ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମନୋରମା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ ଶୈଳୀରେ ବ୍ୟକ୍ତ କରିଥାନ୍ତି ଗଳ୍ପ ମାଧ୍ୟମରେ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି ।
ଅଜା ବାହାରିଲେ ସହର ବୁଲି , ଦିଗବଳୟର ରଙ୍ଗ , କ୍ରମଶଃ ଶବ ପାଲଟୁଥିବା ସ୍ବପ୍ନ , ସାରା ରାତି ସମୁଦ୍ର , ନିଶ ନିଉଜ , ବୋଉ ଓ ଗଛ ଓ ଗାଁ ଡାକୁଛି ଆଦି ପୁସ୍ତକର ସେ ସ୍ରଷ୍ଟା । ନିଜ କାଳଜୟୀ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟ ସଂସଦ ତଥା ଅନୁଷ୍ଠାନ ତରଫରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ।
ଲେଖିକା ମନୋରମା ସାହୁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।
୧ . ସୃଷ୍ଟିର ସଂଜ୍ଞା କ’ଣ?
ଉତ୍ତର : ସୃଷ୍ଟି ସର୍ବଦା ଏକ ନବ ଉନ୍ମେଷର ଉନ୍ମୁଖ ଉପକ୍ରମ।ଏକ ମୋହାଚ୍ଛନ୍ନ ମଧୁର ଯନ୍ତ୍ରଣା,ଯାହାର ଆତ୍ମପ୍ରକାଶ ପ୍ରଦାନ କରେ ଅନିର୍ବଚନୀୟ ଅମୃତର ଅନୁଭବ। କୀଟଠାରୁ ବ୍ରହ୍ମ, ଶୈବାଳ ଠାରୁ ମହାଦ୍ରୁମ, ବୀଜରୁ ବିଶ୍ୱ ବ୍ରହ୍ମାଣ୍ଡ ଓ ଆତ୍ମାରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ପ୍ରଲମ୍ବିତ ସୃଷ୍ଟିର ସୌନ୍ଦର୍ଯ୍ୟସ୍ନାତ ସରଳରେଖା। କେବେ ଏହା ଶବ୍ଦ ଓ ଭାବର ଯୁଗଳବନ୍ଦୀ ତ କେବେ ରଙ୍ଗ,ତୂଳୀ ଓ କାନଭାସର ତ୍ରିବେଣୀ ସଙ୍ଗମ। କେବେ ଏହା ପ୍ରସ୍ତର ଗାତ୍ରର ସ୍ପନ୍ଦନମୟ ସ୍ଥାପତ୍ଯ ତ କେବେ ପୁଣି ଅସହ୍ୟ ଗର୍ଭ ବେଦନାର ପ୍ରେମାପ୍ଲୁତ ପ୍ରସବ। ସର୍ବୋପରି ସୃଷ୍ଟି ଏକ ଅବର୍ଣ୍ଣନୀୟ ଆତ୍ମିକ ଆବେଗର ଅଭିନବ ଅଙ୍କୁରୋଦଗମ।
୨ . ଲେଖାଲେଖି କେବେ ଆରମ୍ଭ କଲେ ?
