Latest Odisha News

BREAKING NEWS

ଅରୁଣ ସାହୁଙ୍କ ‘ମଣିଷ ବ୍ୟତିରେକ’ ଉନ୍ମୋଚିତ

ଭୁବନେଶ୍ୱର : ଲେଖକ ,ପାଠକ , ପ୍ରକାଶକ ସାମ୍ମୁଖ୍ୟ  ଓଡ଼ିଶା , ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ କୃଷି , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ଗଳ୍ପ ପୁସ୍ତକ ‘ମଣିଷ ବ୍ୟତିରେକ’  ଡ. ପ୍ରତିଭା ରାୟଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଡ. ରାୟ କହିଲେ ଯେ ରାଜନୀତିର ବ୍ୟସ୍ତତା ମଧ୍ୟରେ ରହି ଏପରି ଏକ ବିରଳ ଗ୍ରନ୍ଥ ସମ୍ପାଦନା କରିବା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ  କରୋନା ମହାମାରୀ ପ୍ରମାଣିତ କରିଦେଇଛି, ପ୍ରକୃତି ସାମ୍ନାରେ ଆମେ କେତେ ତୁଚ୍ଛ । ତେଣୁ ଏହି ଗଳ୍ପ ସଙ୍କଳନ ମାଧ୍ୟମରେ ପାଠକମାନଙ୍କୁ ପ୍ରକୃତି ଓ ଜୀବଜଗତ ପ୍ରତି ଶ୍ରଦ୍ଧାଶୀଳ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ଯେଉଁ ପ୍ରୟାସ କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳ ଓ ସ୍ୱାଗତଯୋଗ୍ୟ ।

‘ପକ୍ଷୀଘର’ର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ସଞ୍ଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ପୁସ୍ତକକୁ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି କୁହାଯାଏ । ଲେଖକ-ପାଠକ-ପ୍ରକାଶକଙ୍କ ସଠିକ ମିଳନ ହେଲେ ହିଁ ଭାଷା ଓ ସାହିତ୍ୟ ତିଷ୍ଠି ରହିବ । ଏବେ ଲୋକଙ୍କର ପଢ଼ିବାର ଆଗ୍ରହ ବଢ଼ିଛି । ସେହି ଆଗ୍ରହ ଅନୁସାରେ ଲେଖକ ଓ ପ୍ରକାଶକଙ୍କ ଆଭିମୁଖ୍ୟ ବଦଳିବା ଆବଶ୍ୟକ । ‘ମଣିଷ ବ୍ୟତିରେକ’ ପୁସ୍ତକ ମଣିଷ ପାଇଁ ପଥପ୍ରଦର୍ଶକ ହେବ ।

ପ୍ରକାଶନ ସଂସ୍ଥା ଜଗନ୍ନାଥ ରଥ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ ପ୍ରକାଶକୀୟ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ କଥାକାର  ଅରବିନ୍ଦ ରାୟ ଓ  ଅଜୟ ସ୍ୱାଇଁ ଏହି ପୁସ୍ତକର ସମୀକ୍ଷା କରି ଏଥିରେ ଥିବା ୨୯ ଟି ଗପର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଙ୍କଳକ ଅରୁଣ କୁମାର ସାହୁ ଧନ୍ୟବାଦ ଦେବା  ଅବସରରେ , ମଣିଷ ଓ ‘ମଣିଷ ବ୍ୟତିରେକ’ ଅନ୍ୟ ସଜୀବ ଓ ନିର୍ଜୀବ ଜଗତ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ମଣିଷଠାରୁ ମଣିଷ ବ୍ୟତିରେକମାନଙ୍କର ଶ୍ରେଷ୍ଠତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ପାଠକ ଓ ଲେଖକ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.