ମମତା ବିଶ୍ୱାଳ ପୁହାଣ
ମେଘ ଓ ମାଟିର ପ୍ରେମମୟତାରେ ହିଁ
ବନ୍ଧା ଆକାଶର ସଂସାରିପଣ !!
ପ୍ରଗଳ୍ଭ ହୁଏ ସ୍ବପ୍ନଗୁଚ୍ଛର ଅନ୍ୱେଷ,
ମୋହଜ ଅନୁରାଗରେ ପ୍ରଣୟର
ଛନ୍ଦମୟ ଶବ୍ଦ ସବୁ
ସଂଚରି ଯାଏ ମାଟିର ଛାତିରେ,
ପ୍ରତିଶ୍ରୁତିର ଅସ୍ମିତା ପଲ୍ଲବିତ ହୁଏ।।
ଉଦୁଆଁ ଆକାଶରେ ଧ୍ୱନିମୟ ଏବେ
ମେଘପଟଳର ମୋହ,
ନିବିଡ଼ତାର ପଦପାତରେ
ଘନୀଭୂତ ସୁଢଳ ଗଜା ବଉଦ।
ମେଘପକ୍ଷୀର ନିବେଦନରେ
କଳା ଘୁମରୁ ଝରି ଆସୁଛି ଅମାପ ସରାଗର ଟୋପା ଟୋପା ଶିହରଣ।।
ସ୍ୱୀକୃତ ଅଭିସାରର ସ୍ପର୍ଶରେ ଭିଜୁଛି…
ମୋ ହୃଦୟକୁ ଛୁଉଁ ଥିବା
ମେଘ ପକ୍ଷୀର ଅନାହତ ସ୍ୱର ଓ
ସ୍ୱାଭିମାନରେ ଜୀଉଁ ଥିବା
ତାର ଅନୂଢା ବିଶ୍ୱାସ।
ଚାତକ ଆଖିର ଆଦିମ ତୃଷ୍ଣାକୁ
ଆଉ ବାନ୍ଧି ରଖି ପାରିବନାହିଁ
ମେଘପକ୍ଷୀର ଘର ।।
ମେଘର ଆଡ଼ ରୁଷାର
ଖୁବ ଚର୍ଚ୍ଚା ଏବେ…
ମେଘବହ୍ନିର ଅହମିକାରେ
ଝଳିତ ଆକାଶର ପାଟ,
ମେଘପର୍ବର ଶବ୍ଦସ୍ନାନରେ
ଉଛଳ ମେଘପକ୍ଷୀର ଗୀତ ।।
କେବେ ପୁଣି ଚିତ୍ର କାଠିରେ
ଆଙ୍କି ହେଇଯାଏ
ଇନ୍ଦ୍ରଧନୁର ସାତବର୍ଣ୍ଣି ଫୁଲ।
ମେଘଦୋଳିରେ ଝରା ଋତୁର
ଆଡ଼ ହସରେ ଉଜ୍ଜ୍ୱଳ ଜାଉଁଳି ଜହ୍ନ…
ତୃପ୍ତିରେ କଅଁଳୁ ଥାଏ ମେଘପକ୍ଷୀର ମନ।।
ସବୁଜ ଋତୁ ଫେରେଇ ଦେଲାଣି
ଅସରନ୍ତି ସବୁଜିମାର ସ୍ୱପ୍ନ…
ମେଘପକ୍ଷୀଟି ଶିଖେଇ ଚାଲିଛି ମୋତେ
ଶ୍ୟାମଳ ସ୍ୱପ୍ନ ସବୁକୁ
ଧାନକ୍ଷେତରେ ସଜେଇବାର କଳା।
ମୋ ଅସ୍ତିତ୍ୱର ଡାଳପତ୍ରରେ ଗୁନ୍ଥି ଦେଉଛି
ସ୍ପନ୍ଦନର ପ୍ରତ୍ୟୟ।
ଜହ୍ନିଳ ଆବେଗର ଅଘୋରି
