କବିତା : ସର୍ବଂସହା

ପବିତ୍ର ମୋହନ ଦାଶ 

ବୋଉ ଫୁଟେ ଗବଗବ ଭାତହାଣ୍ଡିରେ
ତାୱା ଉପରେ ପଡି ଚେଂ କରେ
ଚକୁଳି ନାଁଆରେ ।
ତାତିଲା ତେଲ ଭିତରେ
କଡ଼ କଡ଼ ଡାକ ଦିଏ ମାଛ ମୁଣ୍ଡ ସହ ,
ଅଥାର ହାଣ୍ଡିରେ ସିଝେ
ନିରବରେ ଖୁବ ନିରବରେ
ଏଣ୍ଡୁରି ରୂପରେ ।

କଡେଇରେ ଟକମକ କରେ ତା’ର ଲୁହ
ଫୁଟେ ପିଲାଙ୍କ ଭବିଷ୍ୟତର ପଞ୍ଚଫୁଟଣ
ବୋଉ ଗୋଳାଇ ଚାଲେ ତରତରରେ
ଛୁଙ୍କ ନାଁଆରେ ।
ଶାଗ ସହିତ ଆଙ୍ଗୁଠି କାଟିଦିଏ ବୋଉ
ରକ୍ତମିଶା ମଦରଙ୍ଗା ରାଇ
ଉକୁଟି ଉଠେ ନୂଆ ସୁଆଦରେ,
ବୋଉ ବାଟି ହୋଇଯାଏ ସୋରିଷ ସହ
ମଜା ନେଉ ଆମେ ଆଉ
ମହୁରାଳୀ ମାଛ ।

ସୋଦୁଅ ବଦଳରେ
ପଲମ ଉପରେ ବସେ ବୋଉ
ନିଜ ଉପରେ ଲଦେ ଡହକ ,
ଆମ ପାଇଁ ରୋଷେଇ ଘରୁ ଆସେ
ତାଳ ପୋଡ଼ପିଠାର ମହକ
ଧୂଆଁ , ନିଆଁ , ଅଙ୍ଗାର , ପାଉଁଶରୁ
ବାଟ ଖୋଜି ବାହାରି ପାରେନା ବୋଉ
ନିଜକୁ କାଟି , ବାଛି , ରାନ୍ଧି ବାଢିଚାଲେ ।
ଆମେ ଧୂର୍ତ୍ତମାନେ ଧରି ନେଉ
ବୋଉକୁ ଖୁସି କରିଦେବୁ
ସର୍ବଂସହା ଉପାଧିରେ ।