Latest Odisha News

BREAKING NEWS

ବ୍ୟଙ୍ଗ : କରୋନା ଯୋଦ୍ଧା

ଓଁ ଅଭିଜ୍ଞାନ ସାହୁ 

ଏବେ ସୋସିଆଲ ମିଡିଆରେ ରମ୍ୟରଚନାର ଅବସ୍ଥା କହିଲେ ନସରେ । ଏଠି ରମ୍ୟ ଅପେକ୍ଷା ରଚନାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଯେତିକି ଲୋକ ରଚନା ପାଇଁ ପାଗଳ ତାକୁ ଦେଖିଲେ ଲାଗିବ ଖୋଦ ରମ୍ୟକାର ଏଠି ନିଜେ ରମ୍ୟ ହୋଇଯାଇଛନ୍ତି ।
ବିଦ୍ୟାରାଣ ଆପଣଙ୍କୁ ମିଛ ମୋତେ ସତ । ଗୋଟେ କଥା କହୁଛି ଶୁଣନ୍ତୁ ।

କିଛି ଦିନ ତଳେ ରଚନା ମୋତେ ହ୍ଵାଟ୍ସଆପରେ ମେସେଜ ଦେଇଥିଲା ତା ନାତୁଣୀ ପାଇଁ ଗୋଟେ ଭଲ ବର ପାତ୍ର ନଜରରେ ଥିଲେ ଜଣେଇବାକୁ । ତାକୁ ପଢି ମୋ ଅକଲ ଗୁଡୁମ । ତୁରନ୍ତ ରଚନାକୁ ଫୋନ କରି ପଚାରିଲି , “କିହୋ ନାତୁଣୀ ବାହା ହେବାକୁ ବସିଲାଣିଟି ? ଏପଟେ ପ୍ରୋଫାଇଲ ଫଟୋରେ ବାହାଘର ପୂର୍ବ ଫୋଟ ଓ କଭର ଫଟୋରେ ଆଉ କେଉଁ ସୁନ୍ଦରୀ କନ୍ୟାର ଲାଜବନ୍ତୀ ଫୋଟ ରଖି ହୁଲସ୍ତୁଲ କରୁଛ ସେଇଟା ପୁଣି କଣ ? ନାତି ବୟସର ଟୋକାମାନଙ୍କ ନାଲି ହୃଦୟ ମନ୍ତବ୍ୟରେ ତୁମେ “ଲଭ ୟୁ ” ଲେଖୁଛ କଣ ପାଇଁ ! ” ମୋ କଥା ଶୁଣି ରଚନା କହିଲା , “ମୁଁ ବହୁତ ଦିନ ଘରେ ବସି ଭାବୁଥିଲି ଏ କରୋନା ସମୟରେ କିଏ କେତେ ପ୍ରକାର ଦେଶ ସେବା କରୁଛନ୍ତି । ମୁଁ ବି କିଛି କରେ ।

ଏମିତି ଦିନେ ଫେସ୍ ବୁକ ଦେଖୁଥିବା ବେଳେ ମନକୁ ଆସିଲା ଏ ମହାମାରୀ ସମୟରେ ଦେଶର ଯୁବକମାନେ ସବୁଠୁ ବେଶି ପ୍ରଭାବିତ । ଆଗରୁ ତ ସହଜେ ଚାକିରୀ ବାକିରୀ କିଛି ନଥିଲା । ତା ଉପରେ ପୁଣି ଏବେ ଖଟି,ପାର୍କ , ମହିଳା କଲେଜ , ହଷ୍ଟେଲ ସବୁ ବନ୍ଦ । ତେଣୁ ଯୁବକମାନେ ଏବେ ଘରେ ବସି ବସି ଖାଲି ଆଣ୍ଡ୍ରାଇଡ଼ ଫୋନକୁ ଜପାମାଳି କରି କଣ ନାଇଁ କଣ ଅଣ୍ଡାଳି ହେଉଛନ୍ତି। ସକାଳୁ ଉଠି ଫେସ୍ ବୁକ ଖୋଲି ଦେଖିଲେ ଖାଲି ବିରହ କବିତା ନଚେତ ପ୍ରେମ ପ୍ରତାରଣାର ଗପ ଖଣ୍ଡିଆ ଭୂତ ଭଳି ଘୁରି ବୁଲୁଛନ୍ତି । ମୁଁ ସେଇଠୁ ଚିନ୍ତା କଲି ଖାଲି ରାସ୍ତାକୁ ଯାଇ ଲୋକଙ୍କୁ କି ମେଡ଼ିକାଲରେ କରୋନା ରୋଗୀଙ୍କୁ ସାହାଯ୍ୟ କରୁଥିବା ଲୋକ କେବଳ କରୋନା ଯୋଦ୍ଧା ନୁହେଁ ବରଂ ଏ ଦୁର୍ଦ୍ଦିନରେ ବିଷାଦଗ୍ରସ୍ତ ଯୁବକମାନଙ୍କ ମନୋବଳକୁ ମାନସିକ ଶାନ୍ତି ଦେଉଥିବା ଲୋକମାନେ ବି କରୋନା ଯୋଦ୍ଧା । ମୋତେ ଷୋଡଶି କି ରୂପସୀ ଭାବି ଫେସବୁକରେ କମେଣ୍ଟ ଲାଛି ଦେଉଥିବା ଅଗଣିତ ଅତୃପ୍ତ ଆତ୍ମା ପ୍ରଶଂସକମାନଙ୍କୁ ମୁଁ ଆଈ ନାତି ରହସ୍ୟ ଭାବି ସେମାନଙ୍କୁ ସେମାନଙ୍କ ଇଚ୍ଛାନୁଯାୟୀ ଉତ୍ତର ରଖେ । ଅନ୍ତତଃ କିଛି ସମୟ ପାଇଁ ହେଉ ପଛେ ସେ ଯୁବକଟି ଯେଉଁ ସ୍ୱର୍ଗୀୟ ଆନନ୍ଦ ଅନୁଭବ କରେ ସେଇଟା କଣ କମ କଥା କି ! ଏଥିରେ ମୋର ତ କିଛି ଅସୁବିଧା ହେଉନି ବରଂ ଏ ଅସମୟରେ ମୁଁ ସେମାନଙ୍କୁ କିଛି ଆନନ୍ଦ ଦେଇପାରୁଛି ସେଇଟା ମୋର ଖୁସି । ହଁ, ଏବେ ଯୁବକମାନଙ୍କ ସହ ଅନେକ ଅତି ପ୍ରୌଢ , ବୃଦ୍ଧ ବ୍ୟକ୍ତି ମୋ ଫ୍ରେଣ୍ଡସ ଲିଷ୍ଟକୁ ଆସିଗଲେଣି । ଜାଣି ଆଶ୍ଚର୍ଯ୍ୟ ହେବୁ ଯୁବକମାନଙ୍କ ଠାରୁ ଏମାନେ ବେଶି ମାନସିକ ବେମାରିଆ ଲାଗୁଛନ୍ତି । ସେମାନେ ଏବେ ଫେସବୁକ ଡେଇଁ ମେସେଞ୍ଜରରେ ଧସେଇ ପଶିଲେଣି ।

ପ୍ରଥମେ ଝିଅ , ବୁଢ଼ୀ , ମାଆ, ଧନ କହି ପରେ ରାତି ଅଧିଆ ଏମିତି ଲେଖା ଲେଖି ଦେଉଛନ୍ତି ତାକୁ ପଢି ମୋତେ ଲାଜସରମରେ କଂପ ଆସିଯାଉଛି । ଲାଗୁଛି ଏ ଦେଶରେ ଯୁବକମାନଙ୍କ ଠାରୁ ଏହି ବୟସର ଲୋକେ ବଡ଼ ଅତୃପ୍ତ । ସେ ଯାହା ହେଉ ସେ ସମସ୍ତଙ୍କ ମନ ଚିହ୍ନି , ବୁଝି ମୁଁ ମୋର ସାଧ୍ୟ ଅନୁସାରେ ଉତ୍ତର ଫେରାଏ । ସେମାନେ ଖୁସ୍ ଏପଟେ ଅନ୍ୟର ଖୁସି ଦେଖି ମୁଁ ଖୁସ୍ ।” ତା କଥା ଶୁଣି ମୁଁ କହିଲି ,”ଏ ଜାଗତିକ ବିପତ୍ତି ସମୟରେ ତୁମେ ଯେଉଁ ମହାନ୍ ଖେଳ ଖେଳୁଛ ସେଥିପାଇଁ ମୁଁ ସାଙ୍ଗ ହିସାବରେ ବଡ଼ ଗର୍ବିତ । ଧନ୍ୟ ତୁମ ଚିନ୍ତାଧାରା । ଏ ଅନନ୍ୟ ଦେଶ ସେବା ଦ୍ୱାରା ତୁମେ ବିଷାଦ ବଳୟ ଭିତରେ ଜୀଉଁ ଥିବା ମାନସିକ ବିକାରଗ୍ରସ୍ତମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ଦେଖେଇ ପାରୁଛ ତାହା କୌଣସି ପୁଣ୍ୟଠାରୁ ନିଶ୍ଚିତ ଅଧିକ । ତୁମେ ହିଁ ଅସଲ କରୋନା ଯୋଦ୍ଧା । ତୁମକୁ ମୋର କୋଟି ନମନ ।

Leave A Reply

Your email address will not be published.