ଆର୍ଦ୍ରତାରେ ଏବେ ବି ପହଁରୁ ଥାଏ
କାଗଜ ଡଙ୍ଗାର ସ୍ମୃତି ଓ
କୁନି କୁନି ଧାନଗଛର ବାଳୁତ ଦିନ।।
ପଦ୍ମପତ୍ରରେ ଚହଲା ନଈର ଉଛୁଳାପଣ…
ଶ୍ରାବଣ ଖୋଜି ଚାଲିଛି
ନିଜକୁ ନଈ ଶେଯରେ,
ଆଙ୍କି ଦେଇଛି ନଈର
ଅଙ୍କୁରିତ ଯୌବନର ଛବିଟିଏ।
ଭରି ଦେଇଛି ସେଥିରେ
ଜଳଚକ୍ରର ଲାବଣ୍ୟ,
ଅଥଚ ନଈପଠାରେ ଲକ୍ଷେ
ନିଷିଦ୍ଧ କାମନାର ଫୁଲ…
ଦିନେ ହୁଏତ ଅଦୃଶ୍ୟ ତିନି ଗାର ଟପି
ନିଖୋଜ ହେଇଯିବ ନଈ,
ଝରା ବାଦଲଟିଏ ଓଦା ଶେଯରେ
ତାକୁ ଖୋଜି ଚାଲିଥିବ।।
ନିଭୃତ ଅନୁରକ୍ତିର ବର୍ଷାରେ ପଖଳା
ମେଘୁଆ ସଞ୍ଜର ଅଙ୍ଗବାସ ଓ
ମାଟିର ନିରୁତା ସ୍ନେହପଣ।
ଘନ କାଳରେ ଜ୍ୟୋତ୍ସ୍ନାପକ୍ଷର
ଆକାଶ ବି ସତରେ ଭାରି ଅସ୍ଥିର!!
ମେଘପକ୍ଷୀଟି କିନ୍ତୁ ଖୁବ ଭଲପାଏ
ନିଷିକ୍ତ ଜହ୍ନକୁ,
ଜହ୍ନ ରାତିର ପ୍ରେମିଳ ଆବେଗକୁ।
ଚାତକଟିଏ ସଜେଇ ଚାଲିଛି
ମୋ ସୂକ୍ଷ୍ମତମ ଉପଲବ୍ଧିକୁ,
ଧୈର୍ଯ୍ୟର ଅସୀମିତ ଭାଵ ଓ
ଭଲ ପାଇବାର ନିରବ ଭାଷାରେ।।
ବର୍ଣ୍ଣମାଳାର ପ୍ରତିଟି ଅକ୍ଷରରେ ଆଜି
ଧ୍ୱନିମୟ ବର୍ଷାର ସମାବେଶ…
ମୋ ଭିତରେ ବି ଶ୍ରାବଣର
ଅବାରିତ ଧାରା !!
ଟୋପାଏ ଖୁସିରେ ଓଦା ସର ସର
ମୋ କୁନି କୁନି ଇଚ୍ଛାଙ୍କ ପ୍ରହର।
ପତ୍ରଛଣା ଜହ୍ନରାତିରେ କିନ୍ତୁ
ଅତୃପ୍ତ ମେଘପକ୍ଷୀଟି
କେଉଁଠି କେଜାଣି ଚାହିଁ ରହିଥାଏ
ସ୍ୱାତୀ ନକ୍ଷତ୍ରର ନିଷିକ୍ତ ତିଥିକୁ….
ଅନୁବନ୍ଧିତ ବର୍ଷା ମୁଖର ମୁହୂର୍ତ୍ତଟିଏ କୁ
ଛୁଇଁବାକୁ ଥରେ ।।
“ସ୍ୱାହା”
ପ୍ଲଟ ନମ୍ବର ୪୦୫/୨୨୯୧
ପଟିଆ, ଭୁବନେଶ୍ୱର
Comments are closed.