁ ଶୁଣିଛି….
ମୁଁ ବି କାଳେ ସହୀଦ ହେବି
ସହରର ପ୍ରସସ୍ଥ ପଥରେ l
ବେଳେ ବେଳେ ଭାବେ
ପୁଣିଥରେ ମଣିଷକୁ ମାଙ୍କଡ଼ କରି
ଫେରାଇ ଆଣନ୍ତିକି ମୋରି ଡାଳକୁ
ମାଟିରୁ ଆକାଶକୁ ଉଡିବାର
ସ୍ବପ୍ନଦେଖୁ ଥିବା ମଣିଷ
ଫେରି ଆସନ୍ତା ପ୍ରକୃତି କୋଳକୁ,
କିନ୍ତୁ ମୁଁ ନିରୁପାୟ
ଜୀବନ ଥାଇ ବି ଜଡ଼ ବସ୍ତୁଟେ ମୁଁ
ନା ପ୍ରତିବାଦ ଅଛି
ନା ପ୍ରତି ଉତ୍ତର ll
ଅଧ୍ୟୟନ, ବଲାଙ୍ଗୀର
Comments are closed.