ଉତ୍ତର : ଚତୁର୍ଥ ଶ୍ରେଣୀରୁ ଶବ୍ଦକୁ ଶବ୍ଦ ଯୋଡି ପଦ ପକାଇବା ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ମୁଁ ମୋ ଜେଜୀମା’କୁ ଦେବି। କାରଣ ସେ ଦିନକୁ ଅତି କମରେ ପନ୍ଦର/କୋଡିଏଟି ଢଗ କହୁଥିଲା। ଯେଉଁ ନୂଆ ନୂଆ ପଦ ମୁଁ ସୃଷ୍ଟି କରୁଥିଲି,ତାକୁ ରଫ୍ ଖାତାରେ ଲେଖି ରଖୁଥିଲି। ସେଥିରୁ ଅଧିକାଂଶ ପିଲାଳିଆ ଥିଲା। ସଚେତନ ଭାବରେ ମୋର ପ୍ରଥମ ଲେଖା ଥିଲା ଏକ ରମ୍ୟ ରଚନା। ଯାହାକୁ ମୁଁ ୧୯୯୦ ମସିହାରେ ଦଶମ ଶ୍ରେଣୀରେ ପଢିବା ବେଳେ ଲେଖିଥିଲି। ଶୀର୍ଷକ ଥିଲା,’ତ୍ରିଦେବଙ୍କ ସମ୍ପର୍କରେ ପଦେ’। ଲେଖାଟି ଆମ ତିନି ବଉଳଙ୍କ ଉପରେ ପର୍ଯ୍ୟବେସିତ ଥିଲା। ‘ତ୍ରିଦେବ’ ଉପାଧିଟି ଆମର ହାଇସ୍କୁଲ ସାର୍ ମାନେ ଆମକୁ ଦେଇଥିଲେ। କିନ୍ତୁ ମୋର ପ୍ରଥମ ପ୍ରକାଶିତ ଲେଖା ଥିଲା ‘ମହାନତାର ଦାନ’। ଯାହାକି ଗଛ ବିଷୟରେ ଥିଲା ଓ ୧୯୯୨ରେ ପ୍ରଗତିବାଦୀରେ ପ୍ରକାଶିତ ହୋଇଥିଲା।
୩ . କିଛି ଲେଖିଲା ବେଳେ ଅନୁଭୂତିର ଆଶ୍ରୟ ନିଅନ୍ତି କି?
ଉତ୍ତର : ସମାଜରେ ପ୍ରତ୍ୟହ ଘଟୁଥିବା ଘଟଣାବଳୀ,ପାରିପାର୍ଶ୍ବିକ ପରିସ୍ଥିତି,ପରିବେଶ,ପ୍ରକୃତି ଇତ୍ୟାଦିକୁ ନେଇ ଶହଶହ ଅନୁଭୂତିର ସଂସ୍ପର୍ଶରେ ମୁଁ ଆସିଛି। ତେଣୁ ଲେଖିଲା ବେଳେ ମୋର ଚାହିଁବା, ନ ଚାହିଁବାକୁ ଗୁରୁତ୍ୱ ନ ଦେଇ ସେମାନେ ବିଷୟବସ୍ତୁ ଓ ଚରିତ୍ର ଭିତରେ ଅବାଧରେ ପ୍ରବେଶ କରନ୍ତି ଓ ସ୍ୱ ସ୍ୱ ଆସନ ଅଧୀକୃତ କରି ନିଅନ୍ତି।
୪ . ଲେଖାଲେଖି କରିବାରେ କେବେ ପରିବାର ପ୍ରତି ଦାୟିତ୍ୱରେ ଛନ୍ଦି ହୋଇଛନ୍ତି କି ?
ଉତ୍ତର : ମୁଁ ଗ୍ରାମାଞ୍ଚଳରେ ଏକ ଯୌଥ ପରିବାରରେ ବାସ କରେ। ଘରେ ଏଗାର ଜଣ ସଦସ୍ୟ। ଗ୍ରାମାଞ୍ଚଳ ହେତୁ ପଡୋଶୀଙ୍କର ଅବାଧ ଯାତାୟାତ ଥାଏ। ତା ବ୍ୟତୀତ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ସମ୍ପର୍କୀୟ ମାନଙ୍କର ଯିବା ଆସିବା ଲାଗିଥାଏ। ମୋର ସ୍ୱତନ୍ତ୍ର ଭାବରେ ପଢାଘର କି ଟେବୁଲ ଚେୟାର ନାହିଁ। ସେସବୁ ପିଲା ମାନଙ୍କ ଅଧିକୃତ। କେବେ ଟିପୟ ଉପରେ,ସୋଫାରେ କିମ୍ବା ବେଡରେ ଲେଖେ। ମୁଁ କବାଟ କିଳି ନିବୁଜ କୋଠରୀରେ ଏପର୍ଯ୍ୟନ୍ତ ଲେଖିନାହିଁ। ମୁଁ ଲେଖିଲା ବେଳେ ମୋ ପିଲାମାନେ, ଝିଆରୀ , ପୁତୁରା, ସ୍ୱାମୀ, ଶାଶୁ ଶ୍ୱଶୁର , ଯାଆ , ଦିଅର , ଅତିଥି, ପଡୋଶୀ ସମସ୍ତେ ଚଳପ୍ରଚଳ ହେଉଥାନ୍ତି। ଲେଖା ମଝିରୁ ବାରମ୍ବାର ଉଠିବାକୁ ପଡେ। କେବେ ଶ୍ୱଶୁରଙ୍କୁ ଚାହା ଦେବାକୁ ତ କେବେ ଶାଶୁଙ୍କର ତେଲ ମାଲିସ କରିବାକୁ। କେବେ ବଢାବଢି ପାଇଁ ତ କେବେ ରୋଷେଇ ପାଇଁ। କେବେ ପିଲାଙ୍କ କଥା ବୁଝିବାକୁ ତ କେବେ ଘର କଥା ବୁଝିବାକୁ। ଲେଖିଲା ବେଳେ ବି ସମସ୍ତେ ପାଖକୁ ଆସି ବିଭିନ୍ନ ବିଷୟ ଆଲୋଚନା କରନ୍ତି। ଦେଖିବା ଲୋକ,ଏମିତିକି ମୋ ଷ୍ଟାଫମାନେ କୁହନ୍ତି,’ଏମିତି ପରିଵେଶରେ ଆପଣ ଲେଖି ପାରୁଛନ୍ତି,ସେଥିପାଇଁ ଧନ୍ୟବାଦ।’ ମୁଁ ବୁଝିସାରିଛି ଯେ ବାହାରର କୋଳାହଳକୁ ନିୟନ୍ତ୍ରଣ କରିବା ମୋ ଆୟତ୍ତରେ ନାହିଁ,ତେଣୁ ମୁଁ ନିଜ ଭିତରେ ନୀରବତା ସୃଷ୍ଟି କରି ସାରିଛି ।
୫ . ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?
ଉତ୍ତର : ମା’ ତା’ର ସନ୍ତାନକୁ ଶ୍ରେଷ୍ଠ କହିବା ଅପେକ୍ଷା ଅନ୍ୟମାନେ ପ୍ରଶଂସା କଲେ ଅଧିକ ଖୁସି ଲାଗେ। ତେଣୁ ମୋର ସର୍ବଶ୍ରେଷ୍ଠ ସୃଷ୍ଟିର ଚୟନ ଦାୟିତ୍ୱ ମୁଁ ମୋର ପ୍ରିୟ ପାଠକବୃନ୍ଦ ଓ ସମୟ ଉପରେ ନ୍ୟସ୍ତ କରୁଛି।
୬ . ଓଡିଆ ସାହିତ୍ୟରେ ଗପର ପ୍ରଭାବ କେମିତି?
ଉତ୍ତର : ଓଡିଆ ସାହିତ୍ୟରେ ଗଳ୍ପର ଜୈତ୍ର ଯାତ୍ରା ସୁଦୂରପ୍ରସାରୀ।ଗପର ଏକ ସ୍ୱତନ୍ତ୍ର ସ୍ଥାନ ଅତୀତରେ ଥିଲା,ବର୍ତ୍ତମାନ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ। ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ଗଳ୍ପର ଚାହିଦା କମିବା ପରିବର୍ତ୍ତେ ବଢୁଛି। ସମ୍ପାଦକ ହୁଅନ୍ତୁ, ପାଠକ ହୁଅନ୍ତୁ ସମସ୍ତଙ୍କର ଅନୁରୋଧ ଗଳ୍ପ ପାଇଁ। ପୁସ୍ତକ ମେଳା କିମ୍ବା ଆମାଜନରେ ବି ଗଳ୍ପ ବହିର ବିକ୍ରୟ ଅଧିକ। କୌଣସି ପତ୍ରିକାରେ ଯେତେ ବିଭାଗର ରଚନା ଥାଉ, ଯଦି ଗଳ୍ପଟିଏ ନାହିଁ, ପତ୍ରିକାଟି ପୂର୍ଣ୍ଣାଙ୍ଗ ଲାଗେନାହିଁ। କାଳଖଣ୍ଡ ନିର୍ବିଶେଷରେ ଗଳ୍ପ ସର୍ବଦା ଆଦୃତ,ଏହା ନିଃସନ୍ଦେହ।
୭. ଯଦି ପାଠକ ନକରାତ୍ମକ ମତ ରଖନ୍ତି,ଆପଣଙ୍କର ପ୍ରତିକ୍ରିୟା କ’ଣ ହେବ?
ଉତ୍ତର : ଗଠନମୂଳକ ଓ ଯୁକ୍ତିଯୁକ୍ତ ହୋଇଥିଲେ ଗ୍ରହଣୀୟ। ଅମୂଳକ କିମ୍ବା ଉଦ୍ଦେଶ୍ୟମୂଳକ ହୋଇଥିଲେ ବର୍ଜନୀୟ।
୮ . ଜଣେ ସ୍ରଷ୍ଟା ପାଇଁ କ’ଣ ଅଧିକ ମହତ୍ତ୍ୱ ରଖେ,ପୁରସ୍କାର ନା ପାଠକୀୟ ଆଦୃତି?
ଉତ୍ତର : କିଛି ବର୍ଷ ପୂର୍ବର କଥା ହୋଇଥିଲେ ମୁଁ କେବଳ ପାଠକୀୟ ଆଦୃତି ବୋଲି କହିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ମୁଁ କହିବି ଉଭୟ। କାରଣ ବର୍ତ୍ତମାନ ପୁରସ୍କାର ଗୋଟାଏ ଟ୍ରେଣ୍ଡରେ ପରିଣତ ହୋଇସାରିଛି। ବର୍ତ୍ତମାନ ପୁରସ୍କାର ଗୋଟାଏ ଷ୍ଟାମ୍ପ। ଥରେ ସେ ଷ୍ଟାମ୍ପ ବାଜିଗଲେ କେବଳ ନାଁ ଦେଖି ଲେଖା ପ୍ରକାଶିତ ହୁଏ,ଲେଖା ଦେଖିବାର ଆବଶ୍ୟକତା ଅନୁଭୂତ ହୁଏ ନାହିଁ। ଅପରପକ୍ଷରେ ଉଚ୍ଚସ୍ତରର ଲେଖା ଡଷ୍ଟବିନକୁ ଯାଏ। ତା’ ବ୍ୟତୀତ ପୁରସ୍କାର ଏକ ପ୍ରୋତ୍ସାହନ। ମିଳୁଛି ଯଦି ନିର୍ଭେଜାଲ ଭାବରେ ମିଳୁ ଓ ବରିଷ୍ଠତା ଭିତ୍ତିରେ ମିଳୁ।
୯ . ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିଭଳି ଭାବରେ ଦେଖନ୍ତି ?
ଉତ୍ତର : ଉତ୍କଳ ସାରସ୍ୱତ ଗଗନରେ ବର୍ତ୍ତମାନ ଅନେକ ସମ୍ଭାବନାମୟ ନକ୍ଷତ୍ର। ସେମାନଙ୍କର ଅନିର୍ବାଣ ଜ୍ୟୋତିରେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ନିଶ୍ଚିତ ଉଜ୍ଜ୍ୱଳମୟ ହେବ। ସେହି ପ୍ରତିଶ୍ରୁତିବଦ୍ଧ,ସ୍ୱୟଂସିଦ୍ଧ ସାଧକ ସମୂହ ସ୍ୱ ସ୍ୱ ସାଧନା ଅବ୍ୟାହତ ରଖନ୍ତୁ।
୧୦ . ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ?
ଉତ୍ତର : ବିଫଳତା ନଥିଲେ ସଫଳତାର ସ୍ୱାଦ ଆସ୍ୱାଦନର ପରିମାଣ କମିଯାଏ। ତେଣୁ ବିଫଳତାରେ ବୀତସ୍ପୃହ ନହୋଇ ଅନ୍ତର୍ମନରେ ଏକ ସକରାତ୍ମକ ଭାବନାର ପ୍ରଦୀପ ପ୍ରଜ୍ଜ୍ଵଳନ କରନ୍ତୁ। ତା’ର ପ୍ରଶସ୍ତ ଜ୍ୟୋତି ନିଶ୍ଚିତ ଆପଣଙ୍କ ବାହ୍ୟ ବିଶ୍ୱକୁ ପ୍ରକାଶମୟ କରିଦେବ।ଧୈର୍ଯ୍ୟ ଧରନ୍ତୁ,ପ୍ରଚୁର ପଢନ୍ତୁ।
Comments are closed.